ଗୁରୁଗ୍ରାମ୍‌ ଗୁଳିକାଣ୍ଡ : ବିଚାରପତିଙ୍କ ପୁଅ ସଂକଟାପନ୍ନ

ଗୁରୁଗ୍ରାମ୍‌: ଗୁରୁଗ୍ରାମ ଗୁଳିକାଣ୍ଡ ଘଟଣାରେ ଗତକାଲି ବିଚାରପତି କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ବେଳେ ବିଚାରପତିଙ୍କ ପୁଅ କୋମାକୁ ଚାଲିଯାଇଥିବା ଡାକ୍ତରମାନେ ଘୋଷଣା କରିଛନ୍ତି। ବିଚାରପତିଙ୍କ ପତ୍ନୀ ୪୫ ବର୍ଷୀୟା ଋତୁ ଏବଂ ୧୮ ବର୍ଷୀୟା ପୁଅ ଧ୍ରୁବ ଗତ ଶନିବାର ଦିନ କିଣାକିଣି ପାଇଁ ବଜାର ଯାଇଥିବାବେଳେ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମହିପାଲ୍‌ ଯାଦବ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ପ୍ରବଳ ରକ୍ତସ୍ରାବ ହେତୁ ଋତୁଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ତେବେ ପୁଅ ଧ୍ରୁବଙ୍କ ଅବସ୍ଥା ଆଦୌ ଭଲ ନାହିଁ। ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି। ମେଡିକାଲ ଅଧିକାରୀମାନେ କହିଛନ୍ତି ଯଦି ସେ ବଞ୍ଚିଯିବେ‌ ତେବେ ଏହା ଏକ ଚମତ୍କାର ଘଟଣା ହେବ। ସେପଟେ ଅଭିଯୁକ୍ତ ମହିପାଲ୍‌କୁ ଗୁରୁଗ୍ରାମ କୋର୍ଟରେ ହାଜର କରାଯାଇଥି‌ବା ବେଳେ ତାକୁ ୪ ଦିନିଆ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଛି। ‌ମହିପାଲ୍‌କୁ ପୁଲିସ ଜେରା କରିବା‌ ସମୟରେ ସେ ସ୍ବୀକାର କରିଛି ଯେ ବିଚାରପତିଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ତାଙ୍କୁ ହଇରାଣ କରାଯାଇଛି। ଧର୍ମ ପରିବର୍ତ୍ତନକୁ ନେଇ ବିଚାରପତିଙ୍କ ପତ୍ନୀ ତାଙ୍କୁ ଅନେକ ସମୟରେ କଟୁ କଥା କହିଛନ୍ତି। ବିଚାରପତି ବି ତାଙ୍କୁ ଅନେକ ସମୟରେ ମାରଧର କରନ୍ତି ବୋଲି ସେ କହିଛି।

ସମ୍ବନ୍ଧିତ ଖବର