ଡୋକ୍‌ଲାମ୍‌ ପରେ ପଠାର୍‌ରେ ଚୀନ୍‌ର ସୈନ୍ୟ ଠୁଳ!

ନୂଆଦିଲ୍ଲୀ: ଡୋକ୍‌ଲାମ୍‌ରେ ଚୀନ୍‌ ସେନାର ଦାଦାଗିରି ଆପୋଷ ଆଲୋଚନାରେ ସମାଧାନ ହେବା ପରେ ଏବେ ତିବ୍ଦତ ସୀମରେ ଥିବା ‘ପଠାର’ରେ ପୁଣିଥରେ ଚୀନ୍‌ ସୈନ୍ୟ ଠୁଳ କରିଛି। ଯଦିଓ ଚୀନ୍‌ ସେନା ପିପୁଲ୍ସ ଲିବରେସନ ଆର୍ମିର ଖବରକାଗଜ ‘ପିଏଲଏ ଡେଲି’ଏହାକୁ ନିଜର ସମରାଭ୍ୟାସ ବୋଲି କହିଛି ତଥାପି ଚୀନ୍‌ର ଏଭଳି କାର୍ଯ୍ୟ ପୁନର୍ବାର ଭାରତ ପାଇଁ ସଙ୍କଟର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଭାରତ-ଚୀନ୍‌ ସୀମରେ ଥିବା ବିବାଦୀୟ ତିବ୍ଦତକୁ ଲାଗି ରହିଥିବା ପଠାର୍‌ରେ ଚୀନ୍‌ ଗତ କିଛି ଦିନ ହେବ ସ୍ଥଳ ସେନା,ନୌସେନା ଓ ଉନ୍ନତ ମିଶାଇଲ ସିଷ୍ଟମ୍‌ ଆଣି ଠୁଳ କରିଛି। ଏଥିରେ ଜି-୨୦ ଯୁଦ୍ଧ ବିମାନ,ବୋମା ବର୍ଷୀ ଏଚ୍‌-୬ ଓ ଜେ-୧୬,ଜେ-୧୧ ଓ ଜେ-୧୦ ଆଦି ସାମରିକ ବିମାନ ମଧ୍ୟ ସାମିଲ ହୋଇଛି। ମିଳିଥିବା ଖବର ମୁତାବକ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ନିର୍ଦ୍ଦେଶାନୁସାରେ ଏହି ସୈନ୍ୟ ପ୍ରଶିକ୍ଷଣ ଓ ସମରାଭ୍ୟାସ ଚାଲଛି। ଗ୍ଲୋବାଲ ଟାଇମ୍ସ ଗଣମାଧ୍ୟମକୁ ସୂଚନା ଦେଇ ଚୀନ୍‌ର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ କହିଛନ୍ତି ଯେ,ଭାରତ-ଚୀନ୍‌ ସୀମାରେ ଭାରତୀୟ ସୈନ୍ୟଙ୍କ ତୀକ୍ଷ୍‌ଣ ନଜର ରହୁଥିବାରୁ ଯୁଦ୍ଧ ହେଲେ ଏହାର ମୁକାବିଲା କରିବା ପାଇଁ ଚୀନ୍‌କୁ ଅଧିକ ସ୍ଥଳ ସେନା ସମେତ ବାୟୁସେନା ଓ ନୌସେନାର ଆବଶ୍ୟକ୍ତା ରହିଛି। ତେଣୁ ଚୀନ୍‌ ଏହି ଅଞ୍ଚଳରେ ନିଜର ସମରାଭ୍ୟାସ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର