ତେଲେଙ୍ଗାନା ବିଧାନସଭା ଭାଙ୍ଗିପାରେ

ଟିଆର୍‌ଏସ୍‌ ମହାର‍୍ୟାଲି ଆଜି: ଆଗୁଆ ନିର୍ବାଚନ ପାଇଁ ସଜବାଜ

ହାଇଦ୍ରାବାଦ: ତେଲେଙ୍ଗାନାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ନିର୍ବାଚନ କରାଯିବା ନେଇ ସରଗରମ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତାକାଲି ଇବ୍ରାହିମ୍‌ପାଟନମ ମଣ୍ଡଳରେ ଅନୁଷ୍ଠିତ ହେବାକୁ ଟିଆର୍‌ଏସ୍‌ (ତେଲେଙ୍ଗାନା ରାଷ୍ଟ୍ର ସମିତି) ମହା ର‍୍ୟାଲିରେ ଏ ସଂକ୍ରାନ୍ତ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ମହାର‍୍ୟାଲି ଭାରତର ରାଜନୈତିକ ଇତିହାସରେ ସବୁଠାରୁ ବଡ଼ ର‍୍ୟାଲି ହେବ ଏବଂ ଏଥିରେ ପ୍ରାୟ ୨୫ ଲକ୍ଷ ଲୋକ ଯୋଗଦେବେ ବୋଲି ଟିଆର୍‌ଏସ୍‌ ନେତାମାନେ ଆକଳନ କରିଛନ୍ତି। ଏହି ର‍୍ୟାଲିରେ ହିଁ ତେଲେଙ୍ଗାନା ବିଧାନସଭା ଭଙ୍ଗ ଘୋଷଣା ମୁଖ୍ୟମନ୍ତ୍ରୀ କରିବେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଏବେ ବିଧାନସଭା ଭଙ୍ଗ ଘୋଷଣା ହେଲେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରିବ। ହାଇଦ୍ରାବାଦଠାରୁ ୨୫ କିମି ଦୂରରେ ଏହି ର‍୍ୟାଲି ଆୟୋଜନ ହେଉଥିଲେ ମଧ୍ୟ ସମଗ୍ର ହାଇଦ୍ରାବାଦ ସହର ଦଳୀୟ ପତାକା, ବ୍ୟାନର୍‌, ପୋଷ୍ଟର ଏବଂ ହୋର୍ଡିଂରେ ଛାଇ ଯାଇଛି। ଏହି ର‍୍ୟାଲିରେ କେସିଆର୍‌ ତାଙ୍କ ସରକାରଙ୍କ ବିଗତ ୪ ବର୍ଷର ସଫଳତା ଏବଂ ଉପଲବ୍ଧି ସଂପର୍କରେ ତଥ୍ୟ ରଖିବେ। ର‍୍ୟାଲି ବିରୋଧରେ ହାଇକୋର୍ଟରେ ଆବେଦନ ହୋଇଥିବା ଜନସ୍ୱାର୍ଥ ମାମଲା ଆଜି ଖାରଜ ହୋଇଯାଇଥିବାରୁ ଏ ଦିଗରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ। ୫୦୦ ଏକର ପରିମିତ ଅଂଚଳରେ ଏହି ସଭା ଆୟୋଜନ ହେଉଥିବା ବେଳେ ସମଗ୍ର କାର୍ଯ୍ୟକ୍ରମ ପାଇଁ ୨ ହଜାର ଏକର ଅଂଚଳ ଚିହ୍ନଟ ହୋଇଛି। ହଜାର ହଜାର ଟେଣ୍ଟ୍‌ରେ ଲୋକେ ଆସି ଆଜି ସକାଳୁ ରହିବା ଆରମ୍ଭ କରିଛନ୍ତି। ଏତେ ବିଶାଳ ଉପସ୍ଥିତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ଶାଖା ପରିଚାଳନା ଦାୟିତ୍ୱରେ ରହିଛନ୍ତି। ସଭାସ୍ଥଳରେ ପହଞ୍ଚିବାକୁ ୨ ହଜାର ଟ୍ରାକ୍ଟରରେ ୨୦ ହଜାର କୃଷକ ସଭାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ଅପରାହ୍ନ ସୁଦ୍ଧା ଲକ୍ଷାଧିକ ଲୋକ ର‍୍ୟାଲି ସ୍ଥଳରେ ପହଞ୍ଚିଛନ୍ତି।

ରାଜ୍ୟ ସରକାର ନିକଟରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଟିଆର୍‌ଏସ୍‌ ସମୟ ପୂର୍ବରୁ ନିର୍ବାଚନ କରାଇବାକୁ ଚାହୁଛି। ନିକଟରେ ଟିଆର୍‌ଏସ୍‌ ସରକାର କୃଷକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଘୋଷଣା କରିଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟର ୨୮ ଲକ୍ଷ କୃଷକଙ୍କ ପାଇଁ ଜୀବନ ବୀମା ଯୋଜନା ଆରମ୍ଭ ହୋଇଥିଲା। ଟିଆର୍‌ଏସ୍‌ ସୁପ୍ରିମୋ କେସିଆର ଆନ୍ଧ୍ର ନିର୍ବାଚନ ସହିତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଚାହୁନାହାନ୍ତି ବୋଲି କୁହାଯାଉଛି। ତେଲୁଗୁ ଦେଶମ୍‌ ପାର୍ଟି କଂଗ୍ରେସ ସହିତ ହାତ ମିଳାଇଥିବାରୁ କେସିଆର୍‌ ତାଙ୍କ ରଣନୀତି ବଦଳାଇଛନ୍ତି।

ସମ୍ବନ୍ଧିତ ଖବର