ବୁଲା କୁକୁରଙ୍କ ଭୁକିବା ଶବ୍ଦ ଯୋଗୁ ହସ୍ପିଟାଲରେ ଶୋଇ ପାରୁନାହାନ୍ତି ଲାଲୁ; ଓ୍ଵାର୍ଡ ପରିବର୍ତ୍ତନ ପାଇଁ କଲେ ଆବେଦନ

ପାଟ୍‌ନା: ଜେଲ୍‌ରେ ଥିବା ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜର ଶାରୀରିକ ଅସୁସ୍ଥତା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ହସ୍ପିଟାଲ୍‌ରେ ଥିବା ଓ୍ଵାର୍ଡ ସଂପର୍କରେ ଅଭିଯୋଗ ଆଣି କହିଛନ୍ତି ଯେ ଅପରିଷ୍କାର ସହ ସେଠାରେ ପ୍ରବଳ ମଶା ହେଉଛନ୍ତି। ଏହାବ୍ୟତୀତ ବୁଲା କୁକୁର ପ୍ରବଳ ମାତ୍ରାରେ ଭୁକୁ ଥିବାରୁ ସେ ଠିକ୍‌ ଭାବେ ଶୋଇ ପାରୁନାହାନ୍ତି ବୋଲି ଅଭିଯୋଗ ଆଣି ଓ୍ଵାର୍ଡ ବଦଳାଇବାକୁ ନିବେଦନ କରିଛନ୍ତି। ସେପ୍ଟେମ୍ବର ୩ ତାରିଖରେ ଲାଲୁଙ୍କର ଜଣେ ଘନିଷ୍ଟ ସହଯୋଗୀ ଏ ସଂପର୍କରେ ଜଣାଇଛନ୍ତି।

ଆର୍‌ଜେଡିର ସାଂସଦ ଏବଂ ରାଷ୍ଟୀୟ ମହାସଚିବ ଭୋଲା ଯାଦବ ପିଟିଆଇକୁ ଜଣାଇଛନ୍ତି ଯେ ‘ଲାଲୁ ଯାଦବ ଚିକିତ୍ସିତ ହେଉଥିବା ହସ୍ପିଟାଲ୍‌ ଆର୍‌ଆଇଏମ୍‌ଏସ୍‌ର ନିର୍ଦ୍ଦେଶକଙ୍କୁ ଓ୍ଵାର୍ଡ ପରିବର୍ତ୍ତନ ସକାଶେ ଏକ ଦରଖାସ୍ତ ଦିଆଯାଇଛି।

ଉଲ୍ଳେଖଯୋଗ୍ୟ, ଆର୍‌ଜେଡିର ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୁର୍ନୀତି ମାମଲାରେ ୨୦୧୭ ମସିହା ଡିସେମ୍ବରରୁ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ସେ ଜେଲ୍‌ରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆର୍‌ଆଇଏମ୍‌ଏସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର