ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ପ୍ରସଙ୍ଗ : ଛାତ୍ର କଂଗ୍ରେସ ଆବାହକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ – ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସର ଶୋଚନୀୟ ପରାଜୟ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକା ନେଇ ଗଣମାଧ୍ୟମରେ  ଛାତ୍ର କଂଗ୍ରେସର ନେତା ଇତିଶ ପ୍ରଧାନ  ପ୍ରଶ୍ନ ଉଠାଇବା ପ୍ରସଙ୍ଗରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି,  ଯଦି ଏଭଳି କିଛି ହୋଇଥାଏ ଦଳର ଅନୁଶାସନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିତେନ୍ଦ୍ର ସିଂହ  କହିଛନ୍ତି ଯେ ଏନଏସୟୁଆଇ  କଂଗ୍ରେସ ଦଳ ଉପରେ ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ। ଦଳ ତାଙ୍କ ପାଖରୁ କୌଣସି ରାୟ ମାଗେ ନାହିଁ। ଦଳ କେମିତି ଚାଲିଛି, ଦଳରେ କିଏ ରହିବେ, ଦଳରୁ କାହାକୁ ବାହାର କରାଯିବ, ତାହା କହିବାର ଅଧିକାର ଏନଏସୟୁଆଇର ନାହିଁ । ପାର୍ଟିରେ କିଏ ରହିବ, କିଏ ନ ରହିବ ତାହା କଂଗ୍ରେସ ପାର୍ଟି ନିଷ୍ପତ୍ତି ନେଇଥାଏ। ସମସ୍ତ ବିଷୟ ଅବଗତ ହେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।।  ବର୍ତ୍ତମାନ ପିସିସି ସଭାପତି ବିଦେଶରେ ଅଛନ୍ତି। ଦିଲ୍ଲୀ ଫେରିବା ପରେ ସେ ତାଙ୍କ ସହିତ କଥାବାର୍ତ୍ତା କରିବେ ବୋଲି ସିଂହ କହିଛନ୍ତି। ଆଜି ଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସର   ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କର ବୈଠକରେ ଏଆଇସିସି ର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ। ବୈଠକରେ ଦଳର  ସଦସ୍ୟତା ଅଭିଯାନ, ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ ତଥା କଂଗ୍ରେସ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିବାର ଜିତେନ୍ଦ୍ର ସିଂହ ସୂଚନା ଦେଇଥିଲେ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଦେଶରେ ଥିବା ଯୋଗୁଁ ଏହି ବୈଠକରେ ଯୋଗ ଦେଇ ପାରିନଥିଲେ। ଆସନ୍ତା କାଲି କଂଗ୍ରେସର   ସୋନିଆ ଗାନ୍ଧୀ ଏଆଇସିସି ସାଧାରଣ ସମ୍ପାଦକ ଓ ସମ୍ପାଦକ ମାନଙ୍କର ବୈଠକ ଡକାଇଛନ୍ତି ।

ସମ୍ବନ୍ଧିତ ଖବର