ବିଦେଶରେ କେତେ ଅଛି ଭାରତର କଳାଟଙ୍କା ଜାଣନ୍ତି କି ?

ନୂଆଦିଲ୍ଲୀ: ବିଦେଶରେ କେତେ କଳାଟଙ୍କା ବା ଅବୈଧ ଅର୍ଥ ରହିଛି | ଏହାକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ କରିଛନ୍ତି | ମିଳିଥିବା ତଥ୍ୟ ଅନୁସାରେ ୧୯୮୦ ମସିହାରୁ ୨୦୧୦ ଯାଏଁ ପାଖାପାଖି ୧୭ ଲକ୍ଷ କୋଟିରୁ ୩୪ ଲକ୍ଷ କୋଟି ଟଙ୍କା କଳାଧନ ଭାବେ କିଛି ଭାରତୀୟ ସଞ୍ଚିତ କରି ରଖିଛନ୍ତି | ସୋମବାର ଦିନ ଲୋକସଭାରେ ଫାଇନାନ୍ସ ଷ୍ଟାଣ୍ଡିଙ୍ଗ କମିଟି ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି | କମିଟି କହିଛି ଯେ କେତେ ପରିମାଣର କଳାଧନ ରହିଛି ତାହାର କୌଣସି ବିଶ୍ୱସନୀୟ ପ୍ରମାଣ ନାହିଁ | ତଥାପି ତିନିଟି ସଂସ୍ଥା କଳାଧନ ଗଛିତ ବାବଦରେ ସେମାନଙ୍କର ମତାମତ ରଖିଛନ୍ତି |


ରିପୋର୍ଟ ଅନୁସାରେ ନ୍ୟାସନାଲ କାଉନ୍ସିଲ ଅଫ ଆପଲାଏଡ ଇକୋନୋମିକ ରିସର୍ଚ୍ଚ ନିଜ ଅଧ୍ୟୟନରେ କହିଛି ଯେ ୧୯୮୦ରୁ ୨୦୧୦ ମଧ୍ୟରେ ୨୬.୮୮ ଲକ୍ଷ କୋଟିରୁ ୩୪.୩୦ ଲକ୍ଷ କୋଟି ଟଙ୍କାର କଳାଧନ ବିଦେଶକୁ ପଠାଯାଇଛି | ସେହିପରି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାଇନାନସିଲ ମ୍ୟାନେଜମେଣ୍ଟ କହିଛି ଯେ ୧୯୯୦ରୁ ୨୦୦୮ ମଧ୍ୟରେ ୧୫.୧୫ ଲକ୍ଷ କୋଟି ଟଙ୍କା କଳାଧନ ପଠାଯାଇଥିଲା |

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସୀ ଆଣ୍ଡ ଫାଇନେନସ କହିଛି ଯେ ୧୯୯୭ ମସିହାରୁ ୨୦୦୯ ମଧ୍ୟରେ ଦେଶର ଘରୋଇ ଉତ୍ପାଦ(ଜିଡିପି)ର ୦.୨ ପ୍ରତିଶତରୁ ୭.୪ ପ୍ରତିଶତ କଳାଧନ ବିଦେଶ ପଠାଯାଇଛି | କଳାଧନକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ମାର୍ଚ୍ଚ ୨୦୧୧ରେ ତତ୍କାଳୀନ ସରକାର ଏହି ତିନିଟି ସଂସ୍ଥାକୁ ଦେଶ ଭିତରେ ଓ ଦେଶ ବାହାରେ ଥିବା କଳାଧନ ଅଧ୍ୟୟନ କରିବାର ଦାୟିତ୍ୱ ଦେଇଥିଲେ | ରିପୋର୍ଟରେ କୁହାଯାଇଥିଲା ଯେ ଅଘୋଷିତ ସମ୍ପତ୍ତିର ବିଶ୍ୱସନୀୟ ଆକଳନ କରିବା କଠିନ କାର୍ଯ୍ୟ |

ସମ୍ବନ୍ଧିତ ଖବର