ସପ୍ତାହକ ମଧ୍ୟରେ ପରିବାରର ୪ ସଦସ୍ୟଙ୍କୁ ହରାଇଲେ ମହିଳା, କରୋନ ଦ୍ବାରା ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାଭାଇରସ ଏବେ ସାରା ବିଶ୍ବରେ ଲୋକଙ୍କୁ ଆତିଙ୍କିତ କରି ରଖିଛି। ହଜାର ହଜାର ଲୋକ ଏହି ଭାଇରସ ଦ୍ବାରା ଶିକାର ହୋଇ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାର ସଂକ୍ରମଣକୁ ରୋକିବା ପାଇଁ ସରକାର ଲୋକଙ୍କୁ ସତର୍କ କରାଇବା ସହ ଘରେ ରହିବା ପାଇଁ କହୁଛନ୍ତି। ତେବେ ଏହି ଭାଇରସ ଜଣଙ୍କ ପାଇଁ କେତେ ଭୟାବହ ହୋଇପାରେ, ତାହା ନିଉ ଜର୍ସ‌ିରେ ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଛି। ଗୋଟେ ପରିବାରର ୪ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇ ସପ୍ତାହକ ମଧ୍ୟରେ ମୃତ୍ୟୁବରଣ କରିବା ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି।।

indiatimes.com

ନିଉଜର୍ସିରେ ରହୁଥିବା ଏଲିଜାବେଥ୍ ଫୁସକୋଙ୍କ ସହ ଏଭଳି ଘଟଣା ଘଟିଛି। ଏକା ସାଙ୍ଗରେ ସେ ନିଜ ମା’, ଦୁଇ ଭାଇ ଓ ଭଉଣୀଙ୍କୁ ହରାଇଛନ୍ତି। ମାର୍ଚ୍ଚ ୧୦ରେ ସମସ୍ତେ ଏକ ବିବାହରେ ଯୋଗ ଦେଇଥିବା ବେଳେ ସେଠାରୁ ସେମାନେ ସଂକ୍ରମିତ ହୋଇଥିବା ଖବର ମିଳିଛି। ବିବାହରୁ ଆସିବା ପରେ ମାର୍ଚ୍ଚ ୧୩ରେ ଏଲିଜା‌ବେଥଙ୍କ ବଡ଼ ଭଉଣୀ ମୃତ୍ୟୁବରଣ କରିଥିଲେ। ଭଉଣୀର ମୃତ୍ୟୁ ଖବର ପାଇ ଭାଙ୍ଗିପଡ଼ିଥିବା ଏଲିଜାବେଥ୍ ନିଜକୁ ଭଲ କରି ସମ୍ଭାଳି ନଥିବା ବେଳେ ମାର୍ଚ୍ଚ ୧୭ ସକାଳ ସମୟରେ ପୁଣି ତାଙ୍କ ଫୋନ ବାଜି ଉଠିଥିଲା। ଫୋନ ଉଠାଇବା ପରେ ତାଙ୍କୁ ତାଙ୍କର ବଡ଼ ଭାଇଙ୍କ ମୃତ୍ୟୁ ଖବର ମିଳିଥିଲା। ଭାଇଙ୍କ ମୃତ୍ୟୁ ଖବର ପାଇ ନିଜର ଦୁଃଖକୁ ପ୍ରକାଶ କରିବା ପୂର୍ବରୁ ପୁଣି ଥରେ ତାଙ୍କ ଫୋନ ବାଜି ଉଠିଥିଲା। ଭାଇଙ୍କ ପରେ ତାଙ୍କର ମା’ଙ୍କର ମଧ୍ୟ ଦେହାନ୍ତ ‌ହୋଇସାରିଥିବା ଜାଣିବା ପରେ ଏଲିଜାବେଥ କିଛି କହିବା ଅବସ୍ଥାରେ ନଥିଲେ। ପରିବାରର ୩ଜଣ ସଦସ୍ୟଙ୍କୁ ଏକା ସାଙ୍ଗରେ ହରାଇବା ପରେ ଏଲିଜାବେଥଙ୍କ ଆଖିରୁ ଲୁହ ଶୁଖିଯାଇଥିଲା। ଏହି ସଂଖ୍ୟା ଏଇଠି ଶେଷ ହୋଇଯିବ ବୋଲି ସେ ଭାବିଥିଲେ ମଧ୍ୟ ଗୁରୁବାର ତାଙ୍କର ଆଉ ଜଣେ ଭାଇ କରୋନା ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

ଏକା ସାଙ୍ଗରେ ନିଜ ଜୀବନରେ ଗୁରୁତ୍ବ ରଖୁଥିବା ଲୋକଙ୍କୁ ହରାଇ ଏଲିଜାବେଥ୍ କହିଛନ୍ତି, ଆମକୁ ଛାଡ଼ି ଚାଲିଯାଇଥିବା ଲୋକ ଆମ ପରିବାରର ମୂଳଦୁଆ ଥିଲେ। ଏଭଳି ପରିସ୍ଥିତି ହୋଇଯାଇଥିଲା କି, ଫୋନ ବାଜିବା ମାତ୍ରେ କେହି ଜଣେ ଆମକୁ ଛାଡ଼ି ଚାଲି ଯାଇଥିବାର ଖବର ମିଳୁଥିଲା। କରୋନା ଭାଇରସ ଆମ ପରିବାର ମୂଳଦୁଆକୁ ଦୋହଲାଇ ଦେଇଛି।

ସମ୍ବନ୍ଧିତ ଖବର