୧୯୩୯ରୁ ୧୯୪୬। ଏହି ସାତବର୍ଷ ଭିତରେ ବ୍ରିଟିସ ଶାସନାଧୀନ ଭାରତୀୟ ରାଜନୀତିରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ୧୯୩୯ ପ୍ରାଦେଶିକ ନିର୍ବାଚନର ବିପର୍ଯ୍ୟୟ ପରେ ଜିନ୍ନା ନିଜ ଦଳ ମୁସ୍ଲିମ୍ ଲିଗ କେମିତି କଂଗ୍ରେସର ସମାସ୍କନ୍ଦ ହୋଇପାରିବା, ସେଇ ଚେଷ୍ଟାରେ ଲାଗିପଡ଼ିଥିଲେ। ୧୯୪୬ ପ୍ରାଦେଶିକ ବିଧାନ ପରିଷଦ ନିର୍ବାଚନରେ ସେ ସେଥିରେ ବେଶ ସଫଳ ହେଲେ। କଂଗ୍ରେସ ପୂର୍ବଭଳି ସେଥର ମଧ୍ୟ ଅଣ-ମୁସ୍ଲିମ ସାଧାରଣ ଆସନଗୁଡ଼ିକ ମଧ୍ୟରୁ ୯୦ ଭାଗ ଆସନରେ ପତିଆରା ଜାହିର କରିପାରିଥିଲା। ତେବେ ଏ ଥର କିନ୍ତୁ ମୁସଲମାନଙ୍କ ସଂରକ୍ଷିତ ଆସନରେ ମୁସ୍ଲିମ ଲିଗ୍ ନିଜ ପତିଆରା ଜାହିର କରିବାରେ ସଫଳ ହେଲା। ଏହି ନିର୍ବାଚନର ଏକ ଉଲ୍ଲେଖନୀୟ ଦିଗ ହେଲା, ମୁସଲମାନ ଅଧ୍ୟୁଷିତ ପ୍ରଦେଶଗୁଡ଼ିକୁ ଛୋଟଛୋଟ ପ୍ରାନ୍ତୀୟ ଦଳଗୁଡ଼ିକର ପୂର୍ବ ପ୍ରଭାବରୁ ମୁକ୍ତ କରି ମୁସ୍ଲିମ ଲିଗ୍ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହେଲା। ଏଣିକି ମୁସ୍ଲିମ ଲିଗ୍କୁ ଭାରତରେ ମୁସଲମାନମାନଙ୍କ ଏକମାତ୍ର ପ୍ରତିନିଧି ଦଳ ଭାବେ ବିବେଚନା କରାଗଲା। ଏହି ନିର୍ବାଚନରେ ଦେଶରେ ରାଜନୈତିକ ଧ୍ରୁବୀକରଣ ଆରମ୍ଭ ହେଲା। ପାକିସ୍ତାନ ଗଠନ ପାଇଁ ମୂଳଦୁଆ ଏହି ନିର୍ବାଚନଠାରୁ ପଡ଼ିଥିଲା ବୋଲି କୁହାଯାଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯ ସେପ୍ଟେମ୍ବର ୧୯୪୫ରେ ବଡ଼ଲାଟ ଲର୍ଡ଼ ୱାଭେଲ୍ଙ୍କ ଘୋଷଣା ଅନୁସାରେ ଦେଶରେ ପ୍ରାଦେଶିକ ଓ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାଗୁଡ଼ିକ ପାଇଁ ଡିସେମ୍ବର ୧୯୪୫ ଓ ଜାନୁଆରି ୧୯୪୬ରେ ନିର୍ବାଚନ ଅନୁଷ୍ଠିତ ହେଲା। ନିର୍ବାଚନ ପରେ ଏକ ବିଧାନ ପରିଷଦ ଗଠନ ହେବାର ବ୍ୟବସ୍ଥା ରହିଲା। ଏଥିସହ ସ୍ବାଧୀନତା ପରବର୍ତ୍ତୀ ଭାରତ ପାଇଁ ଏକ ସମ୍ବିଧାନ ପ୍ରଣୟନ ନିମନ୍ତେ ମଧ୍ୟ ବାଟ ଖୋଲିଲା। ପ୍ରାଦେଶିକ ନିର୍ବାଚନରୁ ହିଁ ଦେଶ ପାଇଁ ଏକ ଶାସନ ବିଧାୟକ (ସମ୍ବିଧାନ ପ୍ରଣୟନ) ସଭା ଗଠନର ବ୍ୟବସ୍ଥା କରାଗଲା।
