ମୁହଁରୁ ମାପି ହୁଏ ମନର କଥା, ଜାଣିହୁଏ ସ୍ୱଭାବ ଓ ଚରିତ୍ର

ଅନେକ କହିଥାନ୍ତି, ଜଣକର ମୁହଁ ଦେଖିଦେଲେ ତା’ ସମ୍ପର୍କରେ ସବୁକଥା ଜାଣିହୋଇଯାଏ। ଏକଥା ଅନେକାଂଶରେ ସତ। ଅନ୍ୟର ମୁହଁକୁ ଦେଖି ତାଙ୍କ ବିଷୟରେ ଅନେକ କଥା ଜାଣିହୁଏ। ଏହା ଏକ ସ୍ୱତନ୍ତ୍ର କଳା ଓ କୌଶଳ ମଧ୍ୟ। ଆମ ସମ୍ମୁଖରେ ଥିବା ଲୋକଟି ସହିତ କଥାବାର୍ତ୍ତା କଲାବେଳେ ତାଙ୍କ ମନର ଭାବଟି ମୁହଁରେ ପ୍ରକାଶିତ ହୋଇଥାଏ। ତାହାକୁ ଆମେ ପଢ଼ିପାରିଲେ ବା ଜାଣିପାରିଲେ କଥାବାର୍ତ୍ତା ଅଧିକ ସୁନ୍ଦର ଏବଂ ସଫଳ ହୋଇଥାଏ।

ଆଖି ଉପରେ ନଜର

ଅନ୍ୟର ମୁହଁଭଙ୍ଗୀରୁ ବ୍ୟକ୍ତିତ୍ୱ ଏବଂ ଅନ୍ୟ କଥା ଜାଣିବା ପାଇଁ ପ୍ରଥମେ ସାମ୍ନାରେ ଥିବା ଲୋକଟିର ଆଖି ଉପରେ କ୍ରମାଗତ ଦୃଷ୍ଟି ରଖିବା ଦରକାର। ଆପଣ ଯଦି ସ୍ଥିର ଆଲୁଅ ପଡୁଥିବା ଜାଗାରେ ଅଛନ୍ତି, ତେବେ ବ୍ୟକ୍ତିଟିର ଆଖିର ପିତୁଳାର ଆକାରକୁ ଲକ୍ଷ୍ୟ କରନ୍ତୁ। ଆଖିର ପିତୁଳା ବଡ଼ ଥିଲେ ସେ ବ୍ୟକ୍ତି କୌଣସି ପ୍ରକାର ଉତ୍ତେଜନାରେ ଥିବେ ନତୁବା ଆପଣଙ୍କ ସହ କଥାବାର୍ତ୍ତା ହେବାପାଇଁ ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ କରିଥିବେ।

କିଛି ଆକ୍ରମକ ବା ନକାରାତ୍ମକ ଘଟଣା ଦେଖିଲେ ଆମ ଆଖିପିତୁଳା ସଙ୍କୁଚିତ ହୋଇଯାଏ। ଏହି ସଙ୍କୋଚନ ଆମକୁ ଅନିଚ୍ଛାକୃତ, ଅବାଂଛିତ ଦୃଶ୍ୟ ନ ଦେଖିବାକୁ ସୂଚନା ଦେଇଥାଏ। ବ୍ୟକ୍ତିଟିର ଆଖି ଯଦି ଛୋଟ ହେଉଥିବ, ତେବେ ଜାଣିବେ ଯେ ଆପଣ କିମ୍ବା ଆପଣଙ୍କ କଥା ତାଙ୍କୁ ଭଲ ଲାଗୁ ନାହିଁ, ନହେଲେ ଆପଣଙ୍କୁ ସେ ସନ୍ଦେହ କରୁଛନ୍ତି। ଆଖିଡୋଳା ବାରମ୍ବାର ଏପଟସେପଟ ହେଉଥିଲେ ସେ ଆପଣଙ୍କ ସହିତ କଥାବାର୍ତ୍ତା କରିବାରେ ସହଜ ମନେ କରୁ ନ ଥିବେ। ବ୍ୟକ୍ତିଟିର ଦୃଷ୍ଟି ଯଦି ମଝି ମଝିରେ ଅନ୍ୟ ଆଡ଼କୁ ଯାଉଥିବ, ତେବେ ସେ ନିଶ୍ଚୟ ଆପଣଙ୍କ କଥା ନ ଶୁଣି ଅନ୍ୟ କଥା ଚିନ୍ତା କରୁଥିବେ।

