ବାଘ ଓ ମଣିଷ

କଥାଟିଏ - ଯାଯାବର

ମଧ୍ୟ ପ୍ରଦେଶ ଆଦିବାସୀ ଲୋକକଥାଟିଏ ଶୁଣନ୍ତୁ।

ଜଣେ ଲୋକ ଜଙ୍ଗଲ ଭିତର ଦେଇ ଯାଉଥିବା ବେଳେ ବାଘ ହାବୁଡ଼ରେ ପଡ଼ିଲା। ଲୋକଟି ନେହୁରା ହୋଇ କହିଲା- ମୋତେ ଛାଡ଼ି ଦିଅ। ମୁଁ ବହୁତ ଅସୁବିଧାରେ ଅଛି। ମୋ ଝିଅର ବାହା ଘର ହେବାକୁ ଅଛି। ମୁଁ ତୁମକୁ କଥା ଦେଉଛି ମୋ ଜଞ୍ଜାଳ ତୁଟେଇ ତୁମ ପାଖକୁ ଆସିବି। ମୋତେ କେବଳ ଦୁଇ ସପ୍ତାହ ସମୟ ଦିଅ।

ଏ କଥା ଶୁଣି ବାଘ ତାକୁ କହିଲା- ତୁମେ କଥା ଦେଲ ବୋଲି ମୁଁ ତୁମକୁ ଛାଡ଼ିଦେଲି। କିନ୍ତୁ ମନେ ରଖ, ଦୁଇ ସପ୍ତାହ।

ଦୁଇ ସପ୍ତାହ ପରେ ବାଘ ଦେଖିଲା ଲୋକଟି ଆସୁଛି। କିନ୍ତୁ ତା ମନ ଭିତରେ ହଠାତ୍‌ ଛନକା ପଶିଲା। ସେ ଭାବିଲା, ଲୋକଟି କିଛି ଚାଲବାଜି କରୁନାହିଁ ତ? ଏହା ଭାବି ସେ ଗୋଟିଏ ବୁଦା ପଛରେ ଲୁଚି ଗଲା।

ଲୋକଟି ସେଠାରେ ପହଞ୍ଚି ବାଘକୁ ଡାକିଲା ଏବ˚ କହିଲା- ମୁଁ ମୋର ବାକ୍ୟ ରକ୍ଷା କରି ଆସିଗଲିଣି। ବାଘ ଭାଇ, ଏବେ ଆସ।

ହଠାତ୍‌ ବୁଦା ପଛରୁ ବାଘର ଗର୍ଜନ ଶୁଭିଲା। ଲୋକଟି ତତ୍‌କ୍ଷଣାତ୍‌ ବୁଦା ଆଡ଼କୁ ଇସାରା କଲା ଏବ˚ ଗୋଟିଏ ଗଛ ପଛରୁ ଆଖି ପିଛୁଳାକେ ଦୁଇ ତିନିଟି ତୀର ସାଇଁ ସାଇଁ କରି ବୁଦା ଭିତରକୁ ପଶିଗଲା।

ଲୋକଟି ତା ପରେ କିଛି କହିବା ପୂର୍ବରୁ ବାଘର ଗର୍ଜନ ଆଉ ଥରେ ଶୁଭିଲା। ଏଥର ବାଘ କହିଲା-ବିଶ୍ବାସଘାତକ, ତୋତେ ଛାଡ଼ିଦେଇଥିଲି ତୋ ସତ୍ୟ ବଚନ ଉପରେ ବିଶ୍ବାସ କରି। କିନ୍ତୁ ତୁ ମୋ ସହିତ ପ୍ରତାରଣା କଲୁ! ଏଣିକି ତୁମ ଜାତି ଉପରେ ଆଉ ବିଶ୍ବାସ ନାହିଁ।

ଏହା କହି ବାଘ ଆଖି ପିଛୁଳାକେ କୁଆଡେ଼ ଚାଲିଗଲା। ବାଘ ଓ ମଣିଷର ଶତ୍ରୁତା ସେହି ଦିନ ଠାରୁ ଲାଗି ରହିଛି। ଆଦିବାସୀମାନେ ବିଶ୍ବାସ କରନ୍ତି ଯେ ଯେତେବେଳେ ମଣିଷ ମନରେ ଅସତ୍ୟ ଭାବ ଓ ବାଘ ମନରେ ଛନକା ପଶିଲା ସେତିକି ବେଳେ ପୃଥିବୀକୁ କଳି ଯୁଗ ପଶିଲା।

ସମ୍ବନ୍ଧିତ ଖବର

Comments are closed.