ଜେଲ୍‌ରେ ସଲମାନ୍‌ଙ୍କ ପ୍ରଥମ ରାତି

ରାତ୍ରି ଭୋଜନରେ ଡାଲ୍‌-ସବ୍‌ଜି, ଆଶାରାମଙ୍କ ସହ କଥାବାର୍ତ୍ତା

ଯୋଧପୁର କୃଷ୍ଣସାର ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ  ହୋଇଥିବା ସୁପରଷ୍ଟାର ସଲମାନ୍‌ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ର ଏକ ସ୍ୱତନ୍ତ୍ର ବାରାକ୍‌ରେ ତାଙ୍କର ପ୍ରଥମ ରାତି କଟାଇଛନ୍ତି। ଆଜି ବି ଜାମିନ ଆବେଦନର ଶୁଣାଣି ନ ହୋଇପାରିବାରୁ ସେ ଆଜି ମଧ୍ୟ ଜେଲ୍‌ରେ ରହିବେ। ଜେଲ୍‌ରେ ଆତ୍ମଘୋଷିତ ବାବା ଆଶାରାମ୍‌ଙ୍କ ପାଖ ବାରାକ୍‌ରେ ରହୁଥିବା ସଲମାନ୍‌ ଗତକାଲି ରାତ୍ରି ଭୋଜନରେ ‘ଡାଲ୍‌ ସବ୍‌ଜି’ ଖାଇଥିଲେ। ଏହି ସମୟରେ ସେ ଆଶାରାମ ବାପୁଙ୍କ ସହ କିଛି ସମୟ କଥା ହୋଇଥିଲେ। ତେବେ ଜେଲ୍‌ରେ  କଏଦୀ ନଂ ୧୦୬ ଭାବେ ଏକ ନୂଆ ପରିଚୟ ପାଇଥିବା ସଲମାନ୍‌ ଗତକାଲି ଚଟାଣରେ ୪ଟି କମ୍ବଳ ପକାଇ ଶୋଇଥିଲେ। ଗତରାତି ପ୍ରାୟ ୧୧.୩୦ରେ ଶୋଇଥିବା ସଲମାନ୍‌ ଆଜି ସକାଳୁ ବିଳମ୍ବରେ ଉଠିଥିବା ଜଣାପଡ଼ିଛି। ସକାଳ ଚା’ ପିଇନାହାନ୍ତି। ଜଳଖିଆରେ ‘ଦଲିଆ’ ଖାଇଛନ୍ତି। ଆଜି ସକାଳେ ସଲମାନ୍‌ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ପୁଣିଥରେ ୧୫ ଦିନପରେ ସଲମାନ୍‌ଙ୍କର ଭେଟ ହେବ। ତେବେ ଆଜି ଜାମିନ୍‌ ଆବେଦନର ଶୁଣାଣି ହୋଇପାରିବ ନାହିଁ ବୋଲି ଶୁଣିବାପରେ ସଲମାନ୍‌  ଦୁଃଖ ପ୍ରକାଶ କରିଥିଲେ।  ସଲମାନ୍‌ ଏବେ ଚତୁର୍ଥ ଥର ପାଇଁ ଯୋଧପୁର ଜେଲ୍‌ରେ ରହୁଛନ୍ତି। ଏହି ମାମଲାରେ ପ୍ରଥମ ଥର ପାଇଁ ୨୦୦୬, ଫେବ୍ରୁଆରି ୧୭ରେ  ଯୋଧପୁର ଅଦାଲତ ସଲମାନଙ୍କୁ ଗୋଟିଏ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଅନ୍ୟ କୃଷ୍ଣସାର ଶିକାର  ମାମଲାରେ  ୧୦ ଏପ୍ରିଲ ୨୦୦୬ରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଥିଲା।  ସୁଟିଂ ପାଇଁ ଏକ ଫାର୍ମ ହାଉସ୍‌୍‌ରେ ଅବସ୍ଥାନ ବେଳେ ସଲ୍‌ମାନ କୃଷ୍ଣସାର ଶିକାର କରିଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଥିଲା।  ୨୦୦୬ ଏପ୍ରିଲ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ କାରାଗାରରେ ରହିବାକୁ ପଡ଼ିଥିଲା। ଏହାପରେ ତଳ କୋର୍ଟ ଦ୍ୱାରା ଦଣ୍ଡ ଘୋଷଣା ପରେ  ସଲମାନଙ୍କୁ ପୁଣି  ୨୦୦୭ ଅଗଷ୍ଟ ୨୬ରୁ ୩୧ ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡ଼ିଥିଲା।

ଜାମିନ ଶୁଣାଣି ଆଜି

ଯୋଧପୁର : ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଗତକାଲି ୫ ବର୍ଷ ଜେଲ୍‌ଦଣ୍ଡାଦେଶ ପାଇଥିବା ସଲମାନ୍‌ଙ୍କୁ ଆଜି ମଧ୍ୟ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ରହିବାକୁ ପଡ଼ିବ। ଆଜି ଯୋଧପୁର ଜିଲ୍ଲା କୋର୍ଟରେ ସଲମାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନି। ଜିଲ୍ଲା କୋର୍ଟ ବିଚାରପତି ରବିନ୍ଦ୍ର ଯୋଶୀ ଏହି ମାମଲାର ବିଚାର ପ୍ରକ୍ରିୟାରେ ନିମ୍ନ ଅଦାଲତର ସମସ୍ତ ରେକର୍ଡ ମଗାଇଛନ୍ତି।  ଆଜି ଏ ବାବଦ ଅନୁଧ୍ୟାନ ପରେ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ସଲମାନ୍‌ଙ୍କ ଆଇନଜୀବୀ ମହେଶ ବୋରା ଆଜି କୋର୍ଟରେ ଜଣାଇଛନ୍ତି ଯେ ବିଚାର ପ୍ରକ୍ରିୟାରେ ବିଭିନ୍ନ ଦିଗଗୁଡ଼ିକୁ ଅଣଦେଖା କରାଯାଇଛି। ବୋରା କହିଛନ୍ତି   ସଲମାନ୍‌ କୋର୍ଟଙ୍କ ସମସ୍ତ ନିର୍ଦ୍ଦେଶକୁ ପୂରଣ କରିଛନ୍ତି ତେଣୁ ତାଙ୍କ ଦଣ୍ଡାଦେଶ ସ୍ଥଗିତ ରଖାଯାଇ ତାଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ। ସିଆରପିସିର ଧାରା ୩୮୯ ଅଧୀନରେ ସଲ୍‌ମାନଙ୍କ ଆବେଦନର ଏକ କପିକୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଓକିଲ ପୋକାରାମ୍‌ ବିଷ୍ଣୋଇଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ ଓକିଲ ବଷ୍ଣୋଇ  ଆଜି କୋର୍ଟଙ୍କୁ କହିଥିଲେ ଯେ ସଲମାନ୍‌ଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ଟ୍ରାଏଲ କୋର୍ଟଙ୍କ ରେକର୍ଡ ସମନ କରାଯିବା ଉଚିତ।

ସମ୍ବନ୍ଧିତ ଖବର