ଇସିଙ୍କ ବିଶ୍ବସନୀୟତା ସଙ୍କଟରେ : ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୬୬ ପୂର୍ବତନ ଅଫିସର୍‌

ନୂଆଦିଲ୍ଲୀ : ଆଉ ମାତ୍ର ଦିନକ ପରେ ପ୍ରଥମ ପର୍ଯ୍ୟୟ ଲୋକସଭା ନିର୍ବାଚନ ସହ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ସ୍ବଚ୍ଛ ଏବଂ ନିର‌ପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ (ଇସି) ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଆଜି ଇସିଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ୬୬ ଜଣ ପୂର୍ବତନ ଅଫିସର୍‌। ଇସି ବିଶ୍ବସନୀୟତା ସଙ୍କଟରେ ପୀଡ଼ିତ ଏବଂ ଏହାଦ୍ବାରା ନିର୍ବାଚନୀ ପ୍ରକ୍ରିୟା ଏବେ ବିପଦରେ ରହିଛି ବୋଲି ଏହି ପୂର୍ବତନ ଅମଲାମାନେ ସେମାନଙ୍କ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି।। ନିର୍ବାଚନ କମିସନ୍‌ଙ୍କ ଦୁର୍ବଳ ଆଚରଣ ଦ୍ବାରା ଏହି ସାମ୍ବିଧାନିକ ଅନୁଷ୍ଠାନ ଉପରେ ଭରସା କମିଯାଉଛି। ତେବେ ନିର୍ବାଚନ କମିସନ୍‌ଙ୍କ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଉପରେ ଯଦି ଲୋକଙ୍କ ବିଶ୍ବାସ କମେ ତେବେ ଏହାଦ୍ବାରା ଗଣତନ୍ତ୍ରର ଭବିଷ୍ୟତ ବିପଦଗ୍ରସ୍ତ ହେବ ବୋଲି ପୂର୍ବତନ ଅମଲାମାନେ ସେମାନଙ୍କ ଚିଠିରେ ଲେଖିଛନ୍ତି। ଭାରତୀୟ ନିର୍ବାଚନ କମିସନଙ୍କ ସ୍ବତନ୍ତ୍ରତା, ନିରପେକ୍ଷତା, ଏବଂ ଦକ୍ଷତାରେ ଏବେ ସାଲିସ ହେବାଭଳି ଲାଗୁଛି ବୋଲି ସେମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ‌ା‌ୟୋପିକ୍‌ ରିଲିଜ୍‌ ଉପରେ ନିର୍ବାଚନ କମିସନ ‌ଏଯାବତ୍‌ କୌଣସି ନିଷ୍ପତ୍ତି ନଶୁଣାଇବା ଏବଂ ଏହା ନିର୍ବାଚନ ଆରଚଣ ବିଧି ଉଲ୍ଳଂଘନ କରୁଛି କି ନାହିଁ, ସେନେଇ କିଛି ନିର୍ଦ୍ଦେଶ ଦେଇନାହାନ୍ତି। ଏଥି ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ମୋଦୀଜୀ କି ସେନା‌’ ଟିପ୍ପଣୀ ପାଇଁ ଇସି ଯୋଗୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା‌ ବିଷୟ ମଧ୍ୟ ପରିତାପର ବିଷୟ ବୋଲି ଏହି ଚିଠିରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର