ପାହାନ୍ତା ଯାଏଁ ମାମଲାର ଶୁଣାଣି କଲେ

ରେକର୍ଡ କଲେ ବମ୍ବେ ହାଇକୋର୍ଟ ବିଚାରପତି

ମୁମ୍ବାଇ: ବମ୍ବେ ହାଇକୋର୍ଟ ବିଚାରପତି ଏସ୍‌.ଜେ.କଠାଓ୍ଵାଲାଙ୍କ କାର୍ଯ୍ୟ କରିବାର ନିଷ୍ଠା ଲୋକଙ୍କ ମନରେ ନୂତନ ବିଶ୍ୱାସ ସଞ୍ଚାର କରିଛି। ନିକଟରେ ବଲିଉଡ ଚଳଚ୍ଚିତ୍ର ‘ଜଲି ଏଲଏଲବି’ର ବିଚାରପତି ଭୂମିକାରେ ଥିବା ବରିଷ୍ଠ ଅଭିନେତା ସୌରଭ ଶୁକ୍ଳା ଯେଭଳି ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ରାତି ତମାମ କୋର୍ଟ କାର୍ଯ୍ୟ ଜାରି ରଖିଥିଲେ, ଠିକ୍‌ ସେଭିହଳି ଘଟଣା ବମ୍ବେ ହାଇକୋର୍ଟରେ ମଧ୍ୟ ଦେଖିବାକୁ ମିଳିଛି। ଆଜିଠାରୁ ଦେଶବ୍ୟାପୀ କୋର୍ଟଗୁଡ଼ିକର ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଥିବାରୁ ପଡ଼ି ରହିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ପାଇଁ ବାରମ୍ବାର ନିବେଦନ ହେଉଥିଲା। ତେଣୁ ଜଷ୍ଟିସ୍‌ କଠାଓ୍ଵାଲା ଗତକାଲି ସବୁ ବିଚାରପତି କାର୍ଯ୍ୟ ଆରମ୍ଭ କରିବାର ୧ ଘଣ୍ଟା ପୂର୍ବରୁ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ କରିଥିଲେ। ସନ୍ଧ୍ୟା ୫ଟା ପରେ ସବୁ ବିଚାରପତି ଘରକୁ ଫେରି ଯାଇଥିବା ବେଳେ ଜଷ୍ଟିସ୍‌ କଠାଓ୍ଵାଲା ରାତି ସାଢେ ୩ଟା ପର୍ଯ୍ୟନ୍ତ ମାମଲାଗୁଡ଼ିକର ଶୁଣାଣି ଜାରି ରଖିଥିଲେ। ଅତ୍ୟନ୍ତ ଧୈର୍ଯ୍ୟର ସହ ସେ ଗୋଟିଏ ଦିନରେ ୧୩୫ରୁ ଊର୍ଦ୍ଧ୍ୱ ମାମଲାର ଶୁଣାଣି କରି ଜଷ୍ଟିସ୍‌ କଠାଓ୍ଵାଲା ରେକର୍ଡ ସୃଷ୍ଟି କରିଛନ୍ତି। ସକାଳୁ ସକାଳୁ ମାମଲାଗୁଡ଼ିକର ଶୁଣାଣି ସାରିବା ପରେ ଜଷ୍ଟିସ୍‌ କଠାଓ୍ଵାଲା ଘରକୁ ନଫେରି ନନିଜ ଚ୍ୟାମ୍ବରକୁ ଯାଇ ବଳକା ରହିଯାଇଥିବା କାମ ଶେଷ କରିଥିଲେ। ଜଷ୍ଟିସ୍‌ କଠାଓ୍ଵାଲାଙ୍କ ଏଭଳି ନିଷ୍ଠା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ନ୍ୟାୟପାଳିକା ପାଇଁ ସେ ଆଦର୍ଶ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ୨୦୦୯ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଜଷ୍ଟିସ୍‌ କଠାଓ୍ଵାଲା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ୨୦୧୧ ମସିହାରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର