ମୁଖ୍ୟମନ୍ତ୍ରୀ ଭୂମିକାରେ ଆସୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ଭୁବନେଶ୍ୱର : ସମ୍ପ୍ରତି ଓଡ଼ିଆ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଆଲମାନଙ୍କରେ ଯେଉଁ କେତେଜଣ ଲୋକପ୍ରିୟ ଚରିତ୍ର ଅଭିନେତ୍ରୀଙ୍କୁ ଦେଖିବାକୁ ମିଳୁଛି, ସେମାନଙ୍କ ମଧ୍ୟରେ ଜଣେ ହେଲେ ସ୍ନିଗ୍ଧା ମହାନ୍ତି। ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଲାଲପାନ ବିବି’ ସିନେମାରେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ। ସ୍ନିଗ୍ଧା ବେଶ୍‌ କେତୋଟି ଓଡ଼ିଆ ଛବିରେ ନାୟିକା ଓ ସହନାୟିକା ଭୂମିକା ମଧ୍ୟ ନିଭାଇଥିଲେ।

ବିଶେଷ କରି ଦର୍ଶକ ସ୍ନିଗ୍ଧାଙ୍କୁ ନାୟିକା ଭାବେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ହରିଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ମହୁଆ’ ସମେତ କେତେକ ସିନେମାରେ ଦେଖିଥିଲେ। ତା’ପରେ ସେ ଖଳନାୟିକା ଭୂମିକା ଆଡ଼କୁ ଅଗ୍ରସର ହୋଇଥିଲେ।

ସ୍ନିଗ୍ଧାଙ୍କୁ ବହୁ ଓଡ଼ିଆ ସିନେମାରେ ନେଗେଟିଭ ରୋଲ୍‌ରେ ଦର୍ଶକ ଦେଖିଛନ୍ତି। ଏଥିମଧ୍ୟରେ ସୁନାଭାଉଜ, ସନ୍ତାନ, ଭାଇ ହେଲା ଭଗାରି, ଶଶୁର ଘର ଜିନ୍ଦାବାଦ୍‌ ଆଦି ଉଲ୍ଲେଖନୀୟ।

ଏବେ ସ୍ନିଗ୍ଧା ମହାନ୍ତି ବେଶ୍‌ କିଛିଦିନ ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ହେଲା ‘ଯୋଗୀ’। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ସ୍ନିଗ୍ଧାଙ୍କୁ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ। ‘ଯୋଗୀ’ ଏକ ରାଜନୈତିକ ପୃଷ୍ଠଭୂମିରେ ନିର୍ମିତ ସିନେମା ହୋଇଥିବା ହେତୁ ଏହା ଏକ ଦମ୍‌ଦାର ଭୂମିକା ବୋଲି କୁହାଯାଉଛି। ବୋଧହୁଏ ‘ସନ୍ତାନ’ ପରେ ସ୍ନିଗ୍ଧା ମହାନ୍ତି ଏକ ପ୍ରଭାବଶାଳୀ ଚରିତ୍ର ପାଇଛନ୍ତି ‘ଯୋଗୀ’ରେ। ଏହି ନୂଆ ସିନେମାର କାହାଣୀରେ ଅନେକ ଟୁଇଷ୍ଟ୍‌ ରହିଛି, ଯେଉଁଥିରେ ସ୍ନିଗ୍ଧାଙ୍କ ଅଭିନୟ ଖେଳ ଦେଖିବାକୁ ପାଇବେ ଦର୍ଶକ। ଦର୍ଶକ ଏହି ଭୂମିକାରେ ତାଙ୍କୁ କିପରି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର