ପ୍ରତିଭା ଆଗରେ ହାର୍‌ ମାନିଛି ଡାଉନ୍‌ ସିଣ୍ଡ୍ରୋମ୍‌ : ‘ସପନଟିଏ’ର ଯାଦୁକରୀ ଶିଶୁ ଅଭିନେତା ବବ୍‌ଲୁ

ତାଙ୍କ ସରଳ ନିଷ୍ପାପ ଆବଭାବକୁ ଠଉରେଇଲେ ଲାଗେନି, ସେ ବି ଏତେ ଚମତ୍କାର ଅଭିନୟ କରିପାରନ୍ତି। ନା କଥା କହିପାରନ୍ତି, ନା ଭଲରେ ଶୁଣିପାରନ୍ତି। ଡାଉନ୍ ସିଣ୍ଡ୍ରୋମ୍‌ ଆକ୍ରାନ୍ତ ହୋଇ ବି ଜୀବନ୍ତ ଅଭିନୟ କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିଣି ପାରିଛନ୍ତି। ସମାଜର ଧରାବନ୍ଧା ବ୍ୟବସ୍ଥା ଭିତରେ ସେ ଜଣେ ଦିବ୍ୟାଙ୍ଗ ହୋଇପାରନ୍ତି, ମାତ୍ର ଏଭଳି ସ୍ଥିତିରେ ସେ ବି କଳାକୁ ଆୟତ୍ତ କରିପାରିଛନ୍ତି। ଯାହାର ଫଳସ୍ବରୂପ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପ୍ରଦତ୍ତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଶ୍ରେଷ୍ଠ ଶିଶୁ ଅଭିନେତା ପୁରସ୍କାର ଲାଭ କରିଛନ୍ତି ମାଗୁଣି ପାତ୍ର ଓରଫ୍ ବବ୍‌ଲୁ। ‘ସପନଟିଏ’ ଚଳଚ୍ଚିତ୍ରରେ ଯାଦୁକରୀ ଅଭିନୟ ତାଙ୍କୁ ପୁରସ୍କାରର ହକ୍‌ଦାର କରିଛି।

ସୁପ୍ରିମକୋର୍ଟ ବାର୍ ସଦସ୍ୟ ଥିବା ଓଡ଼ିଆ ଝିଅ ମିଲନ ଦାଶଙ୍କ ପରିକଳ୍ପିତ, ପ୍ରଯୋଜିତ ଓ ନିର୍ଦେଶିତ ‘ସପନଟିଏ’ ଏକ ସମାଜଧର୍ମୀ ଚଳଚ୍ଚିତ୍ର। ମହିଳା ଓ ଶିଶୁମାନଙ୍କ ଉପରେ କାମ କରୁଥିବା ମିଲନ ଯେବେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ନିକଟରୁ ଦେଖିଲେ ସେମାନଙ୍କ ଦୟନୀୟ ବାସ୍ତବତାକୁ ଚଳଚ୍ଚିତ୍ରର ରୂପ ଦେବାକୁ ମନସ୍ଥ କଲେ। ସେଇଠୁ ‘ସହାୟ’ ନାମକ ଏକ ଅନୁଷ୍ଠାନରେ ସେ ବବ୍‌ଲୁଙ୍କୁ ଭେଟିଲେ। ମନୋଜ ମିଶ୍ର ଓ ହର ରଥଙ୍କ ଭଳି ଅଭିଜ୍ଞ କଳାକାର ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ବବ୍‌ଲୁଙ୍କୁ ନେଇ ଚଳଚ୍ଚିତ୍ର କରିବା ମିଲନଙ୍କ ପକ୍ଷେ ଏତେ ସହଜ ନଥିଲା। ଖାସ୍ ସେଇଥିପାଇଁ ଚଳଚ୍ଚିତ୍ର ଶେଷ କରିବାକୁ ତାଙ୍କୁ ୨ ବର୍ଷ ଲାଗି ଯାଇଥିଲା। ଏମିତିକି ବାସ୍ତବତାକୁ ଅନୁଭବ କରିପାରୁନଥିବା ବବ୍‌ଲୁଙ୍କୁ ହଗିସ୍ ପିନ୍ଧାଇ କ୍ୟାମେରା ସାମ୍ନାରେ ଅଭିନୟ କରେଇବାକୁ ପଡ଼ିଥିଲା। ମିଲନ ଚଳଚ୍ଚିତ୍ରର ଏକ ଅଭୁଲା ସ୍ମୃତିକୁ ପାଥେୟ କରି କୁହନ୍ତି, ଚୌଦ୍ବାରର ବରପଦା ଗାଁ’ରେ ୧୮ ଦିନିଆ ସୁଟିଂ ଚାଲିଥାଏ। ପ୍ରଥମ ଦିନ ଯେବେ ଏଠାରେ ବିଷୟବସ୍ତୁ ମୁତାବକ ବବ୍‌ଲୁଙ୍କୁ ମା (ସୋନି ମହାନ୍ତି) ଗାଁ ଦାଣ୍ଡରେ ଟାଣିଟାଣି ନେଉଥିବା ଦୃଶ୍ୟ ସୁଟିଂ ଚାଲିଥିଲା, ବବ୍‌ଲୁର କାନ୍ଦ ଦେଖି ଗାଁ’ର କିଛି ମହିଳା ବିରୋଧ କରିବାକୁ ଧାଇଁ ଆସିଥିଲେ। ଏହା ବବ୍‌ଲୁଙ୍କ ଅଭିନୟ ଥିଲା ବୋଲି ମିଲନ ସେମାନଙ୍କୁ ବୁଝାଇବା ପରେ ମହିଳାମାନେ ଶାନ୍ତ ପଡ଼ିଥିଲେ। ଦିବ୍ୟାଙ୍ଗ ହୋଇଥିଲେ ହେଁ ଅଭିନୟରେ ସେଦିନ ଗ୍ରାମବାସୀଙ୍କୁ ଚମତ୍କୃତ କରି ଦେଇଥିଲେ ବବ୍‌ଲୁ।

‘ସପନଟିଏ’ ଚଳଚ୍ଚିତ୍ର ଯେବେ ସେନ୍ସର ବୋର୍ଡ ପାଖକୁ ଗଲା, ଏହାକୁ ଦେଖିବା ପରେ ସଦସ୍ୟମାନେ ଏହା ଏକ ଭିନ୍ନଧରଣର ଚଳଚ୍ଚିତ୍ର ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। କେବଳ ସେତିକି ନୁହେଁ, ‘କୌନ ବନେଗା କରୋଡପତି’ ଯେଉଁଦିନ ଶେଷ ଏପିସୋଡ୍ ସୁଟିଂ ସରିଲା, ସେଦିନ ମିଲନଙ୍କ ଅନୁରୋଧରେ ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ର ଦେଖି ବବ୍‌ଲୁଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ରାଜ୍ୟପାଳ, ନାଲ୍‌କୋ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଶିଶୁ ବିଭାଗ ପକ୍ଷରୁ ମଧ୍ୟ ଏହି ଚଳଚ୍ଚିତ୍ରର ନାୟକ ବବ୍‌ଲୁଙ୍କୁ ପ୍ରଶଂସା କରାଯାଇଥିଲା।

ସମ୍ବନ୍ଧିତ ଖବର