ସମସ୍ତଙ୍କ ଆଗରେ ବିବାହର ପ୍ରସ୍ତାବ ଦେବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ଜେଲ୍‌ ଗଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭାଇରାଲ ହୋଇଥାଏ । କୌଣସି ଅଜବ ଜିନିଷର ଫଟୋ ହେଉ ବା ପ୍ରେମୀଯୁଗଳମାନଙ୍କର ନିଆଁରା ଢ଼ଙ୍ଗରେ ପ୍ରେମ ନିବେଦନର ଭିଡିଓ ହେଉ, ସେଭଳି ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ । ଏବେ ଇରାନର ଏକ ପ୍ରେମୀଯୁଗଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଯୁବକ ନିଜ ପ୍ରେମିକା ପାଇଁ ଫୁଲରେ ହୃଦୟର ଆକାର ତିଆରି କରିଥିବା ଦେଖା ଯାଇଛି । ପ୍ରେମିକା ଆସିବା ପରେ ପ୍ରେମିକଜଣକ ନିଜ ପ୍ରେମିକାକୁ ସେହି ଫୁଲ ତିଆରି ହୃଦୟ ଭିତରକୁ ନେବା ସହ ମୋତେ ବିବାହ କରିବ କି ବୋଲି ପ୍ରଶ୍ନ କରୁଛନ୍ତି । ଏହା ପରେ ପ୍ରେମିକା ହଁ କହିବା ପରେ ପ୍ରେମିକ ମୁଦି ପିନ୍ଧାଇ ତାଙ୍କୁ ଚୁମ୍ବନ ଦେଉଛନ୍ତି । ଦୁହିଁଙ୍କ ପ୍ରେମ ବିବାହରେ ପରିଣତ ହେବାକୁ ଯାଉଥିବା ଦେଖି ଉପସ୍ଥିତ ଲୋକେ ତାଳି ମାରିବା ସହ ଭିଡିଓ ପ୍ରସ୍ତୁତ କରୁଥିବା ଦେଖା ଯାଇଛି ।

ସେମାନଙ୍କ ମଧ୍ୟରୁ ଜଣେ ସେ ସମୟର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ପରେ ପୁଲିସ ଦୁହିଁଙ୍କୁ ଗିରଫ କରି ନେଇଥିବା ସାମ୍ନାକୁ ଆସିଛି । ଏତେ ଛୋଟ କାରଣ ପାଇଁ ପୁଲିସ କ’ଣ ପାଇଁ ପ୍ରେମୀଯୁଗଳଙ୍କୁ ଗିରଫ କରିଛି ବୋଲି ପ୍ରଶ୍ନ ଉଠିବା ପରେ ଇରାନର ଅକ୍ର ସହରର ପୁଲିସ ଅଫିସର ମୁସ୍ତଫା ନୋରୋଜି ଏହାର ଉତ୍ତର ରଖିଛନ୍ତି । ଏଭଳି ଖୋଲା ଖୋଲି ଭାବରେ ପ୍ରେମ ନିବେଦନ ବା ବିବାହ ପାଇଁ ପ୍ରସ୍ତାବ ରଖିବା ଇରାନରେ ଅପରାଧ ବୋଲି ଧରାଯାଏ । ଏଠାକାର ସଭ୍ୟତାରେ ଏଭଳି କରିବା ଆଇନ୍‌ ବିରୁଦ୍ଧ । ଦୁହେଁ ସଭ୍ୟତା ଭଙ୍ଗ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଛି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଭଳି ଅନେକ ଘଟଣା ଘଟି ସାରିଛି ।

ସମ୍ବନ୍ଧିତ ଖବର