ମାନବିକତା ଦେଖାଇଲେ କ୍ୟାବ୍ ଚାଳକ ଏବଂ ଯାତ୍ରୀ, ପୁଲିସର ପ୍ରଶ୍ନ କଥା ନ ଭାବି କାନ୍ଦୁଥିବା ଝିଅକୁ ଦେଖି ଦୁର୍ଘଟଣାର ଶିକାର ହୋଇଥିବା ଯୁବକକୁ ନେଲେ ଡ଼ାକ୍ତରଖାନା
ନୂଆଦିଲ୍ଲୀ : ବେଳେ ବେଳେ ଘଟୁଥିବା ଘଟଣା ଦେଶରେ ଆଜି ବି ମାନବିକତା ବଞ୍ଚି ରହିଛି ବୋଲି ପ୍ରମାଣ କରିଥାଏ । କୌଣସି ଘଟଣା ଘଟିଲେ ଲୋକମାନେ ପରସ୍ପରକୁ କେବଳ ଦାୟୀ କରିଥାନ୍ତି । କେହି ସେ ଘଟଣାରେ ସଂପୃକ୍ତ ହୁଅନ୍ତି ନାହିଁ । ରାସ୍ତାରେ କୌଣସି ଦୁର୍ଘଟଣା ଘଟିଥିଲେ ଲୋକମାନେ ଜମା ହୁଅନ୍ତି ସତ କିନ୍ତୁ ପୁଲିସର ପ୍ରଶ୍ନକୁ ସାମ୍ନା କରିବାକୁ ପଡ଼ିବ ବୋଲି ଭାବି କେହି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରନ୍ତି ନାହିଁ । ଏଭଳି ଅନେକ ଘଟଣା ପୂର୍ବରୁ ଘଟିଛି ଏବଂ ଆପଣମାନେ ଦେଖିଥିବେ ମଧ୍ୟ । କିନ୍ତୁ ଦିଲ୍ଲୀରେ ଘଟିଥିବା ଘଟଣା ଦେଶରେ ଏବେ ବି ମାନବିକତା ରହିଛି ବୋଲି ପ୍ରମାଣ କରିଛି । ଏହି ଘଟଣା ବିଷୟରେ ଫେସ୍ବୁକ୍ରେ ଗୌରବ ଜୈନ୍ ନାମକ ଜଣେ ବ୍ୟବହାରକାରୀ ପୋଷ୍ଟ କରିବା ପରେ ସାମ୍ନାକୁ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଗୌରବ ଜୈନ୍ କରିଥିବା ପୋଷ୍ଟ ଅନୁଯାୟୀ, ସେ ଏବଂ ଜଣେ ଉବେର ଚାଳକ ମାୟାପୁରୀ ଫ୍ଲାଏଓଭର ଦେଇ ଯାଉଥିବା ବେଳେ ଉବେର ଚାଳକ କୁଲ୍ଜିତ୍ ଦୂରରେ ଏକ ଛୋଟ ଶିଶୁକୁ କାନ୍ଦୁଥିବାର ଦେଖି ଗାଡ଼ି ଅଟକାଇଥିଲେ । ଏହା ପରେ ସେ ଗାଡ଼ିରୁ ବାହାରି ଆଗକୁ ଦୌଡ଼ିବାକୁ ଲାଗିଲେ । ତାଙ୍କୁ ଦେଖି ମୁଁ ଏବଂ ମୋ ସହ ଯାତ୍ରା କରୁଥିବା ଆଉ ଜଣେ ଯାତ୍ରୀ ତାଙ୍କ ପଛେ ପଛେ ଯିବା ପରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ବେହୋସ ହୋଇ ଯାଇଥିବା ଦେଖିଲୁ । ପରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଡ଼ାକିଥିବା ବେଳେ କେହି ଶୁଣି ନଥିଲେ । ଶେଷରେ ଆମେ ୩ ଜଣ ଆହତ ଯୁବକଙ୍କୁ ଧରି ଦୀନ ଦୟାଲ ହସ୍ପିଟାଲରେ ପହଞ୍ଚିଥିଲୁ ।
କିନ୍ତୁ ସେଠାରେ ଆହତ ଯୁବକଙ୍କୁ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ଜୈନ୍ କହିଛନ୍ତି । କିନ୍ତୁ କ’ଣ ପାଇଁ ଦୀନ ଦୟାଲ ହସ୍ପିଟାଲରେ ଯୁବକଙ୍କ ଚିକିତ୍ସା କରିବା ପାଇଁ ମନା କରାଯାଇଥିଲା ତାହାର କାରଣ ଜଣାଇ ନାହାନ୍ତି ଗୌରବ ।