ଲଟେରି ଟି‌କଟ କିଣିବା ନିଶା, ୮୪ ଲକ୍ଷ ଟଙ୍କାର ମୁଦ୍ରା ଚୋରାଇଲେ ବ୍ୟାଙ୍କ ଅଧିକାରୀ

ମିଦନାପୁର: ଲଟେରି ଟିକଟ କିଣିବା ‌ପାଇଁ ଜଣେ ବ୍ୟାଙ୍କ ଅଧିକାରୀ ବ୍ୟାଙ୍କରୁ ୮୪ ଲକ୍ଷ ଟଙ୍କାର ମୁଦ୍ରା ଚୋରାଇଛନ୍ତି। ୧୭ ମାସ ପରେ ଘଟଣାର ପର୍ଦ୍ଦାଫାସ ହେବା ପରେ ତାଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ରେ ଜଣେ ବରିଷ୍ଠ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ୩୫ ବର୍ଷୀୟ ତାରକ ଜୟସ୍ବାଲ୍‌ଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ‌କୋଲକାତାଠାରୁ ୮୨ କିଲୋମିଟର ଦୂର ମେମାରି ସହରରେ ଥିବା ଏସ୍‌ବିଆଇ ଶାଖାରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ଏହି ଶାଖାରେ ଜୟସ୍ବାଲ୍‌ ୧୭ ମାସ ହେଲା କାର୍ଯ୍ୟ କରୁଥିଲେ। ଏହି ୧୭ ମାସ ମଧ୍ୟରେ ସେ ୧୦ ଟଙ୍କିଆ ମୁଦ୍ରା ଚୋରାଇ ଆସୁଥିଲେ। ଲଟେରି ଖେଳ ତାଙ୍କର ଏକ ନିଶା‌ରେ ପରିଣତ ହୋଇଯିବାରୁ ଶେଷରେ ସେ ଚୋରି କରିବାକୁ ପଛାଇନଥିଲେ। ୧୭ ମାସ ମଧ୍ୟରେ ୮,୪୦,୦୦୦ ମୁଦ୍ରା ଚୋରାଇଥିଲେ। ଅର୍ଥାତ୍‌ ମାସକୁ ୫୦,୦୦୦ ଅଥବା ଦିନକୁ ୨,୦୦୦ କଏନ୍‌ ସେ ଚୋରାଉଥିଲେ। ନଭେମ୍ବର ୨୭ରେ ବ୍ୟାଙ୍କର ବାର୍ଷିକ ଅଡିଟ୍‌ ହେବା ପରେ ଘଟଣା ପଦାକୁ ଆସିଥିଲା। ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କୁ ୫ ଦିନ ପାଇଁ ପୁଲିସ ରିମାଣ୍ଡ‌ରେ ପଠାଇଛନ୍ତି। ଜୟସ୍ବାଲ୍‌ ଏଭଳି ଅପରାଧ ଘଟାଇଥିବା ମଧ୍ୟ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର