‘ବ୍ରାହ୍ମଣ ମନ୍ତବ୍ୟ’ ଦାମଙ୍କ ବହିଷ୍କାରର କାରଣ ନୁହେଁ!

ଭିନ୍ନ ଇଙ୍ଗିତ ଦେଲେ ଧର୍ମେନ୍ଦ୍ର, ରାଜନୀତିରେ ହଟଚମଟ

ଭୁବନେଶ୍ୱର : ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ, ଭିନ୍ନ କାରଣ ପାଇଁ ମନ୍ତ୍ରିମଣ୍ଡଳରୁ ବଳି ପଡ଼ିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ଏ ନେଇ ଆଜି ଇସାରା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯଦିଓ ବହିଷ୍କାରର କାରଣ ଉପରୁ ଧର୍ମେନ୍ଦ୍ର ସମ୍ପୂର୍ଣ୍ଣ ପରଦା ଉଠାଇ ନାହାନ୍ତି, ତେବେ ତାଙ୍କ ଇସାରା ରାଜନୈତିକ ମହଲରେ ହଟଚମଟ ପାଇଁ ଯଥେଷ୍ଟ। ତୃତୀୟ ମହଲାର ସର୍ବେସର୍ବା ବୋଲାଉଥିବା ଜଣେ ଅଧିକାରୀଙ୍କ ସମ୍ପର୍କୀୟଙ୍କୁ ଅନିୟମିତତା ଓ ଦୁର୍ନୀତି ସହ ଜଡ଼ିତ କରିବା ପାଇଁ ଦାମ ନେଇଥିବା ପଦକ୍ଷେପ ଯୋଗୁଁ ତାଙ୍କୁ ବିଦା କରାଗଲା ବୋଲି ସେ ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଡିସେମ୍ବର ତୃତୀୟ ସପ୍ତାହରେ ଦକ୍ଷିଣ ଓଡ଼ିଶାରେ ତାଙ୍କ ବିଭାଗ ସମ୍ପର୍କିତ କିଛି ଅନିୟମିତତା ନେଇ ଦାମ ବାବୁ ଖୋଳତାଡ଼ କରିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଅନିୟମିତତାରେ ସଂପୃକ୍ତ ଅଧିକାରୀଙ୍କ ନାମ ଆସିବା କାରଣରୁ ତାଙ୍କୁ ଶକ୍ତ ମାନସିକ ଆଘାତ ଲାଗିଥିଲା। ତାହା ପରେ ଦାମ ବାବୁଙ୍କ ୪୦ ବର୍ଷ ରାଜନୈତିକ କ୍ୟାରିୟର୍‌ର ଅନ୍ତ ପାଇଁ ସେହି ସର୍ବେସର୍ବା ବାବୁ ହିଁ ଉଦ୍ୟମ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଦାମ ବାବୁ ପୂର୍ବରୁ ମହିଳା ଓ ଦଳିତଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏବେ ଏକ ଉଚ୍ଚ ଜାତି ବିରୋଧରେ ଜାତିଆଣ ମନ୍ତବ୍ୟ ତାଙ୍କ ବହିଷ୍କାରର କେବେ ବି କାରଣ ହୋଇନପାରେ।

ଏଠାରେ ଉଲ୍ଲେଖଥାଉକି, ମନ୍ତ୍ରୀ ଥିବା ବେଳେ ଦାମ ସବୁଠାରୁ ଅଧିକ ଶାଣିତ ଆକ୍ରମଣ କରୁଥିଲେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ। ଖାସ୍‌ ସେଇଥିପାଇଁ ବିଜେଡି ଶିବିରରେ ଯୁବ ନେତାଙ୍କ ଉପରୁ ନଜର ହଟାଇ ହାଇକମାଣ୍ଡ ଦାମଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ। ହେଲେ ଦାମ ମନ୍ତ୍ରୀ ପଦରୁ ଯିବା ପରେ ତାଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓକିଲାତି କରିବା ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି। ଆଜି ବିଜେଡି ନେତାମାନେ ଧର୍ମେନ୍ଦ୍ରଙ୍କ ଅଭିଯୋଗ ଉପରେ ଆଖିଦୃଶିଆ ଜବାବ ଦେଇପାରିନାହାନ୍ତି। ବରଂ ବିଜେଡି ଆଭ୍ୟନ୍ତରୀଣ ବ୍ୟାପାରରେ ଧର୍ମେନ୍ଦ୍ର ମୁଣ୍ଡଖେଳାଇବାର ଅଧିକାର ନାହିଁ ବୋଲି ଆଖି ଦେଖାଇଛନ୍ତି ନେତା।

ସମ୍ବନ୍ଧିତ ଖବର