ପୋକ୍ସୋ ଆଇନ ସଂଶୋଧନକୁ ବିରୋଧ

ନୂଆଦିଲ୍ଲୀ: ପୋକ୍ସୋ ଆଇନରେ ସଂଶୋଧନ ଆଣି ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଆଜି କେନ୍ଦ୍ର କ୍ୟାବିନେଟ୍‌ ଏ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରି ଦେଇଥିବାବେଳେ ଶିଶୁ ଅଧିକାର କର୍ମୀମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ସରକାରଙ୍କର ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରି ସେମାନେ କହିଛନ୍ତି ଯେଉଁ ଦେଶରେ ଜଣେ ଦୋଷୀ ସାବ୍ୟସ୍ତ ହେବାର ନିଶ୍ଚିତତା ନାହିଁ ସେଠି ସରକାର କଠୋରରୁ ଅତି କଠୋର ଆଇନ ଆଣିବାକୁ ଚାହୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ଦେଶରେ ଅଧିକାଂଶ ପୀଡ଼ିତା ନିଜ ସମ୍ପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଥିବାବେଳେ ସରକାର ଆଣିଥିବା ଏହି ଅଧ୍ୟାଦେଶ ଦ୍ୱାରା କେବଳ ଦୋଷୀ ଦୋଷମୁକ୍ତ ହେବାର ସୁଯୋଗ ବଢ଼ିବ। ଏହାଦ୍ୱାରା ଅଧିକାଂଶ ମାମଲାକୁ ଚପାଇ ଦିଆଯିବ। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୯୫ ପ୍ରତିଶତ ଦୁଷ୍କର୍ମ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ହେଉଛି। କିନ୍ତୁ ଏହି ଦୁଷ୍କର୍ମ ମାମଲାରେ କେବଳ ୨୪ ପ୍ରତିଶତ ଦୋଷୀସାବ୍ୟସ୍ତ ହେଉଛନ୍ତି।

ପୋକ୍ସୋ ଆକ୍ଟ କ’ଣ?
ନୂଆଦିଲ୍ଲୀ: ଶିଶୁ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ପୋକ୍ସୋ ଆଇନରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି। ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ୨୦୧୨ ମସିହାରେ ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ବିଶ୍ୱ ଦରବାରରେ ଭାରତକୁ ନିନ୍ଦିତ କରିବା ପରେ ପୋକ୍ସୋ (ଶିଶୁ ଯୌନ ଅପରାଧ ସୁରକ୍ଷା)ଆଇନ୍‌ ୨୦୧୨ ପ୍ରଣୟନ କରାଯାଇଥିଲା। ଏହି ଆଇନ୍‌ ଆଧାରରେ ଯୌନ ନିର୍ଯାତନା, ଦୁଷ୍କର୍ମ, ପର୍ନୋଗ୍ରାଫି ଆଦି ଘଟଣାରେ କଠୋର ଦଣ୍ଡ ବ୍ୟବସ୍ଥା ହୋଇଥିଲା।

ଧାରା-୪: ପୋକ୍ସୋ ଆଇନ୍‌-୨୦୧୨ ଧାରା ୪ ମୁତାବକ କୌଣସି ନାବାଳିକା ଶିଶୁଙ୍କୁ ଦୁଷ୍କର୍ମ ବା ଗଣ ଦୁଷ୍କର୍ମରେ ୭ ବର୍ଷ କିମ୍ବା ତଦୁର୍ଦ୍ଧ ଜେଲ ଦଣ୍ଡ ସହ ଅର୍ଥଦଣ୍ଡ ଦିଆଯାଇପାରିବ।
ଧାରା-୩: ନାବାଳିକାଙ୍କୁ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଛୁଇଁଲେ କିମ୍ବା ଶାରୀରିକ ନିର୍ଯାତନା ଦେଲେ କଠୋର ଦଣ୍ଡର ପ୍ରାବଧାନ ରହିଛି।
ଧାରା-୬: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ବା ମରଣାନ୍ତକ ଆକ୍ରମଣ କରାଗଲେ ଅନ୍ୟୁନ ୧୦ ବର୍ଷରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ଅର୍ଥଦଣ୍ଡ ମଧ୍ୟ ଦିଆଯାଇପାରିବ।
ଧାରା-୭,୮: ନାବାଳିକାଙ୍କ ଗୁପ୍ତାଙ୍ଗ ସ୍ପର୍ଶ କରିବା ମାମଲାରେ ୫-୭ ବର୍ଷ କାରାଦଣ୍ଡ ସାଙ୍ଗକୁ ଅର୍ଥଦଣ୍ଡର ପ୍ରାବଧାନ ରହିଛି।

ବିଚାର ପ୍ରକ୍ରିୟା ତ୍ୱରାନିତ୍ୱ ପାଇଁ ପଦକ୍ଷେପ
ବିଚାରପ୍ରକ୍ରିୟାକୁ ଫଳପ୍ରଦ କରିବା ଏବଂ ଦୁଷ୍କର୍ମ ମାମଲାରେ ଯଥୋଚିତ ନ୍ୟାୟ କରିବାପାଇଁ ଫୌଜଦାରୀ ନ୍ୟାୟ ପଦ୍ଧତିର ଦକ୍ଷତା ବୃଦ୍ଧି ନେଇ ମଧ୍ୟ କ୍ୟାବିନେଟ୍‌ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ଏ ବାବଦ ନିଷ୍ପତ୍ତିଗୁଡ଼ିକ ହେଲା:-
ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଏବଂ ବିଭିନ୍ନ ହାଇକୋର୍ଟ ସହ ବିଚାରବିମର୍ଶ କରି ନୂଆ ଫାଷ୍ଟ୍‍ଟ୍ରାକ୍‌ କୋର୍ଟ ଗଠନ ହେବ।
ସରକାରୀ ଆଇନଜୀବୀଙ୍କ କ୍ଷେତ୍ରରେ ନୂତନ ପଦବି ସୃଷ୍ଟି କରାଯିବ
ସମସ୍ତ ଥାନା ଏବଂ ହସ୍ପିଟାଲଗୁଡ଼ିକୁ ଦୁଷ୍କର୍ମ ମାମଲା ପାଇଁ ସ୍ୱତନ୍ତ୍ର ଫରେନ୍ସିକ୍‌ କିଟ୍‌ ଦିଆଯିବ।
ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପର୍ଯ୍ୟାପ୍ତ ମାନବସମ୍ବଳ ଯୋଗାଇ ଦିଆଯିବ।
ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୁଷ୍କର୍ମ ମାମଲା ପାଇଁ ସ୍ୱତନ୍ତ୍ର ଫରେନ୍ସିକ୍‌ ଲ୍ୟାବ୍‌ ଗଠନ ହେବ।
ଏନ୍‌ସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ଦୁଷ୍କର୍ମ ଅଭିଯୁକ୍ତଙ୍କର ସବିଶେଷ ତଥ୍ୟ ସଂରକ୍ଷିତ ରଖିବେ।
ଦୁଷ୍କର୍ମ ମାମଲାର ତଦନ୍ତ ଏବଂ ଯାଞ୍ଚ ପାଇଁ ଏହି ତଥ୍ୟ ନିୟମିତ ବ୍ୟବଧାନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଦାନପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର