ଜୟଦେବ ନିର୍ବାଚନମଣ୍ଡଳୀ : ଲଢ଼େଇ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଆଉଟ୍‌

ନାମାଙ୍କନ ପତ୍ର ନାକଚ

ଭୁବନେଶ୍ବର : ଜୟଦେବ ନିର୍ବାଚନମଣ୍ଡଳୀରେ ଲଢ଼େଇ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ମଇଦାନରୁ ବାହାରି ଯାଇଛନ୍ତି। ଆଜି ପ୍ରାର୍ଥିପତ୍ର ଯାଞ୍ଚ ବେଳେ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ିଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ନାମାଙ୍କନପତ୍ରରେ ତ୍ରୁଟି ଥିବାରୁ ତାହାକୁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର୍‌ ନାକଚ କରିଦେଇଛନ୍ତି। କଂଗ୍ରେସ ପରି ଏକ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଯିବା ଘଟଣା ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଶ୍ରୀ ତିଆଡ଼ିଙ୍କ ନାମାଙ୍କନରେ ପ୍ରସ୍ତାବକଙ୍କ ନାମ ଜାଗାରେ ତାଙ୍କ ନିଜ ନାମ ଉଲ୍ଲେଖ ରହିଥିବା ବେଳେ ପ୍ରସ୍ତାବକଙ୍କ ସ୍ବାକ୍ଷର ମଧ୍ୟ ନ ଥିଲା। ସେଥି ପାଇଁ ତାଙ୍କ ନାମାଙ୍କନ ନାକଚ କରିଦିଆଯାଇଥିଲା। ସେହି ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ସୁରେନ୍ଦ୍ର ଭଞ୍ଜ, ଜୟନ୍ତ କୁମାର ଭୋଇ, ମହେନ୍ଦ୍ର କୁମାର ବେହେରା ଓ ବାହାନ ଭୋଇଙ୍କ ନାମାଙ୍କନ ବି ବିଭିନ୍ନ କାରଣରୁ ନାକଚ ହୋଇଯାଇଛି। ଏଠ‌ାରେ ମୋଟ୍‌ ୮ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି।

ଲଢ଼େଇ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ମଇଦାନରୁ ଦୂରେଇ ଯାଇଥିବାରୁ କଂଗ୍ରେସ କର୍ମୀମାନେ ବର୍ତ୍ତମାନ କାହା ସହିତ ରହିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେଇ ତାଙ୍କୁ ଭୋଟ୍‌ ଦେବାକୁ କର୍ମୀମାନଙ୍କୁ କହିବ ନା ଅନ୍ୟ କୌଣସି ରଣନୀତି ଆପଣାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଅନୁଯାୟୀ ଏବେ ଏଠାରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ଢାଲି, ବିଜେପି ପ୍ରାର୍ଥୀ ନ‌େରନ୍ଦ୍ର ନାୟକ ଓ ‘ଆମ ସଂଗଠନ’ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନର ଜୟଦେବ ବିଧାୟକ ତଥା ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବିଜେଡି ଟିକେଟ୍‌ ମିଳି ନାହିଁ। ଅନ୍ୟ ନିର୍ବାଚନମଣ୍ଡଳୀରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲେ ବି ସେପରି କିଛି ସମ୍ଭାବନା କମ୍। ତେଣୁ ଜୟଦେବରେ ବିଜେଡି ପ୍ରାର୍ଥୀ ଶ୍ରୀ ଢାଲିଙ୍କୁ ଶ୍ରୀ ବେହେରା ସମର୍ଥନ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଶ୍ରୀ ଢାଲିଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଶ୍ରୀ ବେହେରାଙ୍କୁ ଦେଖିବାକୁ ମିଳି ନ ଥିଲା। ଶ୍ରୀ ବେହେରା ଓ ତାଙ୍କ ଖାସ୍ ସମର୍ଥକମାନେ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। ତେଣୁ ଆଗକୁ ସେମାନଙ୍କ ଉପରେ ରାଜନୈତିକ ମହଲର ନଜର ରହିଛି।

ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୪ ଜଣ, ଜଟଣୀ ପାଇଁ ୭ ଜଣ, ଭୁବନେଶ୍ବର ଉତ୍ତର ପାଇଁ ୧୭ ଜଣ ଓ ମଧ୍ୟ ପାଇଁ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ ଆଜି ଯାଞ୍ଚ ‌ବ‌େଳେ ସବୁ ପ୍ରାର୍ଥିପତ୍ର କାଏମ୍ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ତାହା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର