ଫେସ୍‌ବୁକ୍‌ରୁ ଗୁପ୍ତ ତଥ୍ୟ ଚୋରି କରୁଛନ୍ତି ଭାରତର ପ୍ରମୁଖ ରାଜନୈତିକ ଦଳ

ନୂଆଦିଲ୍ଲୀ : ଦିନକୁ ଦିନ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏଥିରେ ଦେଉଥିବା ବ୍ୟକ୍ତିଗତ ତଥ୍ୟ ଏବେ ଚୋରି ହେବାରେ ଲାଗିଛି। ଏହି ତଥ୍ୟ ବର୍ତ୍ତମାନ ଭାରତର ରାଜନୈତିକ ଦଳ ଗୁଡ଼ିକ ଚୋରି କରୁଥିବା ସୂଚନା ମିଳିଛି। ଏହି ତଥ୍ୟ ଚୋରିକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ।

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଅଭିଯୋଗ ଆଣି କହିଛନ୍ତି, କେମ୍ବ୍ରିଜ ଏନାଲିଟିକା ନାମକ ଏକ ସଂସ୍ଥାକୁ କଂଗ୍ରେସ ଭଡାରେ ନେଇ ସମସ୍ତଙ୍କର ଫେସବୁକ୍‌ ତଥ୍ୟକୁ ଚୋରି କରୁଛି ଏବଂ ୨୦୧୯ ର୍ନିବାଚନରେ ଏହାକୁ ବ୍ୟବହାର କରିବ। ସେପଟେ କଂଗ୍ରେସ କହିଛି, ବିଜେପି ମିଛ ଅଭିଯୋଗ ଆଣିଛି ଏବଂ ପୂର୍ବରୁ ବିଜେପି ହିଁ କେମ୍ବ୍ରିଜ୍‌ ଏନାଲିଟିକାକୁ ବ୍ୟବହାର କରିଛି।

ଆପଣ ଯଦି ସୋସିଆଲ ମିଡିଆ ଫେସବୁକ୍‌ ବ୍ୟବହାର କରୁଛନ୍ତି ତେବେ ସାବଧାନ! ଚୋରି ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ। ଆଉ ଏହି ଚୋରି କରାଉଛନ୍ତି ବିଭିନ୍ନ ରାଜନୈତିକ ଦଳ। ର୍ନିବାଚନ ପୂର୍ବରୁ ଭୋଟରଙ୍କ ଚିନ୍ତାଧାରା ଓ ନିଷ୍ପତିକୁ ପ୍ରଭାବିତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଏହାର ବ୍ୟବହାର କରୁଛନ୍ତି। ଡାଟା ଚୋରି ପାଇଁ ଦାୟୀ କରାଯାଉଥିବା କମ୍ପାନୀ ହେଉଛି ବ୍ରିଟେନ୍ର କେମ୍ବ୍ରିଜ୍‌ ଏନାଲିଟିକା। ଭାରତର ବିଭିନ୍ନ ଦଳ ପାଇଁ ଏହି କମ୍ପାନୀ ଫେସବୁକରୁ ୫ କୋଟି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ହେଉଛି।

କେମ୍ବ୍ରିଜ୍‌ ଏନାଲିଟିକାର ନାଁ ପଦାକୁ ଆସିବା ପରେ କଂଗ୍ରେସକୁ ଘେରିଛି ବିଜେପି। ପ୍ରେସମିଟ୍‌ କରି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ନିଜକୁ ସ୍ୱଚ୍ଛ ସାବ୍ୟସ୍ତ କରନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କଂଗ୍ରେସ କହିଛି, ଏଭଳି ବେଆଇନ୍‌ ,ସଂସ୍ଥା ସହ କାହାର ସମ୍ପର୍କ ରହିଛି ତାହାର ତଦନ୍ତ କରାନ୍ତୁ ର୍ନିବାଚନ କମିଶନ। ଏହାଛଡା ଏକ ଟ୍ଵିଟ୍‌ କରି ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିଧାସଳଖ ଫେସବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ଲେଖିଛନ୍ତି, ଯଦି ଫେସବୁକ୍‌ ମାଧ୍ୟମରେ କୌଣସି ତଥ୍ୟ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ତେବେ ଏହାକୁ ବରଦାସ୍ତ କରାଯିବନାହିଁ ଏବଂ ଆବଶ୍ୟକ ପଡିଲେ ଜୁକରବର୍ଗଙ୍କୁ ଭାରତକୁ ସମନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆମେରିକାରେ ରାଷ୍ଟ୍ରପତି ର୍ନିବାଚନ ସମୟରେ ସାମ୍ନାକୁ ଆସିଥିଲା କେମ୍ବ୍ରିଜ୍‌ ଏନାଲିଟିକାର ନାଁ । ୫ ଲକ୍ଷ ଫେସବୁକ୍‌ ବ୍ୟବହାରକାରୀଙ୍କ ଡାଟା ଚୋରି କରି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ଆସିଥିଲା ବ୍ରିଟେନ ଭିତିକ ଏହି ଫାର୍ମ ନାଁରେ। ଭାରତରେ ୨୦୧୪ ଲୋକସଭା ର୍ନିବାଚନ ସମୟରୁ ସୋସିଆଲ୍‌ ମିଡିଆ ଦ୍ୱାରା ପ୍ରଚାର ଜୋର ଧରିଥିଲା। ଏଭଳି ସ୍ଥିତିରେ କେମ୍ବ୍ରିଜ୍‌ ଏନାଲିଟିକା ସ୍ୱୀକାର କରିଛି ଯେ, ଭାରତରେ ବିଜେପି, କଂଗ୍ରେସ ଓ ଜେଡିୟୁ ଭଳି ଦଳ ପାଇଁ ସେ ପ୍ରଚାର କରିଛି। ଏପରିକି ୨୦୧୯ ଲୋକସଭା ର୍ନିବାଚନ ପାଇଁ ଏହି କମ୍ପାନୀ କଂଗ୍ରେସ ସହ କାମ କରିବାକୁ ସହମତ ହୋଇଛି।

କେମ୍ବ୍ରିଜ୍‌ ଏନାଲିଟିକା ଅଧିନରେ ଥିବା ଅନ୍ୟ ଏକ କମ୍ପାନୀ ଓବଲେନା ବିଜନେଓ ଇଂଟେଲିଜେନ୍‌ସ ନିଜ ୱେବସାଇଟରେ ଲେଖିଛି ଯେ, ଭାରତର ଅନେକ ରାଜନେତା ଏହି କମ୍ପାନୀର ଗ୍ରାହକ। ଏହି କମ୍ପାନୀର ମାଲିକ ହେଉଛନ୍ତି ଜେଡିୟୁ ନେତା କେସି ତ୍ୟାଗୀଙ୍କ ପୁଅ ଅମରେଶ ତ୍ୟାଗୀ।

ସମ୍ବନ୍ଧିତ ଖବର