ଶ୍ରୀଦେବୀଙ୍କ ମୃତ୍ୟୁ ପୂର୍ବରୁ ସ୍ୱାମୀଙ୍କ ସର୍‌ପ୍ରାଇଜ୍‌

ଦୁବାଇ: ନିଜ ଭଣଜା ମୋହିତ୍‌ ମାରଓ୍ଵାଙ୍କର ବିବାହ ଉତ୍ସବରେ ଯୋଗଦେବାକୁ ଗତ ସପ୍ତାହରେ ସ୍ୱାମୀ ବୋନି କପୁର ଏବଂ ସାନ ଝିଅ ଖୁସି କପୁର ସହ ଦୁବାଇ ଯାଇଥିବା ଶ୍ରୀଦେବୀ ସେଠାରେ ଜୁମୈରା ଏମିରେଟ୍‌ସ ହୋଟେଲରେ ରହୁଥିଲେ। ବଡ଼ ଝିଅ ଜାହ୍ନବୀର ସିନେମା ସୁଟିଂ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସେ ମୁମ୍ବାଇରେ ରହିଥିଲେ। ଏଣେ ବୋନି କପୁର ଦୁବାଇରେ ଦୁଇ ଦିନ ରହି ଭଣଜାର ବାହାଘର ସାରି ଝିଅ ଖୁସିକୁ ଧରି ମୁମ୍ବାଇ ଫେରି ଆସିଥିବା ବେଳେ ଉକ୍ତ ହୋଟେଲରେ ଶ୍ରୀଦେବୀ ଏକାକୀ ରହୁଥିଲେ। ତେବେ ଏକ ବିଶାଳ ପାରିବାରିକ ତଥା ସମ୍ଭ୍ରାନ୍ତ ରାତ୍ରିଭୋଜନର ପ୍ରସ୍ତାବ ଦେଇ ଶ୍ରୀଦେବୀଙ୍କୁ ଚକିତ କରିଦେବା ଲାଗି ସ୍ୱାମୀ ବୋନି କପୁର ପୁଣି ୨୪ ତାରିଖରେ ଦୁବାଇ ଯାଇଥିଲେ ବୋଲି କୁହାଯାଉଛି।
ସେଦିନ ସନ୍ଧ୍ୟା ସାଢ଼େ ୫ଟାରେ ବୋନି ଜୁମୈରା ହୋଟେଲରେ ପହଞ୍ଚିଥିଲେ। ପରେ ସେ ବିଳମ୍ବିତ ସନ୍ଧ୍ୟାରେ ପତ୍ନୀ ଶ୍ରୀଦେବୀଙ୍କୁ ନିଦରୁ ଉଠାଇବା ସହ ଦୀର୍ଘ ୧୫ ମିନିଟ୍‌ ଧରି କଥା ହୋଇଥିଲେ। ତା’ପରେ ସେ ଈପ୍‌ସିତ ରାତ୍ରିଭୋଜନ ପାଇଁ ଶ୍ରୀଦେବୀଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ଶ୍ରୀଦେବୀ ପ୍ରସାଧନ ପାଇଁ ଗାଧୁଆ ଘରକୁ ଯାଇଥିବା ବେଳେ ଦୀର୍ଘ ସମୟ ଧରି ଫେରିନଥିଲେ। ଏଥିରେ ବ୍ୟସ୍ତ ହୋଇ ବୋନି ଗାଧୁଆ ଘର କବାଟ ବାଡ଼େଇଥିଲେ ହେଁ କିଛି ଉତ୍ତର ନମିଳିବାରୁ ସେ ଧକ୍କା ମାରି କବାଟ ଭାଙ୍ଗିଥିଲେ। ଦେଖିଲା ବେଳକୁ ଶ୍ରୀଦେବୀ ପାଣିଭରା ଗାଧୁଆ କୁଣ୍ଡରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ତେବେ ଚେତା ଫେରାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବୋନି ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ଡାକିଥିଲେ। ଶେଷରେ ଅନନ୍ୟୋପାୟ ହୋଇ ରାତି ୯ଟା ବେଳକୁ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପରେ ପରେ ଡାକ୍ତରୀ ଦଳ ଓ ପୁଲିସ ସେଠାରେ ପହଞ୍ଚିଥିଲା ବେଳେ ଶ୍ରୀଦେବୀଙ୍କୁ ମୃତ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର