ସୁଶାନ୍ତ, ପ୍ରୀତିନନ୍ଦା କୋଟିପତି; ଅନନ୍ତ ଲକ୍ଷପତି

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର ଲୋକସଭା ନିର୍ବଚନମଣ୍ଡଳୀ ପାଇଁ ନାମାଙ୍କନ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି। ଶେଷ ଦିନରେ ୫ ଆସନ ପାଇଁ ୩୬ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ଭୁବନେଶ୍ବର ଏକାମ୍ର ପାଇଁ ୫, ମଧ୍ୟ ପାଇଁ ୯ ଓ ଉତ୍ତର ପାଇଁ ୧୧ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ଉତ୍ତର ଭୁବନେଶ୍ବରରୁ ପ୍ରାର୍ଥୀ ହୋଇଥିବା ବିଜେଡିର ସୁଶାନ୍ତ କୁମାର ରାଉତ ଓ ସ୍ବାଧୀନ ପ୍ରାର୍ଥୀ ପ୍ରୀତିନନ୍ଦା ରାଉତରାୟ କୋଟିପତି ତାଲିକାରେ ରହିଛନ୍ତି।

ସୁଶାନ୍ତଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ହେଉଛି ୩ କୋଟି ୮୬ଲକ୍ଷ ୯, ୯୪୮ ଟଙ୍କା। ତାଙ୍କ ପତ୍ନୀଙ୍କ ପାଖରେ ୧କୋଟି ୪୦ଲକ୍ଷ ୬୬ହଜାର ଟଙ୍କା ଅସ୍ଥାବର ସଂପତ୍ତି ରହିଛି। ଉଭୟଙ୍କ ପାଖ‌ରେ ନଗଦ ପ୍ରାୟ ୨ଲକ୍ଷ ଟଙ୍କା ଓ ୬ଲକ୍ଷ ୬୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସୁଶାନ୍ତଙ୍କ ପାଖରେ ଗୋଟିଏ ଏନ୍‌.ପି ବୋର ରିଭଲଭର୍‌ ରହିଛି ଯାହାର ମୂଲ୍ୟ ୮୦ହଜାର ଟଙ୍କା। ମାତ୍ର ଉଭୟ ପତି/ପତ୍ନୀ ବିଭିନ୍ନ ବ୍ୟାଙ୍କରୁ ୪ କୋଟି ୨୪ଲକ୍ଷ ୬୨ହଜାର ଟଙ୍କାର ଲୋନ୍ ନେଇଛନ୍ତି। ସେହିପରି ପୂର୍ବତନ ମେୟର ତଥା ମଧ୍ୟ ଭୁବନେଶ୍ବର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପାଖରେ ୫୦ହଜାର ଟଙ୍କା ଥିବା ବେଳେ ତାଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ପ୍ରାୟ ୫୦ଲକ୍ଷ। ଏଥିରେ ୩ଲକ୍ଷ ୧୫ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ରହିଛି। ଅନନ୍ତଙ୍କ ୧୫ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ଥିବା ବେଳେ ତହିଁରେ ୧୦ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଛି।

‌ସେହିପରି ଭୁବନେଶ୍ବର ଉତ୍ତରରୁ ସ୍ବାଧୀନଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରୀତିନନ୍ଦା ରାଉତରାୟ ହେଉଛନ୍ତି କୋଟିପତି। ତାଙ୍କ ଅସ୍ଥାବର ଓ ସ୍ଥାବର ସଂପତ୍ତିର ମୂଲ୍ୟ ହେଉଛି ୧ କୋଟି ୮୫ଲକ୍ଷ। ପାଖରେ ୫୦ ହଜାର ଟଙ୍କା ଓ ସ୍ବାମୀଙ୍କ ପାଖରେ ୩୭ହଜାର ଟଙ୍କା ଅଛି। ପ୍ରୀତିନନ୍ଦାଙ୍କ ପାଖରେ କେଜିଏ ସୁନା ରହିଛି, ଯାହାର ମୂଲ୍ୟ ୩୦ଲକ୍ଷ ଟଙ୍କା। ୩ଟି ବ୍ୟାଙ୍କରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କାର ଫିକ୍‌ସଡ ଡିପୋଜିଟ୍ ରହିଛି। ତାଙ୍କର ନିଜସ୍ବ ଗାଡ଼ି ନ ଥିବା ବେଳେ ସ୍ବାମୀଙ୍କର ୨ଟି ଗାଡ଼ି ରହିଛି। ତେବେ ବ୍ୟାଙ୍କରୁ ୨୦ଲକ୍ଷ ଟଙ୍କାର ଲୋନ୍ ନେଇଛନ୍ତି ପ୍ରୀତିନନ୍ଦା।

କଂଗ୍ରେସ ପ୍ରାର୍ଥୀ ଇତିସ ପ୍ରଧାନଙ୍କ ପାଖରେ ୫୦ହଜାର ଟଙ୍କା ଅଛି। ତାଙ୍କର ୧୧ଲକ୍ଷ ଟଙ୍କା ମୂଲ୍ୟର ସ୍କର୍ପିଓ ଗାଡ଼ି ଓ ୫୦ହଜାର ଟଙ୍କାରେ ହୋଣ୍ଡା ଆଭିଏଟର ରହିଛି। ଏହାସହ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଇତିଶଙ୍କ ପାଖରେ ଅଛି। ତାଙ୍କର ୧୦ଲକ୍ଷ ଟଙ୍କା ମୂଲ୍ୟର ଚାଷ ଜମି ଅଛି। ତାଙ୍କ ବିରୋଧରେ ୨୫ଟି ମାମଲା ରହିଥିବା ଇତିସ ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର