ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପୁରୀ ଆସିବେ ଆମିକ୍‌ସକ୍ୟୁରୀ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ପ୍ରସ୍ତାବିତ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖ ପରିବର୍ତ୍ତେ ଆମିକସକ୍ୟୁରୀ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ପୁରୀ ଆସିବେ।

ପ୍ରକାଶଥାଉକି, ପୁରୀ ଗସ୍ତ ସମୟରେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ବିଭିନ୍ନ ପ୍ରସଙ୍ଗଗୁଡିକର ଅନୁଧ୍ୟାନ କରିବା ସହିତ ସମସ୍ତ ପକ୍ଷଙ୍କ ମତ ନେବାର ଅଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଆମିକସ୍‌କ୍ୟୁରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରୁ ଅଧିକାଂଶ ବ୍ୟକ୍ତି ବର୍ତମାନ ପୁରୀରେ ନଥିବାରୁ ଆମିକସ୍‌କ୍ୟୁରୀ ସେପ୍ଟେମ୍ବର ୧୦ ପରେ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି। ଆସନ୍ତା ମାସ ୫ ତାରିଖରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା ସଂପର୍କିତ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେଦିନ ଆମିକସକ୍ୟୁରୀଙ୍କ ପକ୍ଷରୁ କୋର୍ଟରେ ରିପୋର୍ଟ ଦାଖଲ କରିବା ପାଇଁ ସମୟ ଲୋଡାଯିବ। ଜୁଲାଇ ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବା ସହିତ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଆମିକସକ୍ୟୁରୀଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସୁପ୍ରିମ୍‌କୋର୍ଟରେ କୌଣସି ପକ୍ଷଙ୍କ ଦ୍ୱାରା ଏ ସଂପର୍କିତ ରିପୋର୍ଟ ଅଦ୍ୟାବଧି ଦାଖଲ କରାଯାଇନାହିଁ।

ସମ୍ବନ୍ଧିତ ଖବର