ସମଗ୍ର ଦେଶର ସବୁ ବର୍ଗର ଲୋକଙ୍କ ପ୍ରତିନିଧିତ୍ବ କରିବା ନେଇ ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରଚାର କରିଥିବା ବେଳେ ମୁସ୍ଲିମ ଲିଗ୍ ଦେଶର କେବଳ ମୁସଲମାନଙ୍କର ପ୍ରତିନିଧିତ୍ବ କରୁଥିବା ନେଇ ଦାବି କଲା। ମୁସ୍ଲିମ ଲିଗ୍ ପୃଥକ ପାକିସ୍ତାନ ଗଠନକୁ ଏହି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ କରିବାରେ ସଫଳ ହେଲା। ପୂର୍ବରୁ ଏହି ସାଂପ୍ରଦାୟିକ ଦଳ କେବଳ ମୁସଲମାନ ସଂଖ୍ୟାନ୍ୟୁନ ପ୍ରଦେଶରେ ଭଲ କରୁଥିଲା। ତେବେ ମୁସଲମାନ ସଂଖ୍ୟାଗରିଷ୍ଠ ପ୍ରଦେଶରେ ସମର୍ଥନ ଜୁଟାଇବାକୁ ଜିନ୍ନା ‘ପାକିସ୍ତାନ’ କାର୍ଡ ଖେଳିଲେ। ସେଥିପାଇଁ ମୁସଲମାନ ସମ୍ଭ୍ରାନ୍ତ ବର୍ଗଙ୍କୁ ହାତେଇବାକୁ ଚେଷ୍ଟା କରାଗଲା। ଏକ ପୃଥକ ଇସଲାମିକ ରାଷ୍ଟ୍ର ‘ପାକିସ୍ତାନ’ ଗଠନ ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ମାନଚିତ୍ର ପ୍ରକାଶ କରାଗଲା। ଇସଲାମକୁ ରାଜନୀତି ସହ ଯୋଡ଼ାଗଲା। ତେବେ ମୁସଲମାନ ସଂଖ୍ୟାଗରିଷ୍ଠ ପଂଜାବରେ ମୁସ୍ଲିମ ଲିଗ୍କୁ କ୍ଷମତାରୁ ବାହାରେ ରଖିବା ପାଇଁ ଧର୍ମନିରପେକ୍ଷ ୟୁନିଅନିଷ୍ଟ ପାର୍ଟିର ମୁଖ୍ୟ ସାର୍ ସିକନ୍ଦର ହାୟତ ଖାଁଙ୍କୁ କଂଗ୍ରେସ ଓ ଶିରୋମଣି ଅକାଳି ଦଳ ସମର୍ଥନ କଲେ। ଇସ୍ଲାମ ଧର୍ମଗ୍ରନ୍ଥ ‘କୋରାନ୍’କୁ ମୁସ୍ଲିମ ଲିଗ୍ର ରାଲିମାନଙ୍କରେ ପ୍ରତୀକ ଭାବେ ବ୍ୟବହାର କରାଯିବା ସହ ଯୁବ ଓ ଛାତ୍ରସଂଗଠନଗୁଡ଼ିକୁ ମଧ୍ୟ ଧର୍ମୀୟ ଭିତ୍ତିରେ ଆନ୍ଦୋଳିତ କରିବାକୁ ଚେଷ୍ଟା କରାଗଲା। ଅନ୍ୟ ପକ୍ଷରେ ୟୁନିୟନିଷ୍ଟ ପାର୍ଟି ସପକ୍ଷରେ ଯୁବ ଓ ଛାତ୍ର ମୁସ୍ଲିମ ସଂଗଠନ ନଥିବାରୁ ଦଳ ବିଫଳ ହେଲା। ପୂର୍ବରୁ ୟୁନିୟନିଷ୍ଟ ପାର୍ଟି ପ୍ରତି ଆନୁଗତ୍ୟ ରଖିଥିବା ପୀର ସନ୍ଥମାନେ ମଧ୍ୟ ଧୀରେଧୀରେ ମୁସ୍ଲିମ ଲିଗ୍ ଆଡ଼କୁ ଢଳିବା ଆରମ୍ଭ କଲେ। ଏହାଛଡ଼ା, ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗ ଦେଇଥିବା ୮ ଲକ୍ଷ ଭାରତୀୟ ସୈନିକଙ୍କ ମଧ୍ୟରୁ ପଂଜାବ ପ୍ରଦେଶର ଯେଉଁ ୨୭ ପ୍ରତିଶତ ସୈନିକ ଥିଲେ, ସେମାନେ ନିଜ ନିଜ ଘରକୁ ଫେରିବା ପରେ ତାଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ କର୍ମସଂସ୍ଥାନ ପାଇଲେ। କଂଗ୍ରେସ ବହୁ ସୈନିକଙ୍କ ପାଇଁ ବିକଳ୍ପ ରୋଜଗାରର ବ୍ୟବସ୍ଥା କରିଥିବା ବେଳେ ୟୁନିୟନିଷ୍ଟ ପାର୍ଟି ଏ କ୍ଷେତ୍ରରେ ବିଫଳ ରହିଲା। ତେଣୁ ମୁସ୍ଲିମ୍ ଲିଗ ଏହି ସୁଯୋଗକୁ ହାତେଇଲା। ପୃଥକ୍ ପାକିସ୍ତାନ ରାଷ୍ଟ୍ର ଗଠନ ହିଁ ଆର୍ଥିକ ଦୁର୍ଗତିରୁ ମୁସଲମାନ ସଂପ୍ରଦାୟକୁ ରକ୍ଷା କରିପାରିବ ବୋଲି ଲିଗ୍ର ନେତାମାନେ ଲୋକଙ୍କୁ ବୁଝାଇଲେ। ତେଣୁ ୧୯୪୫ ବେଳକୁ ଦେଶର ରାଜନୀତିରେ ଏକ ବଡ଼ ଧରଣର ଧ୍ରୁବୀକରଣ ହୋଇ କଂଗ୍ରେସ (୧୫୮୫ ଆସନରୁ ୫୮.୨୩ ପ୍ରତିଶତ ଅର୍ଥାତ ୯୨୩ ଆସନ) ସଂଖ୍ୟାଗରିଷ୍ଠ ହିନ୍ଦୁଙ୍କ ପାଇଁ ବ୍ରିଟିସ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ଗଣାଯାଉଥିବା ବେଳେ ହିନ୍ଦୁ ମହାସଭା (ଲଢ଼ିଥିବା ସମସ୍ତ ୧୮ଟି ଆସନରେ ହାରିଲେ) ଭଳି ସାଂସପ୍ରଦାୟିକ ଦଳ ଅପ୍ରାସଙ୍ଗିକ ହୋଇପଡ଼ିଲେ। ଅନ୍ୟ ପକ୍ଷରେ ମୋଟ ଆସନର ୨୬.୮୧ ପ୍ରତିଶତ ଆସନ ପାଇଲା ମୁସ୍ଲିମ ଲିଗ୍ ଦଳ (ପୃଥକ୍ ସଂରକ୍ଷିତ ୪୨୫ ଆସନ)। ଲିଗ୍ର ସବୁଠୁ ବଡ଼ ସଫଳତା ହେଲା, ବେଙ୍ଗଲରେ ମୋଟ ୧୧୯ ସଂରକ୍ଷିତ ଆସନରୁ ଲିଗ୍କୁ ମିଳିଥିଲା ୧୧୩ ଆସନ। ତେବେ ୧୯୪୨ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରିଥିବା କାରଣରୁ କମ୍ୟୁନିଷ୍ଟ ଦଳକୁ ପରାଭବ ଭୋଗିବାକୁ ପଡ଼ିଲା। ୧୦୮ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୮ ଜାଣ ଜିତିପାରିଲେ। ତନ୍ମଧ୍ୟରୁ ଶ୍ରମିକଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ଥିଲା ୭। ସୂଚନାଯୋଗ୍ୟ, ବିଶିଷ୍ଟ କମ୍ୟୁନିଷ୍ଟ ନେତା ଜ୍ୟୋତି ବସୁ ସେଥର ରେଳ ଶ୍ରମିକ ସଂଗଠନ ପାଇଁ ସଂରକ୍ଷିତ ଆସନରୁ ଜିଣିଥିଲେ। ସୀମାନ୍ତ ଗାନ୍ଧି ଖାଁ ଅବ୍ଦୁଲ ଗଫର ଖାଁଙ୍କ ନେତୃତ୍ବରେ ଉତ୍ତର-ପଶ୍ଚିମ-ସାମନ୍ତ ପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ ଭଲ ରହିଲା। ପଂଜାବରେ ୟୁନିୟନିଷ୍ଟ ପାର୍ଟିକୁ କୋଣଠେସା କରି ମୁସ୍ଲିମ ଲିଗ ସବୁଠୁ ବଡ଼ ଦଳ ଭାବେ ଉଭା ହେଲା। ସିନ୍ଧ ପ୍ରଦେଶରେ କଂଗ୍ରେସ ଓ ମୁସ୍ଲିମ ଲିଗ୍ ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ହେଲା। ଶେଷରେ ମୁସ୍ଲିମ ଲିଗ୍ ସରକାର ଗଠନ କଲା।