କେନ୍ଦ୍ରର ଅସମ୍ପୂର୍ଣ୍ଣ ସତ୍ୟପାଠ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ଆମେ ଅଳିଆ ସଂଗ୍ରହକାରୀ ନୋହୁଁ

ନୂଆଦିଲ୍ଲୀ : ଦେଶରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ନେଇ ଆଜି କେନ୍ଦ୍ର ସରକାରଙ୍କ ଏକ ସତ୍ୟପାଠରେ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ କେନ୍ଦ୍ର ପ୍ରସ୍ତୁତ କରିଥିବା ଏକ ୮୪୫ ପୃଷ୍ଠାର ଅସମ୍ପୂର୍ଣ୍ଣ ସତ୍ୟପାଠକୁ ଆଜି ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷରେ କୋର୍ଟ ଅଳିଆ ସଂଗ୍ରହକାରୀ ନୁହନ୍ତି ବୋଲି କେନ୍ଦ୍ରକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ମଦନ ବି ଲୋକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି କେନ୍ଦ୍ରର ସତ୍ୟପାଠକୁ ଅଳିଆ ବୋଲି କହି ଗ୍ରହଣ କରିନଥିଲେ। କୋର୍ଟ କହିଥିଲେ ଆପଣଙ୍କ ପାଖରେ ଯେଉଁ ଅଳିଆ ଅଛି ଆପଣ ତାହାକୁ କୋର୍ଟରେ ପକାନ୍ତୁ ନାହିଁ। ଆମେ ଅଳିଆ ସଂଗ୍ରହକାରୀ ନୁହଁ। ତେଣୁ ଯାହା ବି କରୁଛନ୍ତି ସେଥିରେ ସ୍ପଷ୍ଟ ହେବାକୁ କୋର୍ଟ ତାଗିଦ କରିଛନ୍ତି। ଆଜି କେନ୍ଦ୍ର ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଆଇନଜୀବୀ ସାରା ଦେଶରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ୮୪୫ ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରିବେ ବୋଲି କହିଥିଲେ। କିନ୍ତୁ ଆଇନଜୀବୀ ଏହି ସତ୍ୟପାଠ ବାବଦରେ ଖଣ୍ଡପୀଠଙ୍କ କିଛି ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରିନଥିଲେ। ରାଜ୍ୟସ୍ତରୀୟ ଉପଦେଷ୍ଟା ବୋର୍ଡ ପ୍ରତିଷ୍ଠା ନେଇ କେବଳ ୨ ଟି ରାଜ୍ୟରୁ ସୂଚନା ସଂଗ୍ରହ ହୋଇଛି ବୋଲି ଆଇନଜୀବୀ କହିବାପରେ ଖଣ୍ଡପୀଠ ହୃଦ୍‌ବୋଧ କରିଥିଲେ ଯେ କେନ୍ଦ୍ରଦ୍ୱାରା ଦାଖଲ ହୋଇଥିବା ଉକ୍ତ ସତ୍ୟପାଠକୁ କେନ୍ଦ୍ର ସରକାର ନିଜେ ଦେଖିନାହାନ୍ତି କିନ୍ତୁ ସୁପ୍ରିମକୋର୍ଟଙ୍କୁ ଦେଖାଇବାକୁ ଚାହୁଛନ୍ତି। ଯଦି ସତ୍ୟପାଠରେ ଗୁରୁତ୍ୱପୂର୍ଣ୍ଣ ସୁଚନା ନାହିଁ ତେବେ ଏହି ସତ୍ୟପାଠ ଦାଖଲ କରିବାର କିଛି ମାନେ ନାହିଁ କହି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଗ୍ରହଣ କରିନଥିଲେ।
ଅନ୍ୟପକ୍ଷରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା ଆଇନ ୨୦୧୬ ଅନୁଯାୟୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ରାଜ୍ୟସ୍ତରୀୟ ଉପଦେଷ୍ଟା ବୋର୍ଡ ନିର୍ମାଣ କରିଛନ୍ତି କି ନାହିଁ ସେନେଇ ୩ ସପ୍ତାହ ମଧ୍ୟରେ କେନ୍ଦ୍ର ଚାର୍ଟ ଫାଇଲ୍‌ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉପଦେଷ୍ଟା ବୋର୍ଡ ପ୍ରତିଷ୍ଠା ହେବାର ତାରିଖ ଏବଂ ବୋର୍ଡର ସଦସ୍ୟ ଏବଂ ସେମାନଙ୍କ ଦ୍ୱାରା ପରିଚାଳନା ହେଉଥିବା ବୈଠକର ସବିଶେଷ ତଥ୍ୟ ଦେବାପାଇଁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଡିସେମ୍ବର ୧୨ ତାରିଖରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାବଦରେ ତଥ୍ୟ ରଖିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର