ଆଜି ବିଜେପିରେ ମିଶିବେ ଲୁଲୁ ପରିବାର

ଭୁବନେଶ୍ୱର : ବିଜେପି ଉପକୂଳ ଓଡ଼ିଶାରେ ବଳ ଜୁଟାଇବାକୁ କସରତ୍‌ ଜାରି ରଖିଛି। ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ବିଜେପିରେ ମିଶିବାକୁ ଯାଉଛନ୍ତି। ଲୁଲୁଙ୍କ ପରଲୋକ ପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଗଢ଼ାଯାଇଥିବା ଲୁଲୁ ସେନା ବିଧିବଦ୍ଧ ଭାବେ ବିଜେପିରେ ମିଶିଯିବ। ଲୁଲୁଙ୍କ ଭାଇ ଓ ତାଙ୍କ ଝିଅଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହେବ। ଉପକୂଳ ଓଡ଼ିଶାରେ ବିଜେପି ମିଶ୍ରଣ ପର୍ବର ଆଉ ଏକ ଦୃଶ୍ୟ ଆସନ୍ତା ସପ୍ତାହରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିବ। ରାଜନଗରରେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା ବିଜେପିରେ ମିଶିବେ।

ଲୁଲୁଙ୍କ ପରିବାର ଓ ସମର୍ଥକଙ୍କ ବିଜେପିରେ ମିଶ୍ରଣକୁ ପ୍ରଭାବୀ ଢଙ୍ଗରେ କରି ରାଜନୈତିକ ଫାଇଦା ଗୋଟାଇବାକୁ ବିଜେପି ଲକ୍ଷ୍ୟ ରଖିଛି। ସେଥି ପାଇଁ ଦଳୀୟ କାର୍ଯ୍ୟାଳୟରେ ଚିରାଚରିତ ମିଶ୍ରଣ ପର୍ବ ନ କରି ପ୍ରଦର୍ଶନୀ ପଡ଼ିଆରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ୨୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରିବାକୁ ଉଦ୍ୟମ ଚାଲିଛି। ପ୍ରଥମ ଥର ପାଇଁ ରାଜଧାନୀରେ ବିଜେପିର ଏପରି ଏକ ବଡ଼ ଧରଣର ମିଶ୍ରଣ ପର୍ବ ଆୟୋଜନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଲୁଲୁଙ୍କ ପରିବାର ବିଜେପିରେ ମିଶିବେ।

ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ମହାପାତ୍ରଙ୍କ ବାଦ୍‌ ପିସିସିର ପୂର୍ବତନ ସମ୍ପାଦକ ରାଜେନ୍ଦ୍ର ପଣ୍ଡା ଓ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ମଧ୍ୟ ବିଜେପିରେ ମିଶିବେ। ସତ୍ୟଜିତ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି। ସେ ଗତ ନିର୍ବାଚନରେ ରଣପୁରରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ।

କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର ବିଜେପିରେ ମିଶିବାକୁ ଯାଉଛନ୍ତି। ଲୁଲୁଙ୍କ ପରଲୋକ ପରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଗଢ଼ାଯାଇଥିବା ଲୁଲୁ ସେନା ବିଧିବଦ୍ଧ ଭାବେ ବିଜେପିରେ ମିଶିଯିବ। ଲୁଲୁଙ୍କ ଭାଇ ଓ ତାଙ୍କ ଝିଅଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହେବ।

ଲୁଲୁଙ୍କ ଝିଅ ଉପାସନା ଆଜି କଂଗ୍ରେସ ବିରୋଧରେ ବିଷ ଓଗାଳିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ମୃତ୍ୟୁର କିଛି ମାସ ଆଗରୁ ବାପା ସବୁବେଳେ ଚୁପ୍‌ ରହୁଥିଲେ। କୌଣସି କାର୍ଯ୍ୟକ୍ରମକୁ ଯାଉ ନଥିଲେ। ଦଳ ଭିତରେ ତାଙ୍କୁ ଅବହେଳା କରାଯାଉଥିଲା, ନିର୍ଯାତନା ଦିଆଯାଉ ଥିଲା। ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ବାପାଙ୍କୁ କଂଗ୍ରେସରେ ନିର୍ଯାତନା ଦିଆଯାଉଥିଲା, ସେମାନେ ଆମ ସହିତ ଅଛନ୍ତି। ଏସବୁ ବାଦ୍‌ ଆହୁରି ଅନେକ କଥା ସେ ଆସନ୍ତାକାଲି କହିବେ ବୋଲି ଆଭାସ ଦେଇଛନ୍ତି।

ଦୀର୍ଘ ବର୍ଷ ଧରି କଂଗ୍ରେସ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଲୁଲୁ ପରିବାର ଆସନ୍ତାକାଲି ଗେରୁଆ ଟୋପି ପିନ୍ଧୁଥିବାରୁ ପୁରୀ ସମେତ ଉପକୂଳ ରାଜନୀତି ବେଶ୍‌ ସରଗରମ ହୋଇଛି। ଏହି ପ୍ରସଙ୍ଗରେ ପିସିସି ସଭାପତି ଏ ପର୍ଯ୍ୟନ୍ତ ମୁହଁ ଖୋଲି ନ ଥିବା ବେଳେ କଂଗ୍ରେସ ନେତାମାନେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ବିଜେପି ମଧ୍ୟ ମିଶ୍ରଣ ପର୍ବ ପାଇଁ ବେଶ୍‌ ସତର୍କତାର ସହ ଗୋଟି ଚଳାଉଛି। ବିଜେପୁର ପରି ପୁରୀରେ ଯେପରି ଅନ୍ତର୍ଦ୍ୱନ୍ଦ୍ୱ ଦେଖା ନ ଯାଏ, ସେଥି ପ୍ରତି ଦଳ ବେଶ୍‌ ସତର୍କ ରହିଛି। ମିଶ୍ରଣ ପର୍ବରେ ବିଜେପିର ପୁରୀ ଜିଲ୍ଲା ସଂଗଠନର ସବୁ କର୍ମକର୍ତ୍ତାଙ୍କୁ ଉପସ୍ଥିତ କରାଇବାକୁ ରାଜ୍ୟ ନେତାମାନେ ଲାଗି ପଡ଼ିଛନ୍ତି।

ଭୁବନେଶ୍ୱରରେ ଏହି ମିଶ୍ରଣ ପର୍ବ ପରେ ଆସନ୍ତା ସପ୍ତାହରେ ଅର୍ଥାତ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ବିଜେପି ଆଉ ଥରେ ଶକ୍ତି ପ୍ରଦର୍ଶନ କରିବ। ଗତ ଜୁନ୍‌ କେନ୍ଦ୍ରାପଡ଼ାରେ ଏକ ମିଶ୍ରଣ ପର୍ବ କରାଯାଇ ଜିଲ୍ଲାର କିଛି ପ୍ରମୁଖ ନେତାଙ୍କୁ ବିଜେପିରେ ସାମିଲ୍‌ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ରୋଡ୍‌ ସୋ’ରେ ଯାଇ ବିଜେପିର ଶକ୍ତି ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ। ଏହି ମିଶ୍ରଣ ପର୍ବରେ ବରିଷ୍ଠ ନେତା ବିଜୟ ମହାପାତ୍ର ସାମିଲ୍‌ ହୋଇ ନ ଥିଲେ, ଯାହାକୁ ନେଇ ଜିଲ୍ଲା ବିଜେପିର ଅନ୍ତର୍ଦ୍ୱନ୍ଦ୍ୱ ଆଲୋଚନାର ବିଷୟ ହୋଇଥିଲା। ପରବର୍ତ୍ତୀ ସମୟରେ ବିଜେପିର ଜିଲ୍ଲା ସଭାପତି ଏହି ଘଟଣାରେ ଦଳରୁ ନିଲମ୍ବିତ ହୋଇଥିଲେ। ୨୨ ତାରିଖରେ ହେବାକୁ ଥିବା ମିଶ୍ରଣ ପର୍ବ ପଟ୍ଟାମୁଣ୍ଡାଇ ଠାରେ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଏଥିରେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା ବିଜେପିରେ ମିଶିବେ। ସେ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର