ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଂଚ୍ ଜିଲ୍ଲାରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଅଂଚଳରେ ପ୍ରବଳ ଗୁଳି ବିନିମୟ ଚାଲିଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ବିଫଳ ହୋଇଥିବା ପାକିସ୍ତାନ ଆଜି ଲଗାତାର ତୃତୀୟ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭୋର୍ ସମୟରୁ ୬ଟି ଗ୍ରାମ ଉପରେ ଗୁଳି ବର୍ଷା କରିଛି।୧୪ଟି ଭାରତୀୟ ପୋଷ୍ଟକୁ ମଧ୍ୟ ପାକିସ୍ତାନ ଟାର୍ଗେଟ୍ କରି ମୋର୍ଟାର ମାଡ଼ କରିଛି। ତେବେ ସମସ୍ତ ପୋଷ୍ଟ ସୁରକ୍ଷିତ ଥିବା ଜଣାପଡ଼ିଛି। ଭାରତୀୟ ସେନା ପାକିସ୍ତାନକୁ ସମାନ ଅସ୍ତ୍ରରେ ଏହାର କଡ଼ା ଜବାବ ଦେଉଛି। ଗତକାଲି ପୁଞ୍ଚ୍ରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ବିଏସ୍୍ଏଫ୍ ଯବାନ ମହେନ୍ଦ୍ର ଚେମଜୁଙ୍ଗ ସହିଦ ହୋଇଯାଇଥିଲେ। ଅକ୍ଟୋବର ୨ ତାରିଖରେ ମଧ୍ୟ ପୁଞ୍ଚ୍ ସେକ୍ଟର ଅଂଚଳରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୩ ନାବାଳକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏଥିରେ ୫ ଜଣ ଶିଶୁ ମଧ୍ୟ ଆହତ ହୋଇଥିଲେ। ଚଳିତ ବର୍ଷ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ମାମଲା ବୃଦ୍ଧି ପାଇଥିଲେ ମଧ୍ୟ ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ପାଇଁ ଏହାର ଯୋଜନାକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୀମାନ୍ତ ଗ୍ରାମବାସୀମାନେ ପାକ୍ ସେନାର ଗୁଳିବର୍ଷର୍ା ଏବଂ ମୋର୍ଟାର ମାଡ଼ରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ପ୍ରାୟ ୨ ହଜାର ଲୋକ ସ୍ୱତନ୍ତ୍ର ଶିବିରରେ ଆଶ୍ରୟ ନେଇଛନ୍ତି। ଭାରତର ପାଲଟା ଜବାବରେ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ ପାକିସ୍ତାନ ସୁଧୁରୁ ନାହିଁ। ଦୁଇ ଦିନ ତଳେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଏକ ଲଞ୍ଚ୍ ପ୍ୟାଡ୍ ଧ୍ୱସ୍ତ ହେବାପରେ ପାକିସ୍ତାନ ଅଧିକ ଉଗ୍ର ହୋଇଉଠିଛି। ପାକ୍ ସେନାର ଏହି ସ୍ଥାୟୀ ପୋଷ୍ଟ୍କୁ ପ୍ରାୟ ୨ ବର୍ଷ ହେଲା ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ଭାବେ ବ୍ୟବହାର କରାଯାଉଥିଲା।
ଏଠାରେ ଆତଙ୍କବାଦୀଙ୍କୁ ତାଲିମଠାରୁ ଆରମ୍ଭ କରି ଭାରତ ପଠାଇବା ପର୍ଯ୍ୟସ୍ତ ସମସ୍ତ ଯୋଜନା ହେଉଥିଲା। ବିଏସ୍୍ଏଫ୍୍ର ମୋର୍ଟାର ମାଡ଼ରେ ଏହି ପୋଷ୍ଟ୍ ଛାରଖାର ହୋଇଯାଇଥିବାରୁ ଏଥିରେ ପାକ୍ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ଏହାପରେ ପାକିସ୍ତାନ ଏଲଓସିରେ ଲଗାତାର ଗୁଳିବର୍ଷା ଚଳାଇଛି। ବାରମୁଳାର ରାମପୁର ଏବଂ ତାଙ୍ଗଧାର ସେକ୍ଟରରେ ୬୦ରୁ ଅଧିକ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନର ଯୋଜନା ବିଫଳ ହୋଇଥିବା ବେଳେ ସୁରକ୍ଷା ବାହିନୀ ସହ ଏନ୍କାଉଣ୍ଟରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।