ୟୁପିରେ ଗୁଳିକାଣ୍ଡ, ୯ ମୃତ
ବାରଣାସୀ : ଉତ୍ତରପ୍ରଦେଶର ସୋନ୍ଭଦ୍ରା ଜିଲ୍ଲାରେ ଆଜି ଏକ ଲୋମଟାଙ୍କୁରା ଘଟଣା ଘଟିଛି। ସମ୍ପତ୍ତି ବିବାଦ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୨୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁଯାୟୀ ସୋନଭଦ୍ରା ଜିଲ୍ଲା ଅଧୀନସ୍ଥ ଉଭା ଗ୍ରାମରେ ୨ଟି ଆଦିବାସୀ ଗୋଷ୍ଠୀ ଭୁର୍ତିୟା ଏବଂ ଗଣ୍ଡ ଆଦିବାସୀଙ୍କ ମଧ୍ୟରେ ଜମି ବିବାଦକୁ ନେଇ ସଂଘର୍ଷ ହୋଇଥିଲା। ୯୦ ବିଘା ଜମି ପାଇଁ ୨ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଏହି ତୁମୁଳ କାଣ୍ଡ ଘଟି ୯ ଜଣଙ୍କ ଜୀବନ ଯାଇଛି। ଉକ୍ତ ମାମଲାରେ ଉଭା ଗ୍ରାମର ମୁଖିଆ ଯଜ୍ଞଦତ୍ତ ଭୁର୍ତିୟାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଯଜ୍ଞଦତ୍ତଙ୍କ ଲୋକମାନେ ପ୍ରଥମେ ଗୁଳିଚାଳନା କରିବାପରେ ବଡ଼ ସଂଘର୍ଷ ଘଟିଥିବା ପୁଲିସ କହିଛି। ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚାନୁଯାୟୀ ଯଜ୍ଞଦତ୍ତ ଗତ କିଛି ବର୍ଷ ପୂର୍ବେ କିଛି ଜମି କିଣିଥିଲେ। ତେବେ ଏହି ଜମି ଗଣ୍ଡ ଆଦିବାସୀଙ୍କ ମାଲିକାନାରେ ଥିବା ହେତୁ ସେମାନଙ୍କ ନିକଟରୁ ଯିଏ ବି ଏହି ଜମି ଦଖଲ କରିବାକୁ ଚେଷ୍ଟା କରୁଥିଲେ ସେମାନେ ବିରୋଧ କରୁଥିଲେ। କିନ୍ତୁ ଆଜି ଯଞ୍ଜଦତ୍ତ କିଛି ଲୋକଙ୍କୁ ଧରି ଉକ୍ତ ସ୍ଥାନରେ ପହଞ୍ଚିଥିଲେ ଏବଂ ସେଠାରୁ ମାଟି ତାଡ଼ିବା ଆରମ୍ଭ କରିଥିଲେ। କିନ୍ତୁ ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାର ବିରୋଧ କରିବାରୁ ଯଜ୍ଞଦତ୍ତ ଏବଂ ତାଙ୍କ ଲୋକମାନେ ସେମାନଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ଡିଜିପି ଓପି ସିଂହ ଏହି ମାମଲାରେ ୫ ଜଣ ଗିରଫ ହୋଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଯୋଗୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି।