ସଲମାନ କଏଦୀ ନମ୍ବର ୧୦୬ : ଜେଲ୍‌ରେ ଆଶାରାମ୍‌ଙ୍କ ପାଖ ବାରାକ୍‌ରେ ରହିବେ

ଚଟାଣରେ ଶୋଇବେ, ସିଲିଂ ଫ୍ୟାନ୍‌ ବ୍ୟବସ୍ଥା

ଯୋଧପୁର : କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୫ ବର୍ଷ ଜେଲ୍‌ଦଣ୍ଡ ପାଇଥିବା ସଲମାନ ଖାନ୍‌ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ରହିବେ। ଜେଲ୍‌ରେ ତାଙ୍କର ପରିଚୟ ହେଉଛି କଏଦୀ ନମ୍ବର ୧୦୬ ଏବଂ ସେ ଏକ ବାରାକ୍‌ରେ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି । ପୂର୍ବରୁ ଏହି ବାରାକ୍‌ରେ ଥିବା କଏଦୀମାନଙ୍କୁ ଅନ୍ୟ ସେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଦୁଷ୍କର୍ମ ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁ ରହୁଥିବା ବାରାକ୍‌ ନିକଟରେ ରହିବେ ସଲମାନ। ଯୋଧପୁର ସେଣ୍ଟ୍ରାଲ ଜେଲ୍‌ ସୁପରିନଟେଣ୍ଡେଣ୍ଟ୍‌ ବିକ୍ରମ ସିଂହଙ୍କ କହିବା ଅନୁଯାୟୀ ସଲମାନ୍‌ଙ୍କ ପାଇଁ ଜେଲ୍‌ରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜେଲ୍‌ରେ କେବଳ ଦୁଇଟି ସ୍ୱତନ୍ତ୍ର ବାରାକ୍‌ ଥିବାବେଳେ ସେଥିରୁ ଗୋଟିଏ ଆଶାରାମ୍‌ଙ୍କୁ ଦିଆଯାଇଛି। ସଲ୍‌ମାନଙ୍କୁ ଅନ୍ୟ ସାଧାରଣ କଏଦୀଙ୍କ ଭଳି ରଖାଯିବ। ସେ ଚଟାଣରେ ଶୋଇବେ ଏବଂ ଗରମ ସମ୍ଭାଳିବାପାଇଁ ତାଙ୍କୁ କେବଳ ଗୋଟିଏ ସିଲିଂ ଫ୍ୟାନ୍‌ ସୁବିଧା ଦିଆଯାଇଛି।
ଯୋଧପୁରରେ ଏବେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ରହୁଥିବାରୁ ସଲମାନ୍‌ଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇପଡ଼ିବ। ତେବେ ସଲମାନ୍‌ ପୂର୍ବରୁ ମଧ୍ୟ ଏହି ଜେଲ୍‌ରେ ରହିଛନ୍ତି। ବନବିଭାଗ ଦ୍ୱାରା ସଲମାନଙ୍କୁ ପ୍ରଥମେ ୧୯୯୮ ମସିହା ଅକ୍ଟୋବର ୧୨ ତାରିଖରେ କୃଷ୍ଣସାର ମୃଗ ଶିକାର ମାମଲାରେ ଗିରଫ କରାଯାଇଥିଲା। ଦୁଇଦିନ ପାଇଁ ସେ ବିଚାର ବିଭାଗୀୟ ହାଜତରେ ରହିବାପରେ ତାଙ୍କୁ ପରେ ୪ ଦିନ ପାଇଁ ଅକ୍ଟୋବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଦ୍ୱିତୀୟ ଥର ପାଇଁ ସଲମାନ୍‌ ୧୯୯୮ ମସିହା ସେପ୍ଟେମ୍ବର ୨୮ ତାରିଖ କୃଷ୍ଣସାର ହତ୍ୟାରେ ଦୋଷୀ ସାବ୍ୟସ୍ତ ହେବାପରେ ଜେଲ୍‌ ଯାଇଥିଲେ। ସିଜେଏମ୍‌ ଅଦାଲତ ତାଙ୍କୁ ଏପ୍ରିଲ ୧୦, ୨୦୦୬ ମସିହାରେ ୫ ବର୍ଷ ଜେଲ୍‌ଦଣ୍ଡ ଦେଇଥିଲେ ଏବଂ ଖାନ୍‌ ମାତ୍ର ୩ ଦିନ ଜେଲ୍‌ରେ ରହିବାପରେ ଏପ୍ରିଲ ୧୩ ତାରିଖରେ ଜାମିନରେ ବାହାରିଥିଲେ। ତୃତୀୟ ଥର ପାଇଁ ସଲମାନ୍‌ ୨୦୦୭ ଅଗଷ୍ଟ ୨୬ ତାରିଖରେ ଜେଲ୍‌ ଯାଇଥିଲେ ଏବଂ ଅଗଷ୍ଟ ୩୧ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ସଲ୍‌୍‌ମାନ ଯୋଧପୁର ଜେଲ୍‌କୁ ୪ ଥର ଯାଇଥିବା ବେଳେ ସମୁଦାୟ ୧୮ ଦିନ ସେଠାରେ ବିତାଇଛନ୍ତି।

ସମ୍ବନ୍ଧିତ ଖବର