ଓଠ ଫିଟାଏ ଅନେକ ଗୁମର
ଓଠର ମାଂସପେଶୀ ଗୁଡ଼ିକ ଅତ୍ୟନ୍ତ ନରମ। ଜଣେ ବ୍ୟକ୍ତିର ଓଠଚାଳନାରୁ ମଧ୍ୟ ତାଙ୍କ ସମ୍ପର୍କରେ ବେଶ୍‌ କିଛି କଥା ଜାଣି ହୁଏ। ଓଠ ଯଦି ପାଟି ଭିତରକୁ ଯାଉଥିବ ବ୍ୟକ୍ତିଟି ନୈରାଶ୍ୟ ଓ ମାନସିକ ଚାପ ଭିତରେ ଥାଇପାରନ୍ତି। ଏ ଧରଣର ବ୍ୟକ୍ତି ନିଜର ଭାବନା ଓ ଆବେଗକୁ ଲୁଚାଇ ରଖିବାକୁ ଚାହିଥାନ୍ତି। ପାଟିରୁ ମନଇଚ୍ଛା ଶବ୍ଦ ବାହାରି ନ ଯିବାପାଇଁ ସେମାନେ ଓଠକୁ ଜାବୁଡ଼ି ରଖିଥାନ୍ତି। ଜଣେ ଯଦି ତା’ ଓଠକୁ ଚୁମା ଦେବା ଭଳିଆ ଆକାର କରୁଛି ତେବେ ଜାଣିବା ଯେ ତା’ ଭିତରେ କିଛି ଅଭିଳାଷ ଅଛି। ଓଠ ଫଡ଼କାଇବା ନିରାଶାର ସୂଚନା ଦେଇଥାଏ। ମିଛୁଆ ଲୋକେ ବାରମ୍ବାର ଓଠ ଫଡ଼କାଇଥାନ୍ତି।

ନାକରୁ ଜାଣି ହୁଏ ଭାବ
ନାକ ପ୍ରସାରିତ ହେଲେ ଲୋକଟି ବହୁତ ରାଗିଛି ବୋଲି ଜଣାପଡ଼ିଯାଏ। ନାକ ଲାଲ ଦେଖାଯିବା ସହିତ ଫୁଲି ଯାଇଥିଲେ ଲୋକଟି ମିଛ କହୁଥିବାର ଆଭାସ ମିଳେ।

କଥା କହେ ମୁହଁର ଠାଣି
ମୁହଁରେ ହସ ଥିଲେ ବ୍ୟକ୍ତଟି ଖୁସିରେ ଥିବ ବୋଲି ସମସ୍ତେ ଜାଣିଛୁ। ହସ ସହିତ ଆଖିଡୋଳାର ଚାଳନାକୁ ନେଇ ଖୁସିର ପରିମାଣ ମଧ୍ୟ ଜାଣି ହୋଇଥାଏ। ଶୁଖିଲା ମୁହଁରୁ ଆମେ ଜାଣିପାରୁ ଯେ ବ୍ୟକ୍ତିଟି ଦୁଃଖରେ ଅଛି। ପାଟିର ଉଭୟ ଓଠ ମଧ୍ୟରେ ଅଧିକ ବ୍ୟବଧାନ ଥାଇ ଆଖି ମଧ୍ୟ ପୂରା ଖୋଲା ରହିଲେ, ଜଣାଯାଏ ବ୍ୟକ୍ତିଟି ଆଶ୍ଚର୍ଯ୍ୟାନ୍ଵିତ। ଆଖି ଡୋଳା ସହିତ ଉପରକୁ ଉଠିବା ଏବଂ ପାଟି ଖୋଲା ରହିବା ଭୟର ସୂଚନା ଦିଏ।

ସ୍ମିତ ହସ ସହିତ ଓଠର ଗୋଟିଏ ପଟ ଉପରକୁ ଉଠିଲେ, ତାହା ବ୍ୟକ୍ତିଟି ଅନ୍ୟକୁ ଅବଜ୍ଞା, ଉପେକ୍ଷା ବା ଉପହାସ କରୁଛି ବୋଲି କୁହାଯାଏ।
ମୁହଁର ଭାଷାରୁ ମନର ଭାଷା ପଢ଼ିବାର କଳାକୁ କୁହାଯାଏ ଫିଜିଓନେମି। ଫିଜିଓାନେମିର ଅର୍ଥ ହେଉଛି ବାହ୍ୟ ରୂପରୁ ଜଣକର ଅନ୍ତରର କଥା ଜାଣିବା। ଅନ୍ୟ ସମ୍ପର୍କରେ ଜାଣିବା ପାଇଁ ଅନୁସରଣ କରାଯାଉଥିବା ଏହା ଏକ ପୁରୁଣା କୌଶଳ। ଏହା ଜ୍ୟୋତିର୍ବିଜ୍ଞାନର ଏକ ବିଭାଗ ମଧ୍ୟ। ପ୍ରାଚୀନ କାଳରେ ଗ୍ରୀକ୍‌ ଦାର୍ଶନିକମାନେ ଏହା ଅନୁସରଣ କରୁଥିଲେ। ଊନବିଂଶ ଶତାବ୍ଦୀରେ ଜୋହାନ୍‌ କାସପର୍‌ ଲାଭାତେରଙ୍କ ଦ୍ୱାରା ଏହା ଅଧିକ ଲୋକପ୍ରିୟ ହୋଇଥିଲା। ଏହି କଳା ବା ପଦ୍ଧତି କାମ ଦେଉଛି କି ନା ତାହାର ହୁଏତ ପ୍ରମାଣ ନାହିଁ, କିନ୍ତୁ ଏହି ପଦ୍ଧତିରୁ କୃତ୍ରିମ ବୁଦ୍ଧି ତଥା ଯନ୍ତ୍ର ମାଧ୍ୟମରେ ମୁହଁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ଆନ୍ଥ୍ରୋପସ୍କୋପି ମଧ୍ୟ କୁହାଯାଏ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହାକୁ ପାଠ୍ୟକ୍ରମ ଭାବରେ ପଢ଼ାଯାଉଛି।

ସମ୍ବନ୍ଧିତ ଖବର