ନୂଆଦିଲ୍ଲୀ: ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ପାକିସ୍ତାନ ଅତ୍ୟନ୍ତ ଲଜ୍ଜାହୀନ ଆଚରଣ ପ୍ରଦର୍ଶନ କରିଛି। କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ଓ ମା’ଙ୍କ ସହ ସାକ୍ଷାତ ସୁଯୋଗ ଦେଇଥିବା ପାକିସ୍ତାନ ଭାରତକୁ ଅପମାନିତ କରିବା ପାଇଁ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାକୁ ଆଜି ଫରେନ୍୍ସିକ ଯାଞ୍ଚ ପାଇଁ ପଠାଇଛି। ସୋମବାର କୁଳଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ପତ୍ନୀ ଓ ମା’ ଇସଲାମାବାଦ ଗସ୍ତ କରିଥିବା ବେଳେ ପାକିସ୍ତାନ କର୍ତ୍ତୃପକ୍ଷ ସେମାନଙ୍କର କଡ଼ା ଯାଞ୍ଚ କରିଥିଲେ ଏବଂ ପତ୍ନୀଙ୍କ ଜୋତା ମଧ୍ୟ ରଖିନେଇଥିଲେ। ଏହି ଜୋତାରେ କୌଣସି ସନ୍ଦେହଜନକ ଧାତବ ସାମଗ୍ରୀ ଥିବା ଦର୍ଶାଇ ଏହାର ଫରେନ୍୍ସିକ ଯାଞ୍ଚ ପାଇଁ ପଠାଯାଇଥିବା ପାକ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କୁଳଭୂଷଣଙ୍କୁ ପରିବାର ସଦସ୍ୟମାନେ ଭେଟିବା ପରେ ପାକ୍ କର୍ତ୍ତୃପକ୍ଷଙ୍କ ଅତ୍ୟନ୍ତ ବିବାଦୀୟ ଓ ଅଶୋଭନୀୟ ଆଚରଣକୁ ଭାରତ କଡ଼ା ବିରୋଧ େ କରିଛି। ପାକିସ୍ତାନ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଭାରତ ଗତକାଲି ବୟାନ ଜାରି କରିବା ପରେ ଆଜି ପାକିସ୍ତାନ ଏହାର ଜବାବ୍ ରଖିଛି। କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା ନ ଫେରାଇବା ମାମଲାରେ ଭାରତର ଅଭିଯୋଗକୁ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଖଣ୍ଡନ କରିଛି।
ପାକ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା ରଖାଯାଇଛି। ଜୋତାରେ ଧାତବ ପଦାର୍ଥ ମିଳିଥିବାରୁ ଏହାକୁ କ୍ୟାମେରା କିମ୍ବା ରେକର୍ଡିଂ ଚିପ୍ ବୋଲି ସନ୍ଦେହ କରି ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି। ପାକିସ୍ତାନ ପୁଣିଥରେ କୁଳଭୂଷଣଙ୍କ ବିରୋଧରେ ଏହାର ବୟାନକୁ ଦୋହରାଇ କହିଛି ଯେ ଆତଙ୍କବାଦୀ ଏବଂ ଗୁଇନ୍ଦାଗିରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡଭୋଗୁଥିବା ଯାଦବଙ୍କ ପତ୍ନୀ ଓ ତାଙ୍କ ମା’ଙ୍କୁ ପାକିସ୍ତାନ ଅପମାନିତ କରିଥିବା ନେଇ ଭାରତ ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହୀନ। ପାକିସ୍ତାନ ମାନବିକତା ଦୃଷ୍ଟିକୋଣରୁ କୁଳଭୂଷଣଙ୍କ ସହ ତାଙ୍କ ପତ୍ନୀ ଓ ମା’ଙ୍କର ସାକ୍ଷାତ ସୁଯୋଗ ଦେଇଥିବା ପ୍ରଚାର କରୁଥିଲେ ସୁଦ୍ଧା ପାକିସ୍ତାନ ଯାଦବ ପରିବାରକୁ ଅପମାନିତ କରିବାକୁ ଭରପୂର ପ୍ରୟାସ କରିଥିବା ସ୍ପଷ୍ଟ ହୋଇଯାଇଛି। ଏହା ଉଭୟ ଦେଶର ପାରସ୍ପରିକ ବୁଝାମଣାକୁ ଉଲ୍ଳଂଘନ କରିଛି ବୋଲି ଭାରତ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୫ ତାରିଖ ଦିନ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟରେ ସାକ୍ଷାତ ପୂର୍ବରୁ କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କର ମଙ୍ଗଳସୁତ୍ର, ଚୁଡ଼ି ଓ ବିନ୍ଦି କାଢ଼ିନିଆଯାଇଥିଲା। ସାକ୍ଷାତ ସମୟରେ ଭାରତୀୟ ରାଷ୍ଟ୍ରଦୁତ ଉପସ୍ଥିତ ରହିବେ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ସାକ୍ଷାତକାର ବେଳେ ଭାରତୀୟ ଡେପୁଟି ହାଇକମିସନରଙ୍କୁ ଅଲଗା ରଖାଯାଇଥିଲା। କୁଳଭୂଷଣଙ୍କୁ ଆତଙ୍କବାଦୀ ଦର୍ଶାଇ ମିଥ୍ୟା ଅଭିଯୋଗରେ ପାକ୍ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଏହି ମାମଲା ବିଚାରାଧୀନ ରହିଛି।
ପାକିସ୍ତାନକୁ ୪ ଖଣ୍ଡ କରାଯାଉ
ନୂଆଦିଲ୍ଲୀ: ପାକିସ୍ତାନ ଯେଭଳି ଭାବେ କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କୁ ଅପମାନିତ କରିଛି , ତାହା କଦାପି କ୍ଷମଣୀୟ ନୁହେଁ। ଭାରତ ଯୁଦ୍ଧ ଆରମ୍ଭ କରି ପାକିସ୍ତାନକୁ ଚାରି ଫାଳ କରିଦେଲେ ହିଁ ଏହି ଅପମାନର ପ୍ରତିଶୋଧ ନେବାଭଳି ଅନୁଭବ ହେବ ବୋଲି ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। ସେ କହିଛନ୍ତି ପାକିସ୍ତାନ ପରି ଏକ ଇର୍ଷାଳୁ ଓ ପ୍ରତିଶୋଧ ପରାୟଣ ଦେଶ ସହ ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ଖୋଜିବା ସମ୍ପୂର୍ଣ୍ଣ ଭୁଲ୍। ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ ଏବଂ ଯୁଦ୍ଧ ହିଁ ପାକିସ୍ତାନ ସହ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ହେବ ବୋଲି ସାଂସଦ ସ୍ୱାମୀ କହିଛନ୍ତି। ୨୫ ତାରିଖରେ କୁଳଭୂଷଣଙ୍କୁ ଭେଟିବା ସମୟରେ ପାକିସ୍ତାନ ତାଙ୍କ ପତ୍ନୀଙ୍କ ଗଳାରୁ ମଙ୍ଗଳସୁତ୍ର, ମଥାରୁ ବିନ୍ଦି ଓହ୍ଲାଇବାକୁ ମହାଭାରତରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସହ ସ୍ୱାମୀ ତୁଳନା କରିଛନ୍ତି।