ଡାକ୍ତର-ନିଦାନ କେନ୍ଦ୍ର କଳା ସମ୍ପର୍କ: ଧରିଲା ଆୟକର ବିଭାଗ

ବେଙ୍ଗାଲୁରୁ : ନିଦାନ କେନ୍ଦ୍ର ଓ ଡାକ୍ତରଙ୍କ ମଧ୍ୟରେ ଚାଲିଥିବା କମିସନ୍‌ କାରବାରକୁ ଧରିଛି ଆୟକର ବିଭାଗ। ଏ ବାବଦରେ ଡାକ୍ତରମାନେ ଶତାଧିକ କୋଟି ଟଙ୍କା ନେଇଥିବା ଆୟକର ବିଭାଗ ଜାଣିବାକୁ ପାଇଛି। ବେଙ୍ଗାଲୁରୁର ୫ଟି ନିଦାନ କେନ୍ଦ୍ରରେ ଆୟକର ଚଢ଼ଉ କରାଯାଇଥିଲା। ଏଥିରୁ ଜଣାଯାଇଛି ଏମ୍‌ଆର୍‌ଆଇ ଟେଷ୍ଟ ପାଇଁ ରୋଗୀଙ୍କୁ ନିଦାନ କେନ୍ଦ୍ରକୁ ପଠାଉଥିବା ଡାକ୍ତରଙ୍କୁ କମିସନ ବାବଦରେ ପ୍ରାୟ ୩୫ ପ୍ରତିଶତ, ସିଟି ସ୍କାନ ବାବଦରେ ୨୦ ପ୍ରତିଶତ ଅର୍ଥ ମିଳୁଥିଲା। ପ୍ରାଥମିକ ତଦନ୍ତରୁ ଆୟକର ବିଭାଗ ଏହା ମଧ୍ୟ ଜାଣିବାକୁ ପାଇଛି ଭିନ୍ନ ଭିନ୍ନ ଲାବରୋଟୋରି କମିସନ୍‌ ବାବଦରେ ପୃଥକ୍‌ ପୃଥକ୍‌ ରାଶି ଡାକ୍ତରଙ୍କୁ ପ୍ରଦାନ କରୁଥିଲେ। ନିଦାନ କେନ୍ଦ୍ରଗୁଡ଼ିକ ଡାକ୍ତରଙ୍କୁ ପ୍ରତି ୧୫ ଦିନରେ ଥରେ ଅର୍ଥ ଦେଉଥିଲେ। କେତେକ କ୍ଷେତ୍ରରେ ଡାକ୍ତରଙ୍କୁ ଆଗୁଆ ଅର୍ଥ ମଧ୍ୟ ପ୍ରଦାନ କରାଯାଉଥିଲା। ନିଦାନ କେନ୍ଦ୍ରକୁ ପଠାଯାଉଥିବା ଫି ବାବଦରେ ଯେଉଁ ଅର୍ଥ ଡାକ୍ତରଙ୍କୁ ଦିଆଯାଉଥିଲା ତାହାକୁ ମିଛରେ ପ୍ରଫେସନାଲ ଫି ବୋଲି କେତେକ ନିଦାନକେନ୍ଦ୍ର ଦର୍ଶାଇଥିବା ବିଷୟ ପଦାକୁ ଆସିଛି। ଏପରିକି ଗୋଟିଏ ନିଦାନ କେନ୍ଦ୍ର ଡାକ୍ତରଙ୍କ କମିସନ ବାବଦରେ ୨୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛି। ଆଇଭିଏଫ ସେଣ୍ଟର ଏବଂ ଡାକ୍ତରଙ୍କ ଘରେ ଚଢ଼ଉବେଳେ ଆୟକର ବିଭାଗ ୧.୪ କୋଟି ଟଙ୍କା, ୩.୫ କିଗ୍ରା ସୁନା ଏବଂ ଗହଣା, ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଏବଂ କୋଟି କୋଟି ଟଙ୍କା ଜମା ରହିଥିବା ବିଦେଶୀ ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି।

ସମ୍ବନ୍ଧିତ ଖବର