ରାସ୍ତାରେ ବସୁୁଛି ପଳାସୁଣି ହାଟ, ନା ଅଛି ପିଣ୍ଡି ନା କିଛି ସ୍ଥାୟୀ ବ୍ୟବସ୍ଥା

ଭୁବନେଶ୍ୱର: ସୋମବାର ଓ ଶୁକ୍ରବାର ହାଟ ବସେ। ୧୫୦ ବ୍ୟବସାୟୀ ନିଜର ପସରା ଖୋଲନ୍ତି। ପ୍ରାୟ ୫ ହଜାରରୁ ଊର୍ଧ୍ୱ ଲୋକ ଏଠାରୁ କଣାକିଣି କରନ୍ତି। କିନ୍ତୁ ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ବସିବା ପାଇଁ କିମ୍ବା ଗ୍ରାହକଙ୍କୁ ସୁରକ୍ଷିତ କିଣାକିଣି କରିବାକୁ ଉପଯୁକ୍ତ ପରିବେଶଟିଏ ଯୋଗାଇ ଦେବାକୁ କାହାର ମନ ବଳୁନି। ନା ପିଣ୍ଡି ଖଣ୍ଡିଏ ହେଇଛି ନା ପାର୍କିଂ ପାଇଁ ଜାଗା। ସେମିତି ଦୀର୍ଘ ୧୨ ବର୍ଷ ହେଲା ବେପାରୀମାନେ ରାସ୍ତାରେ ବସି ବିକ୍ରିବଟା କରୁଛନ୍ତି। ଫଳରେ ଯାତାୟାତରେ ନାନା ଅସୁବିଧା ଉପୁଜୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ହେଉଛି ରାଜଧାନୀର ବହୁ ପୁରୁଣା ପଳାସୁଣି ହାଟର ବାସ୍ତବ ଚେହେରା। ଦୀର୍ଘ ୨୫ ବର୍ଷର ଏହି ହାଟ। ଦୟାେଓ୍ଵଷ୍ଟ କେନାଲ ଉପରେ ଏହା ଗଢ଼ି ଉଠିଥିଲା। ଭୁବନେଶ୍ୱର ବ୍ୟବସାୟ ସଂଘର ସଭାପତି ସ୍ୱର୍ଗତ ସୁରେନ୍ଦ୍ର ସୁନ୍ଦରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ଆଖପାଖ ଗାଁର ବ୍ୟବସାୟୀଙ୍କ ବିକ୍ରିବଟା ପାଇଁ ପ୍ରାୟ ୮୦ଟି ପିଣ୍ଡି ତିଆରି କରାଯାଇଥିଲା। କିନ୍ତୁ ରାସ୍ତା ପ୍ରଶସ୍ତ କରିବା ପାଇଁ ୨୦୦୫ ବେଳକୁ ସମସ୍ତ ପିଣ୍ଡି ଭାଙ୍ଗି ଦିଆଗଲା। ସରକାର ପ୍ରତିଶ୍ରୁତି ଦେଲେ ଯେ ଖୁବ୍‌ଶୀଘ୍ର ସ୍ଥାୟୀ ବ୍ୟବସ୍ଥା କରାଯିବ। କିନ୍ତୁ ଏହା ଭିତରେ ୧୨ ବର୍ଷ ବିତିଗଲା। ନା ପିଣ୍ଡି ତିଆରି ହେଲା ନା ଜାଗା ଖଣ୍ଡିଏ ଯୋଗାଇ ଦିଆଗଲା ବେପାରୀଙ୍କୁ। ଏନେଇ ସାଧାରଣ ପ୍ରଶାସନର ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସେଭଳି କୌଣସି ସୁଫଳ ମିଳିନାହିଁ। ରାସ୍ତାରେ ବସି ବେପାର କରିବାକୁ ହାଟ ବେପାରୀ ବାଧ୍ୟ ହେଉଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ବେପାରୀ ବସିବା ଫଳରେ ଯାତାୟାତରେ ନାନା ଅସୁବିଧା ଉପୁଜୁଛି। ରାସ୍ତା ପୂରା ଅବରୋଧ ହୋଇ ରହୁଛି। ଏହି ହାଟକୁ ବାଲିଅନ୍ତା, ହଂସପାଳ, ପଥରକୋଟ, ବୋନୁପୁର, ବିଞ୍ଝାରପୁର, ବାଲିପାଟଣା ଓ ନଖରା ଆଦିରୁ ବ୍ୟବସାୟୀ ଆସି ନାନାଜାତ ପନିପରିବାଠାରୁ ଆରମ୍ଭ କରି ଚପଲ, ଲୁଗା, ରାସନ୍‌ ଓ ପ୍ରସାଧନ ସାମଗ୍ରୀ ଆଦି ଆଣି ବ୍ୟବସାୟ କରନ୍ତି। ପୁରୁଣା ଓ ବଡ଼ ହାଟ ହୋଇଥିବାରୁ ଆଖପାଖ ଅଞ୍ଚଳ ତଥା ପଳାଶୁଣି, ପାଣ୍ଡରା, ଜିଜିପି କଲୋନି, ଭାଗବତ ସନ୍ଧାନ, ରସୁଲଗଡ଼ ଗାଁ, ମଞ୍ଚେଶ୍ୱର, ଚକେଇଶିଆଣି, ପିଏଚ୍‌ଡି କଲୋନି ଓ ପ୍ରାଚୀ ବିହାର ଅଞ୍ଚଳରୁ ବହୁ ଲୋକ ଏଠାରେ କିଣାକିଣି କରନ୍ତି। ପ୍ରାୟ ୭୫% ମହିଳା ଏଠାକୁ ଆସୁଥିବା ବେଳେ ଏତେ ଠେଲାପେଲା ମଧ୍ୟରେ କିଣାକିଣି କରିବାକୁ ନାପସନ୍ଦ କରୁଛନ୍ତି।

