ନିଜ ସଫଳତା ବଖାଣିଲେ

ଏନ୍‌ଡିଏ ସରକାର ଦେଶ ଓ ଲୋକଙ୍କ ପାଇଁ କ’ଣ ସବୁ କରିଛି ତାହାକୁ ଆଜି ବଜେଟ୍ ଅଭିଭାଷଣରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଭାରତର ଅର୍ଥନୀତି ବହୁତ ଦୃଢ଼ ରହିଛି। ଭାରତ ହେଉଛି ଦୁନିଆର ଷଷ୍ଠ ବଡ଼ ଅର୍ଥନୀତିର ଦେଶ। ପୂର୍ବ ସରକାରରେ ଦରଦାମ୍ ବେଲଗାମ ଥିଲା, ଆମ ସରକାର ତାହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିଛି ବୋଲି ସେ କହିଛନ୍ତି। ଆମ ସରକାର ଦେଶକୁ ଦୁର୍ନୀତିମୁକ୍ତ କରିଥିବା ବେଳେ ଆତଙ୍କବାଦରୁ ମୁକ୍ତ, ଭ୍ରଷ୍ଟାଚାର ମୁକ୍ତ ଏବଂ ପରିବାରବାଦରୁ ମୁକ୍ତ କରିଛି। ଉଦ୍ୟୋଗପତିମାନଙ୍କୁ ଟଙ୍କା ଫେରାଇବା ପାଇଁ ରିଜର୍ଭ ବ୍ୟାଙ୍କକୁ କହିବାର ଆମ ପାଖରେ ସାହସ ଥିଲା। ପୂର୍ବରୁ ଗାଁରେ ଲୋକମାନେ ଠିକ୍ ଭାବେ ଯାତାୟାତ କରିପାରୁନଥିଲେ। ଆମ ସରକାରଙ୍କ ଯୋଗୁ ଗାଁର ପିଲାମାନେ ବସ୍‌ରେ ସ୍କୁଲ୍ ଯାଉଛନ୍ତି। ଆମେ ମିସନ୍ ମୋଡ୍‌ରେ ୧୪୩ କୋଟି ଏଲଇଡି ବଲ୍‌ବ ଉପଲବ୍ଧ କରାଇଛୁ। ଦୁନିଆର ସବୁଠୁ ବଡ଼ ସ୍ବାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ଜରିଆରେ ୧୦ ଲକ୍ଷ ରୋଗୀ ଚିକିତ୍ସା ସୁବିଧା ପାଇଛନ୍ତି। ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକ ଏହା ଦ୍ବାରା ଲାଭବାନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଜନୌଷଧୀ କେନ୍ଦ୍ରରେ ବହୁତ କମ୍ ଦାମରେ ଔଷଧ ଉପଲବ୍ଧ ହେଉଛି। ଆଗାମୀ ପାଞ୍ଚ ବର୍ଷରେ ଭାରତର ଅର୍ଥନୀତି ଆକାର ୫ ଲକ୍ଷ କୋଟି ଡଲାର ହେବ। ଆଠ ବର୍ଷରେ ତାହା ୮ ଲକ୍ଷ କୋଟି ଡଲାରରେ ପହଞ୍ଚିଯିବ।

ପୁଞ୍ଜି ପ୍ରତ୍ୟାହାରରୁ ୯୦ ହଜାର କୋଟି ଆଦାୟ ଲକ୍ଷ୍ୟ

ଆସନ୍ତା ଆର୍ଥିକ ବର୍ଷରେ ସରକାର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ବାବଦରେ ୯୦ ହଜାର କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୦ ହଜାର କୋଟି ଟଙ୍କା ଅଧିକ ଅର୍ଥ ଏ ବାବଦରେ ଆଦାୟ ଲକ୍ଷ୍ୟ ସରକାର ରଖିଛନ୍ତି। ଚଳିତ ଆର୍ଥିକ ବର୍ଷ ଇତିମଧ୍ୟରେ ସରକାର ପୁଞ୍ଜି ପ୍ରତ୍ୟାହାର ବାବଦରେ ପ୍ରାୟ ୩୬ ହଜାର କୋଟି ଟଙ୍କା ସଂଗ୍ରହ କରିସାରିଥିବାବେଳେ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ମଧ୍ୟରେ ଆଉ ୪୪ ହଜାର କୋଟି ଟଙ୍କା ଆଦାୟ କରିବା ନେଇ ଆଶାବାଦୀ ଅଛନ୍ତି।

୬ କୋଟି ୮୫ ଲକ୍ଷ ପ୍ରତ୍ୟକ୍ଷ ଟିକସଦାତା

ନୂଆଦିଲ୍ଲୀ : ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୨୦୧୩-୧୪ ଆର୍ଥିକ ବର୍ଷରେ ୬ ଲକ୍ଷ ୩୮ ହଜାର କୋଟି ଟଙ୍କା ରହିଥିବାବେଳେ ଏବେ ଏହା ପ୍ରାୟ ୧୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ୩ କୋଟି ୭୯ ଲକ୍ଷ ଥିବାବେଳେ ଏମାନଙ୍କ ସଂଖ୍ୟା ଏବେ ୬ କୋଟି ୮୫ ଲକ୍ଷକୁ ବୃଦ୍ଧି ପାଇଛି। ଟିକସ ପରିସରରେ ୧ କୋଟି ୬ ହଜାର ନୂଆ ଟିକସଦାତା ସାମିଲ ହୋଇଛନ୍ତି। ବିମୁଦ୍ରୀକରଣ ପରେ ୧ କୋଟିରୁ ଅଧିକ ଲୋକ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି।

୨୪ ଘଣ୍ଟାରେ ଆୟକର ରିଟର୍ଣ୍ଣ ଦାଖଲ ଶେଷ ହେବ

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ଦାଖଲ ହେବାର ୨ ୪ଘଣ୍ଟା ମଧ୍ୟରେ ଏହାକୁ ପ୍ରୋସେସ୍ କରାଯିବ ଏବଂ ଅର୍ଥ ଫେରସ୍ତ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି। ଏଥିପାଇଁ ନୂଆ ପ୍ରଯୁକ୍ତିର ଉପଯୋଗ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୯୯.୫୪ ପ୍ରତିଶତ ରିଟର୍ଣ୍ଣକୁ ବିନା ସ୍କ୍ରୁଟିନିରେ ଏବେ ଗ୍ରହଣ କରି ନିଆଯାଉଛି। ଏକ ନୂଆ ପ୍ରଯୁକ୍ତି ମାଧ୍ୟମରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରିଟର୍ଣ୍ଣ ସ୍କ୍ରୁଟିନିର ପୂରା ପ୍ରକ୍ରିୟାକୁ ସମ୍ପାଦନ କରାଯିବ।

ସମ୍ବନ୍ଧିତ ଖବର