କଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅମିତାଭ୍‌ ବଚ୍ଚନ ଦେଇଥିବା ମତ ଉପରେ ନିଜର ପ୍ରତିକ୍ରିୟା ରଖି ଟ୍ରୋଲ୍‌ ହେଲେ ପୂଜା ଭଟ୍ଟ

ମୁମ୍ବାଇ : କଠୁଆ ଏବଂ ଉନ୍ନାଓରେ ହୋଇଥିବା ଦୁଷ୍କର୍ମକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଦୁଇ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶ ଆଗେଇ ଆସିଥିବା ବେଳେ ବଲିଉଡ୍‌ କଳାକାରମାନେ ମଧ୍ୟ ଏ ନେଇ ପ୍ରୟାସ ଆରମ୍ଭ କରିଛନ୍ତିା ସାରା ଦେଶରେ ଏଥିପାଇଁ ହେଉଥିବା ଆନ୍ଦୋଳନକୁ ଦେଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ମଧ୍ୟ ଶନିବାର ଏକ ନୂତନ ଆଇନ୍‌ ପ୍ରଣୟନ କରିଛି । ୧୨ବର୍ଷରୁ କମ ବୟସ୍କ ନାବାଳିକାଙ୍କ ସହ ଦୁଷ୍କର୍ମ କରାଗଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଘୋଷଣା କରାଯାଇଛି । ତେବେ ଏ ନେଇ ଷ୍ଟାର୍‌ ଓ୍ଵାର୍‌ ମଧ୍ୟ ଆରମ୍ଭ ହୋଇଛି ।

ଗତ ଗୁରୁବାର ‘ବେଟି ପଢ଼ାଓ, ବେଟି ବଚାଓ’ର ବ୍ରାଣ୍ଡ ଆମ୍ବାସଡ଼ର ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କୁ କଠୁଆ ଏବଂ ଉନ୍ନାଓରେ ହୋଇଥିବା ଦୁଷ୍କର୍ମ ବିଷୟରେ ପଚରାଯିବା ପରେ ସେ ଏ ନେଇ ନିଜର କୌଣସି ମତ ରଖି ନ ଥିଲେ । ମୋତେ ଏ ବିଷୟରେ ଚର୍ଚ୍ଚା କରିବାକୁ ଘୃଣା ଲାଗୁଛି, ସେଥିପାଇଁ ମୋତେ ସେ ବିଷୟରେ କିଛି ପଚାରନ୍ତୁ ନାହଁ ବୋଲି କହିଥିଲେ । ଅମିତାଭ୍‌ଙ୍କ ଏଭଳି ମତ ପରେ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିବା ବେଳେ ଅଭିନେତ୍ରୀରୁ ଫିଲ୍ମ ନିର୍ମାତା ସାଜିଥିବା ପୂଜା ଭଟ୍ଟଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ପ୍ରତିକ୍ରିୟା ପାଇଁ ତାଙ୍କୁ ଟ୍ଵିଟରରେ ଟ୍ରୋଲ କରାଯାଇଛି । ଜଣେ ବ୍ୟବହାରକାରୀ ତାଙ୍କ ପ୍ରତିକ୍ରିୟା ଉପରେ ନିଜର ମତ ରଖି ତାଙ୍କୁ ମଦୁଆ କହିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଅମିତାଭ ବଚ୍ଚନ ଦେଇଥିବା ମତ ଉପରେ ନିଜର ପ୍ରତିକ୍ରିୟା ରଖି ଫିଲ୍ମ ‘ପିଙ୍କ୍‌’ ବିଷୟରେ ଲେଖିଥିଲେ । ସେ ଟୁଇଟ୍‌ କରିଥିଲେ, ଯେଉଁ ଲୋକ ଫିଲ୍ମରେ ନାରୀମାନଙ୍କ ପାଇଁ ଏତେ ସ୍ୱର ଉତ୍ତୋଳନ କରି ସେମାନଙ୍କୁ ନ୍ୟାୟ ଦେଇଥିଲେ ତାଙ୍କଠାରୁ ଏଭଳି ପ୍ରତିକ୍ରିୟା ଆଶା କରାଯାଉ ନ ଥିଲା । ଫିଲ୍ମରେ ଯେଉଁ ଚରିତ୍ରରେ ଆସୁଛନ୍ତି ସେଭଳି ଚରିତ୍ର ଅସଲ ଜୀବନରେ ମଧ୍ୟ ରହିବା କଥା।’

ତାଙ୍କର ଏହି ଟ୍ଵିଟ୍‌ ପରେ ଟ୍ଵିଟରରେ ତାଙ୍କୁ ଟ୍ରୋଲ କରାଯାଇଥିିଲା । ସବୁବେଳେ ନିଶାଗ୍ରସ୍ତ ହୋଇ ରହୁଥିବା ଲୋକ ଜଣେ ଲିଜେଣ୍ଡଙ୍କ ବିଷୟରେ ଏପରି କହିବା ଶୋଭା ପାହୁ ନାହିଁ ବୋଲି କେତେକ ଲେଖିଥିବା ବେଳେ ପୂଜା ତାଙ୍କୁ ଉଚିତ୍‌ ଜବାବ ଦେଇଥିଲେ । ‘ନିଶାଗ୍ରସ୍ତ ନୁହେଁ, ମୁଁ ଏବେ ନିଜକୁ ବଦଳାଇବାକୁ ଚେଷ୍ଟା କରୁଛି । ଯାହା ପାଇଁ ମୁଁ ଗର୍ବିତ’ ବୋଲି ଲେଖିଥିଲେ । ତେବେ ଏ ନେଇ ଅମିତାଭ ବଚ୍ଚନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର