ନିଜର ଦିନକର ଦରମା ସହିଦ ଯବାନଙ୍କ ପରିବାରକୁ ଦେବ ଉତ୍ତରାଖଣ୍ଡର ଆଇଏଏସ୍‌ ଆସୋସିଏସନ୍‌

ଡେରାଡୁନ୍‌: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ଯାହା କ୍ଷୟକ୍ଷତି ହୋଇଛି ତାହା ସବୁ ଦିନ ପାଇଁ ଅପୂରଣୀୟ। ଆକ୍ରମଣରେ ସହିଦ ହୋଇଥିବା ୪୦ରୁ ଊର୍ଧ୍ୱ ଯବାନଙ୍କ ପରିବାରକୁ ଦେଶର କୋଣଅନୁକୋଣରୁ ଲୋକେ ସମବେଦନା ଜଣାଇଛନ୍ତି।

ସେମାନଙ୍କ ପରିବାରକୁ ଏବେ ସହାୟତାର ହାତ ବଢ଼ାଇଛି ଉତ୍ତରାଖଣ୍ଡ ଆଇଏଏସ୍‌ ଆସୋସିଏସନ୍‌। ଏହି ଆସୋସିଏସନ୍‌ରେ ଥିବା ସମସ୍ତ ଆଇଏଏସ୍‌ ଅଧିକାରୀମାନେ ଯବାନଙ୍କ ପରିବାର ଉଦେଶ୍ୟରେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଦାନ କରିବେ। ଏହି ଟଙ୍କା ସହିଦ ଯବାନଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ।

ଆଇଏଏସ୍‌ ଅସୋସିଏସନ୍‌ ଟଙ୍କା ଆଦାୟ କରି ଦିଲ୍ଳୀରେ ଥିବା ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌)ର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବ। ଏ ସଂପର୍କରେ ଏଏନ୍‌ଆଇରେ ଏକ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗୁରୁବାର ପୁଲଓ୍ଵାମାରେ ସିଆର୍‌ପିଏଫ୍‌ ଯବାନମାନେ ଏକ ବସ୍‌ରେ ଯାଉଥିବା ବେଳେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଏକ କାର୍‌ରେ ବିସ୍ଫୋରକ ଭର୍ତ୍ତି କରି ଆଣି କାର୍‌ଟିକୁ ବସ୍‌ରେ ପିଟିଦେବା ପରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ପ୍ରାୟ ୩୮ ଜଣ ଯବାନ ସହିଦ ହୋଇଛନ୍ତି।

ସମ୍ବନ୍ଧିତ ଖବର