୫ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ: ଜଳ ବିବାଦ ସମାଧାନ ପାଇଁ ଆସିବ ଏକକ ଟ୍ରିବ୍ୟୁନାଲ ପ୍ରସ୍ତାବ!

ନୂଆଦିଲ୍ଲୀ: ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇ ଏପ୍ରିଲ ୬ରେ ସରିବ। ତେବେ ଏହି ଅଧିବେଶନରେ କେନ୍ଦ୍ର ସରକାର ଦେଶର ସବୁ ଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ସମ୍ପର୍କିତ ସଂଶୋଧିତ ବିଲ୍‌ ଲୋକସଭାରେ ଆଗତ କରିବେ। ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ଏବଂ ସର୍ବାଧିକ ୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ହେବାକୁ ଥିବା ଏକକ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ ଏବଂ ସେ ବିବାଦ ସମ୍ପର୍କିତ ମାମଲାଗୁଡ଼ିକୁ ଖଣ୍ଡପୀଠକୁ ହସ୍ତାନ୍ତର କରିବେ। ଟ୍ରିବ୍ୟୁନାଲ ଅଧୀନରେ ଖଣ୍ଡପୀଠ ଯେଉଁ ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ ଏବଂ ରାଜ୍ୟଗୁଡ଼ିକ ମାନିବାକୁ ବାଧ୍ୟ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ନଦୀ ଜଳବିବାଦ ସମାଧାନ ନିମନ୍ତେ ଏକାଧିକ ଟ୍ରିବ୍ୟୁନାଲ ପରିବର୍ତ୍ତେ ଦେଶରେ ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ଲାଗି ସରକାର ଗତବର୍ଷ ମାର୍ଚ୍ଚ ୧୪ରେ ଲୋକସଭାରେ ବିଲ୍‌ ଆଗତ କରିଥିଲେ। ମାତ୍ର ତାହା ଦୁର୍ବଳ ଭାବେ ଆଗତ ହୋଇଥିବାରୁ ଏହାର ପୁନର୍ବିଚାର ପାଇଁ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଥିଲେ। ଏହାପରେ ବିଲ୍‌ଟିକୁ ସଂସଦର ସ୍ଥାୟୀ କମିଟି (ଷ୍ଟାଣ୍ଡିଂ କମିଟି)କୁ ପଠାଯାଇଥିଲା। ଗତ ମୌସୁମୀ ଅଧିବେଶନରେ ସ୍ଥାୟୀ କମିଟି ରିପୋର୍ଟ ଦେଇଥିଲା। ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଯେଉଁ ସବୁ ସୁପାରିସ କରାଯାଇଥିଲା ତା’ର ଅନୁଧ୍ୟାନ ପାଇଁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ଆଇନ ମନ୍ତ୍ରାଳୟ ନିକଟକୁ ପଠାଇଥିଲା। ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, କଥାବାର୍ତ୍ତା ମାଧ୍ୟମରେ ନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଏକ ବିବାଦ ସମାଧାନ କମିଟି ବା ଡିଆର୍‌ସି ରଖାଯିବ। ଆଲୋଚନା ମାଧ୍ୟମରେ ଯଦି ନଦୀଜଳ ବିବାଦର ସମାଧାନ ୧୮ ମାସ ଭିତରେ ନହୁଏ ତେବେ ଏହାକୁ ଟ୍ରିବ୍ୟୁନାଲ ପଠାଯିବ। ଏକକ ଟ୍ରିବ୍ୟୁନାଲ ଦ୍ୱାରା ସର୍ବାଧିକ ସାଢ଼େ ୪ ବର୍ଷ ମଧ୍ୟରେ ନଦୀ ଜଳ ବିବାଦର ସମାଧାନ ପାଇଁ ବିଲ୍‌ରେ ବ୍ୟବସ୍ଥା ରହିଛି।
ସେହିପରି ପ୍ରଧାନମନ୍ତ୍ରୀ ଅଥବା ତାଙ୍କ ପ୍ରତିନିଧି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅଥବା ତାଙ୍କ ପ୍ରତିନିଧି, ବିରୋଧୀ ଦଳ ନେତା ଏବଂ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ନେଇ ଗଠିତ ୪ ଜଣ ସଦସ୍ୟ ବିଶିଷ୍ଟ କଲେଜିୟମ ଦ୍ୱାରା ଅଧ୍ୟକ୍ଷ ଚୟନ ପାଇଁ ସଂସଦର ସ୍ଥାୟୀ କମିଟି ସୁପାରିସ କରିଥିଲା। ଏହି ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି। ଏହି ବିଲ୍‌ରେ ସୁୁପ୍ରିମକୋର୍ଟରେ ଆବେଦନ କରିବା ବ୍ୟବସ୍ଥା ନଥିବା ବେଳେ ତାହାକୁ ସାମିଲ କରିବା ପାଇଁ ଓଡ଼ିଶା, କେରଳ ଓ ପଞ୍ଜାବ ରାଜ୍ୟ ପକ୍ଷରୁ ଷ୍ଟାଣ୍ଡିଂ କମିଟିକୁ ମତାମତ ଜଣାଇବା ସମୟରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର