ଗୁଗଲ୍‌ ପେ’ ପିନ୍‌ ମାଗି ଲକ୍ଷେ ଟଙ୍କା ଲୁଟ୍‌

ଭୁବନେଶ୍ବର : ଭିଏସ୍‌ଏସ୍‌ନଗର ଅଞ୍ଚଳର ଅରୁଣ କୁମାର ତ୍ରିପାଠୀ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଅନ୍‌ଲାଇନ୍‌ ଲୁଟେରା ଚତୁରତାର ସହ ଗୁଗୁଲ ପେ’ ଆପ୍‌ ଜରିଆରେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟି ନେଇଛି। ଏନେଇ ସେ ପ୍ରଥମେ ସହିଦନଗର ଓ ପରେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କିଛି ଦିନ ତଳେ ଅରୁଣ ରନ୍ଧନ ଗ୍ୟାସ୍‌ ପାଇଁ ନୋଭା ଇଣ୍ଡେନ୍‌ରେ ବୁକିଂ କରିଥିଲେ। ହେଲେ ଆସିବାରେ ବିଳମ୍ବ ହେବାରୁ ସେ ତାଙ୍କ ଆବେଦନର ସ୍ଥିତି ଜାଣିବା ପାଇଁ ଗୁଗୁଲ୍‌ରେ ଚେକ୍‌ କରିଥିଲେ। ଗୁଗ୍‌ଲରୁ ଯେଉଁ ନମ୍ବର ମିଳିଥିଲା, ସେଥିରେ ଅରୁଣ ଯୋଗାଯୋଗ କରି ସିଲିଣ୍ଡର ବିଷୟରେ ପଚାରିଥିଲେ। ଯେଉଁ ବ୍ୟକ୍ତିଜଣଙ୍କ ଫୋନ୍‌ ଉଠାଇଥିଲେ ସେ କହିଥିଲେ ଯେ ତମର ଗ୍ୟାସ୍‌ କ୍ୟାନସଲ୍‌ ହୋଇଯାଇଛି। ଆଉଥରେ ଫର୍ମ ପୂରଣ କର। ମୁଁ ତୁମ ମୋବାଇଲ୍‌କୁ ଲିଙ୍କ ପଠାଉଛି। ଏଥିପାଇଁ ତୁମକୁ ଗୁଗଲ୍‌ ପେ’ରୁ ୧୦ଟଙ୍କା ଦେବାକୁ ପଡ଼ିବ। ଏହାପରେ ବ୍ୟକ୍ତିଜଣଙ୍କ ଅରୁଣଙ୍କ ମୋବାଇଲ୍‌କୁ ଲିଙ୍କ ପଠାଇଥିଲେ। ଅରୁଣ ଲିଙ୍କରୁ ଫର୍ମ ଡାଉନ୍‌ଲୋଡ୍‌ କରି ସେଥିରେ ତାଙ୍କର ନାମ, ମୋବାଇଲ୍‌ ନମ୍ବର ଓ ୧୦ଟଙ୍କା ଭରିଥିଲେ। ଏହାପରେବ୍ୟକ୍ତି ଜଣଙ୍କ ଫୋନ୍‌ କରି ଗୁଗଲ୍‌ ପେ’ ପିନ୍‌ ମାଗିଥିଲେ। ଅରୁଣ ତାଙ୍କୁ ପିନ୍‌ ଦେବାର କିଛି ସମୟ ପରେ ତାଙ୍କ ଏସ୍‌ବିଆଇ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିଲା।

ସମ୍ବନ୍ଧିତ ଖବର