ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ହାସ୍ୟ କଳାକାର ପପୁ ପମ୍ପମ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ଥିଲେ ଏକ ପ୍ରଯୋଜନା ସଂସ୍ଥା। କାରଣ ଏହି ପ୍ରଯୋଜନା ସଂସ୍ଥା ସେମାନଙ୍କର ନୂଆ ସିନେମାର କାମ ଶେଷ କରିବାକୁ ଚାହୁଁଥିଲେ। ସେଭଳି ସମୟରେ ପପୁ ପମ୍ପମ୍ ହଠାତ୍ ଅସୁସ୍ଥ ହୋଇପଡ଼ିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ପ୍ରଯୋଜନା ସଂସ୍ଥା ପପୁଙ୍କ ସ୍ଥାନରେ ଅନ୍ୟ କେଉଁ କଳାକାରଙ୍କୁ ନେଇ ସିନେମାର କାମ ଶେଷ କରିବେ ,ସେଥିନେଇ ନିଷ୍ପତ୍ତି ନେଲେ।ଆଉ ପପୁ ପପ୍ପମ୍ଙ୍କ ଜାଗାରେ ନିଆଗଲା ଜଣେ କଳାକାରଙ୍କୁ।
ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି, ତା’ର ଶୀର୍ଷକ ହେଲା ‘ଫୋର୍ ଇଡ଼ିଅଟ୍ସ’। ଜୀ ସାର୍ଥକ,ପ୍ରକାଶ ଏଣ୍ଟରଟେନ୍ମେଣ୍ଟ୍ ଓ ଅକ୍ଷୟ ପରିଜା ପ୍ରଡକସନ୍ସର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ହେଉଛି ଏହି ସିନେମା।
ଏହି ଓଡ଼ିଆ ଛବିରେ ଚାରିଜଣ କଳାକାରଙ୍କୁ ଶୀର୍ଷକ ଭୂମିକାରେ ନିଆ ଯାଇଥିଲା। ସେଥି ମଧ୍ୟରେ ପପୁ ପମ୍ପମ୍ ଥିଲେ ଜଣେ। ପପୁଙ୍କ ଜାଗାରେ ଯେଉଁ କଳାକାରଙ୍କୁ ନିଆଯାଇଛି, ସେ ହେଲେ ଚିତ୍ତରଂଜନ ତ୍ରପାଠୀ। ଚିତ୍ତରଂଜନ ଏକାଧାରରେ ଜଣେ ନିର୍ମାତା,ନିର୍ଦ୍ଦେଶକ,ସଙ୍ଗୀତକାର,ଗୀତିକାର ଓ ଅଭିନେତା।
ଦର୍ଶକ ଚିତ୍ତରଂଜନ ତ୍ରିପାଠୀଙ୍କୁ ‘ଧଉଳି ଏକ୍ସପ୍ରେସ୍, ମୁଖ୍ୟମନ୍ତ୍ରୀ, ସପନର ପଥେ ପଥେ ଏବଂ ଆଇ ଲଭ ୟୁ ଜେସିକା ଆଦି ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ପାଇଛନ୍ତି। ‘ଲଭ ୟୁ ଜେସିକା’ରେ ପ୍ରଭାବଶାଳୀ ଅଭିନୟ କରି ଚିତ୍ତରଂଜନ ପାଇଥିଲେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
ପ୍ରାପ୍ତ ସୂଚନା ଅନୁଯାୟୀ ଚିତ୍ତରଂଜନ ତ୍ରିପାଠୀ ଫିଲ୍ମରେ ଥିବା ନିଜର ସମସ୍ତ ଦୃଶ୍ୟର ସୁଟିଂ ସାରିଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଲିପ୍ସା ମିଶ୍ର ଅଛନ୍ତି ନାୟିକା ଭୂମିକାରେ। ‘ଫୋର୍ ଇଡ଼ିଅଟ୍ସ’ ରେ ସବ୍ୟସାଚୀ,ଏଲିନା,ଆକାଶ,ପୁନମ୍,କୁନା ତ୍ରିପାଠୀ ଓ ଚାନ୍ଦିନୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଅଭିଜ୍ଞ ବସନ୍ତ ସାହୁ ଏହାର ନିର୍ଦ୍ଦେଶକ।