‘ସଂସ୍କାରୀ’ ଚୋର

ଚୋରି ପରେ ମନ୍ଦିର ଯାଏ : ବିମାନରେ ଯିବାଆସିବା କରେ :ନାମୀ ହେ‌ାଟେଲ୍‌ରେ ରୁହେ :୫୦ ଲକ୍ଷରୁ କମ୍‌ ଚୋରାଏନି

ସୁରଟ: ଚୋରି କରିବା ଖରାପ କାମ। ଏ କଥା ସମସ୍ତେ ଜାଣନ୍ତି। ଚୋରି କରୁଥିବା ଲୋକମାନେ ବି ଏହା ଭଲ ଭାବେ ଜାଣିଥାନ୍ତି। କିନ୍ତୁ ସେମାନଙ୍କ ପ୍ରକୃତି ସେମାନଙ୍କୁ ରୋକିପାରି ନଥାଏ। ତେବେ ଏଠାରେ ଯେଉଁ ଚୋର କଥା କୁହାଯାଉଛି ସେ ସାମାନ୍ୟ ଭିନ୍ନ। ଚୋରି ଏକ ଖରାପ କାମ ବୋଲି ଜାଣୁଥିବା ଏହି ଚୋର ପ୍ରତ୍ୟେକ ଚୋରି ପରେ ନିଜ ପାପ ଧୋଇବା ପାଇଁ ମନ୍ଦିର ଯାଇଥାଏ। ଏହି ‘ସଂସ୍କାରୀ’ ଚୋରକୁ ନେଇ ଏବେ ସୁରଟ୍‌ରେ ଚର୍ଚ୍ଚା‌ ଜୋର ଧରିଛି। ୨୪ ବର୍ଷ ବୟସର ଏହି ଚୋର ଏବେ ସୁରଟ୍‌ ପୁଲିସକୁ ନାକେଦମ୍‌ କରିଛି।
ଜୟନ୍ତୀଲାଲ ଓରଫ ରମେଶ ଖେତ୍‌ମଲ୍‌ ଜୟସ୍ବାଲ ନାମକ ଏହି ସଂସ୍କାରୀ ଚୋରର ଆହୁରି ଅନେକ ସ୍ବତନ୍ତ୍ରତା ରହିଛି। ସେ ସବୁବେଳେ ମୋଟା ଅଙ୍କର ଅର୍ଥ ବା ସମ୍ପତ୍ତି ଚୋରି କରିବାକୁ ଲକ୍ଷ୍ୟ ରଖିଥାଏ। ୫୦ ଲକ୍ଷ ଟଙ୍କ‌ା ତଳକୁ ସେ କେବେ ଚୋରି କରିନାହିଁ। ‌େଯବେ ବି ଚୋରି କରିଛି, ୫୦ ଲକ୍ଷ ଟଙ୍କାରୁ ଅଧିକ ହିଁ ଚୋରି କରିଛି। ଜୟନ୍ତୀଲାଲ୍‌ର ଆଉଏକ ସ୍ବତନ୍ତ୍ରତା ହେଉଛି ତା’ର ଜୀବନଶୈଳୀ। ତା’ର ଜୀବନଶୈଳୀ କୌଣସି କୋଟିପତିଠାରୁ କମ୍‌ ନୁହେଁ। ଯେବେ ବି ଦୂର ଜାଗାକୁ ଯାଇଛି କେବଳ ବିମାନରେ ହିଁ ଯାଇଛି। ସେହିପରି କେଉଁଠି ରହିବାର ଥିଲେ ସେ କେବଳ ନାମୀଦାମୀ ହୋଟେଲ୍‌କୁ ହିଁ ବାଛିଥାଏ। ତା’ର ଜୀବନଶୈଳୀକୁ ନେଇ ପୁଲିସ୍‌ ବି ହତବାକ୍‌। ସେହିଭଳି ପ୍ରତ୍ୟେକ ଚୋରି ପରେ ସେ ଘରକୁ ଫେରିଯାଇ ନିଜ ପରିବାର ଲୋକଙ୍କ ସହିତ ରହିଥାଏ। ପୁଣି ନୂଆ ଶିକାର ଖୋଜିବାକୁ ଘରୁ ବାହାରିଥାଏ।
ରାଜସ୍ଥାନର ଶେରଗଡ଼ ଅନ୍ତର୍ଗତ ଦେସୁରେ ରହୁଥିବା ଜୟନ୍ତୀଲାଲ୍‌ ଚୋରି ସମୟରେ ଯଦି ଲୋକଙ୍କ ହାତରେ ଧରାପଡ଼େ, ତେବେ ମାଣଣାସ୍ତ୍ର ଦେଖାଇ ଭୟଭୀତ କରାଏ। ଏମିତି କି ସେ ଦାଉଦ୍‌ ଇବ୍ରାହିମ୍‌ର ସମ୍ପର୍କୀୟ ବୋଲି କହି ଖସିଯାଏ। ଲୋକମାନେ ତାକୁ ରୋକିବାକୁ ସାହସ କରିନଥାନ୍ତି। ଗତ ୫ ବର୍ଷ ମଧ୍ୟରେ ସେ ସୁରଟ୍‌ର ଅନେକ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରି ଲୁଟିବାରେ ସମର୍ଥ ‌େହାଇସାରିଲାଣି।
ଦିନେ ସୁରଟ୍‌ର ଏକ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ଗୃହପ୍ରବେଶ ପାଇଁ ଏକ ଛୋଟ କାର୍ଯ୍ୟକ୍ରମ ରଖିଥିଲେ। କାର୍ଯ୍ୟକ୍ରମରେ ଅନେକ ଅତିଥି ଯୋଗଦେଇଥିଲେ। କିନ୍ତୁ ଏମାନଙ୍କ ଆଖିରେ ଧୂଳିଦେଇ ଜୟନ୍ତୀଲାଲ୍‌ ୫୦ ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ନେଇ ଛୁ ମାରିଥିଲା। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପାଖାପାଖି ୬୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଥିଲା। ପୁଲିସର କହିବା ମୁତାବକ ଏହି ଆପାର୍ଟମେଣ୍ଟରୁ ଚୋରି କରିବା ପୂର୍ବରୁ ଜୟନ୍ତୀଲାଲ୍‌ ଏକ ସ୍ଥାନୀୟ ‌େହାଟେଲ୍‌ରେ ରହିଥିଲା। ଚୋରି ପରେ ଅହମ୍ମଦାବାଦ ଯାଇଥିଲା। ସେଠାରେ ପହଞ୍ଚିବା ପରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲା। ପୁଲିସ ଆହୁରି ଦର୍ଶାଇଛି ଯେ ସେ ବଡ଼ ବଡ଼ ବ୍ୟବସାୟୀଙ୍କୁ ଫୋନ୍‌ କରି ମଧ୍ୟ ଧମକ ଦେଇଥାଏ। ଫଳରେ ସେମାନଙ୍କଠାରୁ ବିପୁଳ ଟଙ୍କା ନେଇଥାଏ। ନିଜକୁ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ପରିଚୟ ଦେଇ ସେ ଡରାଇଥାଏ। କିନ୍ତୁ ଏ ପର୍ଯ୍ୟନ୍ତ ତାକୁ ଧରିବାରେ ପୁଲିସ ସଫଳ ହୋଇନାହିଁ।

ସମ୍ବନ୍ଧିତ ଖବର