ବିଶ୍ବବ୍ୟାପୀ କରୋନାର କରାଳ ରୂପ : ମୃତ୍ୟୁ ସଂଖ୍ୟା ୪୩ ହଜାର ଟପିଲା, ୮ ଲକ୍ଷ ୭୦ ହଜାର ସଂକ୍ରମିତ

ୱାସିଂଟନ : କରୋନା ଭାଇରସ୍‌ ଏବେ ପୂରା ବିଶ୍ବରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ୧୮୫ଟି ରାଷ୍ଟ୍ରରେ ୪୩ ହଜାର ୫ ଶହ ଲୋକଙ୍କ କରୋନା ଭାଇରସ୍‌ ମହାମାରୀ ଯୋଗୁଁ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଏହି ଭାଇରସ୍‌ ଯୋଗୁଁ ଆଜି ସୁଦ୍ଧା ପ୍ରାୟ ୮ ଲକ୍ଷ ୭୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏହି ବୈଶ୍ବିକ ମହାମାରୀର କେନ୍ଦ୍ର ଭାବେ ପରିଚିତ ଚୀନ୍‌ରେ ଏ ପର୍ଯ୍ୟନ୍ତ ପ୍ରାୟ ୮୨ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୩୩୦୫ ଲୋକଙ୍କ ମୃତ୍ୟୁ ଘଟିଛି। ଚୀନ୍‌ରେ ହୋଇଥିବା ମୃତ୍ୟୁର ୮୦ ପ୍ରତିଶତ ମାମଲା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କର ବୋଲି ଜଣାପଡ଼ିଛି। ଏବେ କରୋନାକୁ ନେଇ ସବୁଠୁ ଭୟାନକ ସ୍ଥିତି ଆମେରିକା, ଇଟାଲି ଏବଂ ସ୍ପେନ୍‌ରେ ଲାଗି ରହିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ୪ ହଜାର ଛୁଇଁବାକୁ ଯାଉଥିବା ବେଳେ ଇଟାଲିରେ ଏହା ୧୨ ହଜାର ଅତିକ୍ରମ କରିଯାଇଛି। ସ୍ପେନ୍‌ରେ କରୋନା ଭାଇରସ୍‌ ଯୋଗୁଁ ଆଜି ସୁଦ୍ଧା ୮ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାରରେ ପହଞ୍ଚିଯାଇଛି।

ଇରାନ୍‌ରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ୩ ହଜାର ଅତିକ୍ରମ କରିଛି ଏବଂ ପ୍ରାୟ ୪୫ ହଜାର ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ କୋରିଆରେ କରୋନା ୧୬୨ ଲୋକଙ୍କ ଜୀବନ ନେଇଥିବା ବେଳେ ପ୍ରାୟ ୧୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। କରୋନା ଏବେ ୟୁରୋପ ଏବଂ ଆମେରିକାରେ ଭୟାନକ ପ୍ରଭାବ ଦେଖାଇଥିବା ବେଳେ ଏସିଆରେ ଏହା ଧୀରେ ଧୀରେ ଆଗକୁ ବଢ଼ୁଛି। ୟୁରୋପ୍‌ରେ ପ୍ରାୟ ୨୭ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଫ୍ରାନ୍ସରେ କରୋନା ମୃତ୍ୟୁ ସଂଖ୍ୟା ୩୫୩୦ରେ ପହଞ୍ଚିଥିବା ବେଳେ ଜର୍ମାନୀରେ ୮ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ନେଦରଲ୍ୟାଣ୍ଡ୍‌ରେ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବ୍ରିଟେନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିଯାଇଛି ଏବଂ କରୋନାରେ ୧୮ ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି। ରୁଷ୍‌ରେ ୨୮୦୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪ରେ ରହିଛି ।

ସମ୍ବନ୍ଧିତ ଖବର