ଗୁରୁଗ୍ରାମ ଗୁଣ୍ଡାରାଜ ମାମଲା :ସମୂହ ଆତ୍ମହତ୍ୟାର ଧମକ ଦେଲେ ପରିବାର

ଗୁରୁଗ୍ରାମ: ହୋଲି ଦିନ ଆକ୍ରମଣର ଶିକାର ହୋଇଥିବା ଗୁରୁଗ୍ରାମର ସଂଖ୍ୟାଲଘୁ ପରିବାର ସମୂହ ଆତ୍ମହତ୍ୟା କରିବାକୁ ଧମକ ଦେଇଛି। ରାଜନୈତିକ ଚାପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଆକ୍ରମଣକାରୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର। ନ୍ୟାୟ ନମିଳିଲେ ସେମାନେ ଦିଲ୍ଲୀ ଚାଲିଯିବେ ଏବଂ ପରିବାରର ସମସ୍ତେ ଆତ୍ମହତ୍ୟା କକରିବେ ବୋଲି ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କୁ ଏକ ସ୍ମାରକପତ୍ର ଦ୍ୱାରା ଅବଗତ କରାଇଛନ୍ତି।
ସମୂହ ଆକ୍ରମଣର ଶିକାର ହୋଇଥିବା ଭୂପ ସିଂ ନଗର ଅଞ୍ଚଳର ମହମଦ ଅଖତର ଅଭିଯୋଗ କରିଛନ୍ତି ଯେ ସେଦିନର ଆକ୍ରମଣ ଯୋଜନାବଦ୍ଧ ଥିଲା। ଏହା ସମସ୍ତଙ୍କ ସାମ୍ନାରେ ହୋଇଥିଲା ଯାହାର ଭିଡିଓ ଭାଇରଲ ହୋଇଛି। ତଥାପି ପୋଲିସ ଏବଂ ପ୍ରଶାସନ ଆକ୍ରମଣକାରୀଙ୍କ ବିରୋଧରେ କିଛି ପଦକ୍ଷେପ ନେଉନାହିଁ। ଓଲଟା ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରି ଉକ୍ତ ମାମଲା ରଫାଦଫା କରିବାକୁ ପୋଲିସ ଚାପ ପକାଉଛି ବୋଲି ଅଭିଯୋଗ କରିଛନ୍ତି ଅଖତର। କେବଳ ସେତିକି ନୁହଁ, ଆକ୍ରମଣକାରୀମାନେ ତାଙ୍କ ଘରକୁ ଆସି ପରିବାରର ମହିଳା ଏବଂ ଝିଅଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ସେମାନେ ସମୂହ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ସହନା ଏସ୍‌ଡ଼ିଏମ୍‌ଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ଅଖତର। ଅନ୍ୟପକ୍ଷେ ଦକ୍ଷିଣ ଗୁରୁଗ୍ରାମ ଡିସିପି ହିମାଂଶୁ ଗର୍ଗ ଅଖତରଙ୍କ ଆରୋପକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଉଭୟ ତରଫରୁ ଆକ୍ରମଣ ହୋଇଥିଲା। ଉକ୍ତ ମାମଲାରେ ୧୩ଜଣଙ୍କୁ ଗିରଫ କରାଯାଇଛି

ସମ୍ବନ୍ଧିତ ଖବର