ସଂଶୋଧିତ ତିନିତଲାକ୍‌ ବିଲ୍‌କୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: ତିନିତଲାକ୍‌ ବିଲ୍‌ରେ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଆଜି କେତେକ ସଂଶୋଧନକୁ ମଂଜୁରି ଦିଆଯାଇଛି। ସଂଶୋଧନ ମୁତାବକ ତିନିତଲାକ୍‌ ଅଭିଯୁକ୍ତଙ୍କୁ ମାଜିଷ୍ଟ୍ରେଟ୍‌ ଜାମିନ ପ୍ରଦାନ କରିପାରିବେ। କିନ୍ତୁ ଏହା ଜାମିନବିହୀନ ଅପରାଧ ହୋଇ ରହିବ। ପୂର୍ବରୁ ତିନିତଲାକ୍‌ ବିଲ୍‌କୁ ଲୋକସଭାର ମଂଜୁରି ମିଳିଥିଲା ବେଳେ ରାଜ୍ୟସଭାରେ କିନ୍ତୁ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିଲ୍‌କୁ ତ୍ରୁଟିପୂର୍ଣ୍ଣ ବୋଲି କଂଗ୍ରେସ ପକ୍ଷରୁ ଦର୍ଶାଯାଇଥିଲା। କଂଗ୍ରେସ ସାଂସଦମାନେ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ତିନିତଲାକ୍‌ର ଶିକାର ହେଉଥିବା ମହିଳାମାନଙ୍କର ସ୍ୱାମୀ ଯଦି କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜେଲ୍‌ ଯାଆନ୍ତି, ତେବେ ତାଙ୍କ ପତ୍ନୀଙ୍କର କ’ଣ ହେବ? କିଏ ସେମାନଙ୍କର ଭରଣପୋଷଣ ଦାୟିତ୍ୱ ସମ୍ଭାଳିବ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ଭରଣପୋଷଣ ପାଇଁ କିଛି ବ୍ୟବସ୍ଥା କଲେ ବିଲ୍‌କୁ ଅନୁମୋଦନ କରିବାରେ ଦଳ ସହାୟତା କରିବ। ବିଲ୍‌କୁ ଶେଷରେ ମଂଜୁରି ମିଳିନଥିଲା ଏବଂ ଏହାକୁ ପୁନଃ ଏକ ବିଶେଷଜ୍ଞ କମିଟି ନିକଟକୁ ପଠାଇ ଦିଆଯାଇଥିଲା। ବିଶେଷଜ୍ଞ କମିଟିର ସୁପାରିସ ଅନୁସାରେ ବିଲ୍‌ରେ କିଛିଟା ସଂଶୋଧନ ଅଣାଯାଇଥିଲା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସରକାର କୌଣସିମତେ ଏହି ବିଲ୍‌କୁ ମଂଜୁର କରାଇ ଏହାକୁ ଆଇନରେ ପରିଣତ ପାଇଁ ଚେଷ୍ଟା ଜାରି ରଖିଛି। ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଭିନ୍ନ ମତପୋଷଣ କରିବା ଯୋଗୁ ଏହା ମଂଜୁରି ମିଳିବାରେ ସମସ୍ୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର