ଦୈନିକ ଖାଆନ୍ତୁ ଔଷଧୀୟ ଗୁଣରେ ଭରା ଶଜନାଫୁଲ

ସୁସ୍ଥ ଓ ନିରାମୟ ରହିବାକୁ ସବୁବେଳେ ନିଜ ଅଞ୍ଚଳର ଆହାର ଖାଇବା ଉତ୍ତମ। ସେ ଫୁଲଟିଏ ହେଉ କି, ଫଳଟିଏ ହେଉ, ନିଜ ଅଞ୍ଚଳର ଖାଦ୍ୟ ହିଁ ସବୁଠୁ ଅଧିକ ପୁଷ୍ଟି ଯୋଗାଇଥାଏ।

ସେମିତି ଗୋଟାଏ ଅଳ୍ପ ଲୋକପ୍ରିୟ କିନ୍ତୁ ଉତ୍ତମ ଜିନିଷ ହେଉଛି ଶଜନାଫୁଲ। ଶଜନାଫୁଲ କାଲ୍‌ସିୟମ୍‌, ପଟାସିୟମ୍‌ ଏବଂ ଲୌହରେ ସମୃଦ୍ଧ।
ମୁମ୍ବାଇସ୍ଥିତ ଫର୍ଟିସ୍‌ ହୀରାନନ୍ଦ ହସ୍‌ପିଟାଲ୍‌ର ମୁଖ୍ୟ ନିଉଟ୍ରିଓନିଷ୍ଟ୍‍ ସ୍ୱାତୀ ଭୂଷଣ ଶଜନାଫୁଲର ଚମତ୍କାରିତା ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି।
ଶଜନାଫୁଲରେ ଭିଟାମିନ୍‌ ସି, କେରୋଟେନୋଇଡ୍‌ସ୍‌, ଫ୍ଲେବୋନୋଡିସ୍‌, କ୍ୱେର୍‌ସିଟିନ୍‌ ଏବଂ ଟାନିନ୍‌ସ୍‌ ଭଳି ଆଣ୍ଟିଅକ୍‌ସିଡାଣ୍ଟ୍‌ ଥାଏ। ପ୍ରଦାହ ଏବଂ ଜୀବକୋଷ ନଷ୍ଟ କରୁଥିବା କ୍ଷତିକାରକ ତତ୍ତ୍ୱ ବିରୋଧରେ ଏହି ଆଣ୍ଟିଅକ୍‌ସିଡାଣ୍ଟ୍‌ ଲଢ଼େଇ କରିଥାଏ। ଟାନିନ୍‌ସ୍‌ ରକ୍ତ ଜମାଟ ବାନ୍ଧିବା, ରକ୍ତଚାପ ଓ ଲିପିଡ୍‌ ସ୍ତର ସ୍ୱଭାବିକ ରଖେ। କ୍ୱେର୍‌ସେଟିନ୍‌ ହୃଦ୍‌ରୋଗ, କର୍କଟ ରୋଗ ପ୍ରତିରୋଧକାରୀ ହେବା ସହ ଗଣ୍ଠିବାତ ଉପସମ କରିବାରେ ସହାୟକ ହୋଇଥାଏ।

ପୁରୁଷ ଓ ନାରୀଙ୍କ ଠାରେ ପ୍ରଜନନ ଦୋଷ ଥିଲେ ତାହା ଶଜନାଫୁଲ ଦୂର କରିଥାଏ। ଏଥିରେ ଥିବା କେତେକ ପୋଷକ ପ୍ରଜନନ ପ୍ରଣାଳୀକୁ ଶକ୍ତି ଯୋଗାଇ ଅଧିକ କ୍ରିୟାଶୀଳ କରାଇଥାଏ।

ଶଜନାଫୁଲରେ ଥିବା ଉଚ୍ଚ ସାନ୍ଦ୍ରତାସମ୍ପନ୍ନ ପଲିଫେନଲ୍‌ ଯକୃତ୍‌କୁ ନଷ୍ଟ ଓ ବିଷକ୍ରିୟାରୁ ସୁରକ୍ଷା ଦିଏ। ଏହା ଯକୃତ୍‌ର କ୍ଷତ ମଧ୍ୟ ଉପସମ କରେ।
ଗଣ୍ଠିବାତ ପାଇଁ ଶଜନାଫୁଲ ଚିକିତ୍ସା ଅତି ଉତ୍ତମ। ଏଥିରେ ଥିବା ଉପାଦାନ ନୂତନ ଓ ପୁରାତନ ଗଣ୍ଠିବାତଜନିତ ଫୁଲା ଉପସମ କରେ।

ଶଜନାଫୁଲ ଚା’ ବା ଝୋଳ ପରିସ୍ରା ନଳୀ ସଂକ୍ରମଣ ଏବଂ ଥଣ୍ଡା ନାଶକ।

ଛୁଆମାନଙ୍କୁ ଗୋଳା ଭାବେ ଦିଆ ଯାଉଥିବା ବିଭିନ୍ନ ଶସ୍ୟଗୁଣ୍ଡରେ ଶଜନାଫୁଲ ଗୁଣ୍ଡ ମଧ୍ୟ ଗୋଳାଇ ଖୋଇ ହେବ। ଏହା ଛୁଆ ଆବଶ୍ୟକ କରୁଥିବା ପୁଷ୍ଟିସାର, ଚର୍ବି ଏବଂ ଶ୍ୱେତସାର ଏବଂ ଆମିନୋଏସିଡ୍‌ ଯୋଗାଇଥାଏ।

ଶଜନାଫୁଲରେ ରହିଛି ଅନୁଜୀବ ବିନାଶୀ ଶକ୍ତି। ଏଥିରେ ଭୂତାଣୁ, କବକ ଓ ଶୂକ ନାଶକ ତତ୍ତ୍ୱ ରହିଛି।

ସମ୍ବନ୍ଧିତ ଖବର