ମହାରାଷ୍ଟ୍ର: ୪ ବର୍ଷରେ ୧୨ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସାବରକରଙ୍କୁ ଭାରତ ରତ୍ନ ନେଇ ରାଜନୀତି ସରଗରମ ହେଉଥିବା ବେଳେ ଚାଷୀ ଆତ୍ମହତ୍ୟା ନେଇ କୌଣସି ରାଜନୈତିକ ଦଳ କିଛି ନ କହିବା ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ସୂଚନା ଅଧିକାର କର୍ମୀ ସକିଲ ଅହମ୍ମଦ କହିଛନ୍ତି। ଆର୍‌ଟିଆଇ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ଗତ ୪ ବର୍ଷ ମଧ୍ୟରେ ଦୈନିକ ହାରାହାରି ୮ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି। ସୂଚନା ଅଧିକାର ଆଇନ୍‌ ବଳରେ ମଗାଯାଇଥିବା ଏକ ତଥ୍ୟ ଅନୁସାରେ, ୨୦୧୫ରୁ ୨୦୧୮ ମଧ୍ୟରେ ୪ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ମୋଟ ୧୨,୦୨୧ ଚାଷୀ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ରରେ ବିଜେପି-ଶିବସେନା ସରକାର ସମୟରେ ମାତ୍ରାଧିକ ଚାଷୀ ଆତ୍ମହତ୍ୟା ଘଟଣା ଘଟିଛି। ୨୦୧୫ରେ ମହାରାଷ୍ଟ୍ରରେ ସର୍ବାଧିକ ୩୨୬୩ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ମହାରାଷ୍ଟ୍ରର ଅମରାବତୀ, ଔରଙ୍ଗାବାଦ, ନାସିକ, ନାଗପୁର, ପୁନେରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ଶତକଡ଼ା ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ ଥିଲାବେଳେ କୃଷିର ବିକାଶ ନେଇ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର