ପ୍ରଥମେ ଗୁଗଲ୍ରୁ ଠିକଣା ଖୋଜି ମଧ୍ୟରାତ୍ରରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଘରେ ପଶିଲା ଚୋର, ତା’ ପରେ…
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଘରେ ଚୋର ପଶିଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ସୋମବାର ଘଟିଥିବା ବେଳେ ତାହା ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଗୁଗଲ୍ରେ ଅକ୍ଷୟ କୁମାରଙ୍କ ଘରର ଠିକଣା ଖୋଜି ଏଭଳି ଅପରାଧ କରିବାକୁ ବାହାରିଥିଲା ବୋଲି ଜଣା ପଡ଼ିଛି । ତେବେ, ଅଭିଯୁକ୍ତକୁ କାବୁ କରି ଗିରଫ କରିଛି ପୁଲିସ । ଅଭିଯୁକ୍ତର ନାଁ ଅଙ୍କିତ୍ ଗୋସ୍ୱାମୀ ହୋଇଥିବା ବେଳେ ସେ ହରିୟାଣାର ବାସିନ୍ଦା ବୋଲି ଜଣା ପଡ଼ିଛି । ଗିରଫ ହେବା ପରେ ଚୋରି କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଅକ୍ଷୟ କୁମାରଙ୍କୁ ଦେଖା କରିବା ପାଇଁ ସେ ଏପରି କରିଥିବା କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଙ୍କିତ୍ର କହିବା ଅନୁଯାୟୀ, ଅକ୍ଷୟ କୁମାର ମୋ’ର ସବୁଠାରୁ ପସନ୍ଦର କଳାକାର ହୋଇଥିବା ବେଳେ ମୁଁ ତାଙ୍କୁ ଦେଖା କରିବା ପାଇଁ ମନସ୍ତ କରିଥିଲି । ଘରର ଠିକଣା ଜାଣି ନଥିବାରୁ ମୁଁ ଗୁଗଲ୍ରେ ଠିକଣା ଖୋଜି ହରିୟାଣାରୁ ମୁମ୍ବାଇରେ ଆସି ପହଞ୍ଚିଥିଲି । ତାଙ୍କ ଘର ଭିରତକୁ ପ୍ରବେଶ କରିବା ଭିତରେ ସୁରକ୍ଷା ଗାର୍ଡ ମୋତେ କାବୁ କରି ନେଇଥିଲେ ।
ରାତି ୧.୩୦ରେ ଅଙ୍କିତ୍ ଅକ୍ଷୟଙ୍କ ଘର ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲା । ଏହା ପରେ ତାଙ୍କୁ କାବୁ କରି ଆମେ ପଚରାଉଚରା କରିବା ପରେ ମଙ୍ଗଳବାର ତାଙ୍କୁ ଗିରଫ କରିଥିଲୁ ବୋଲି କହିଛନ୍ତି ଡେପୁଟି କମିସନର ଅଫ୍ ପୁଲିସ ପରମଜିତ୍ ସିଂହ ଦାହିଆ ।