କିଛି ସ୍ଥାୟୀ ବନ୍ଦୋବସ୍ତ କରାଯାଉ
ସରକାର ପ୍ରତିଶ୍ରୁତି ଦେଇଥିଲେ କିଛି ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ। ପ୍ରତିଶ୍ରୁତି ରକ୍ଷା କରନ୍ତୁ। ମଉଜା ପାଣ୍ଡରା ଖାତା ନଂ-୩୪୪୬, ୫୩୯୬ ବା ୩୧୦୭ ସରକାରୀ ଜାଗାକୁ ବ୍ୟବସାୟ ପାଇଁ ଦିଅନ୍ତୁ କିମ୍ବା ଦିଲ୍ଲୀ, ବମ୍ବେ ଆଦି ମେଟ୍ରୋ ସିଟି ଭଳି କେନାଲ ଉପରେ ଢଳେଇ କରି ଜାଗା ଖଣ୍ଡେ ଲେଖାଏଁ ଦେଇ ବେପାର ପାଇଁ ଅନୁମତି ଦିଅନ୍ତୁ। ତୁରନ୍ତ ଏହି ହାଟ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରାଯାଉ।
ରମେଶ ସାହୁ, ସଭାପତି, ମା’ ଖଣ୍ଡେଶ୍ୱରୀ ହାଟ ବ୍ୟବସାୟୀ ସଂଘ
ସୀମିତ ଜାଗା ଭିତରେ ଅଳ୍ପ ବେପାର ହେଉଛି
୨୫ ବର୍ଷ ହେଲା ଏଠାରେ ବେପାର କରୁଛୁ। କିନ୍ତୁ ଏହି ୧୨ ବର୍ଷ ହେଲା ଭାରି ହଇରାଣ ହେଉଛୁ। ରାସ୍ତାରେ ବସୁଥିବାରୁ ଜିନିଷ ରଖିବାକୁ ଜାଗା ନଥାଏ। ତେଣୁ ଅଧିକ ଜିନିଷ ଆଣିିପାରୁନା। ଆଣିଲେ ବି ପସରା ଖୋଲିବାକୁ ଓ ରଖିବାକୁ ସ୍ଥାନ ନାହିଁ। ତେଣୁ ସୀମିତ ସ୍ଥାନ ଭିତରେ ଅଳ୍ପ ବ୍ୟବସାୟ କରିବାକୁ ବାଧ୍ୟ ହେଉ। ପୁଣି ରାସ୍ତା ଅତ୍ୟନ୍ତ ଗହଳି ହୋଇଯିବା ଫଳରେ ଅନେକ ଗ୍ରାହକ ଫେରିଯାଆନ୍ତି।
ଶ୍ରୀଧର ନାଥ, ପରିବା ବ୍ୟବସାୟୀ, ବାଲିଅନ୍ତା
ସ୍ଥାନୀୟ ଲୋକେ ହଇରାଣ ହେଉଛୁ
ବହୁ ବର୍ଷ ହେଲା ଏଠାରେ ହାଟ ବସୁଛି। ପ୍ରତି ସୋମବାର ଓ ଶୁକ୍ରବାର ହାଟ ବସୁଥିବାରୁ ଏହି ଦିନ ସନ୍ଧ୍ୟା ସମୟ ଏଠାରେ ବେଶ୍‌ ଗହଳି ଜମେ। ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଏହି ହାଟକୁ ଆସୁଥିବାରୁ ଯାତାୟାତରେ ଯାବତୀୟ ଅସୁବିଧା ସୃଷ୍ଟି ହୁଏ। ସ୍ଥାୟୀ ଦୋକାନ ସମ୍ମୁଖରେ ଲୋକେ ଗାଡି ପାର୍କିଂ କରିଦେବା ଫଳରେ ସେମାନଙ୍କୁ ତ’ ଅସୁବିଧା ହୁଏ ତା ସହ ସେମାନଙ୍କ ବେପାର ବି ମାନ୍ଦା ପଡ଼େ। ସବୁଠାରୁ ଅଧିକ ହଇରାଣ ହୁଅନ୍ତି ସ୍ଥାନୀୟ ଲୋକେ।
ସୁକାନ୍ତ କୁମାର ସାହୁ, ସ୍ଥାନୀୟ ବାସିନ୍ଦା, ପଳାସୁଣି
ପାର୍କିଂ ସୁବିଧା ନାହିଁ
ଏଠାରେ ଗାଡ଼ି ରଖିବାକୁ ସୁବିଧା ନ ଥିବାରୁ ଲୋକେମାନେ ରାସ୍ତା ଉପରେ ଗାଡ଼ି ପାର୍କିଂ କରିଦିଅନ୍ତି। ଗାଡ଼ି ରଖିବାରେ ଏଠାରେ ନାନା ଅସୁବିଧା ସୃଷ୍ଟି ହୁଏ। ବହୁ ଦୂରରେ ଗାଡ଼ି ରଖି ଚାଲି ଚାଲି ଆସୁ। ଆଉ ଗାଡ଼ି ମୋଟରକୁ ନେଇ ସୁରକ୍ଷିତ ବି ଲାଗେନି। ସଂକୀର୍ଣ୍ଣ ରାସ୍ତାରେ ଗାଡ଼ି ନିଜ ଆଡ଼କୁ ମାଡ଼ିଯିବାର ଭୟ ବି ରହୁଛି।
ସୁବାସ ଚନ୍ଦ୍ର ରାଉତରାୟ, ଗ୍ରାହକ, ରସୁଲଗଡ଼

ସମ୍ବନ୍ଧିତ ଖବର