ଦାମଙ୍କ ପୁଅଙ୍କୁ ବିଜେଡି ସଂଗଠନ ଦାୟିତ୍ୱ

ସମ୍ବିତ ରାଉତରାୟ ବିଜେଡି ରାଜ୍ୟ ସଂପାଦକ ନିଯୁକ୍ତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ ସମ୍ବିତ ରାଉତରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା ଏକ ପ୍ରେସ ବିଜ୍ଞପ୍ତିରେ ଏକଥା ଜଣାଇଛନ୍ତି।

ଶ୍ରୀ ରାଉତରାୟଙ୍କ ନିଯୁକ୍ତି ବିଜେଡି ଆଭ୍ୟନ୍ତରୀଣ ରାଜନୀତିରେ ଚର୍ଚ୍ଚାପାଇଁ ଖୋରାକ ଯୋଗାଇଛି। ଏଇଥିପାଇଁ ଯେ ଶ୍ରୀ ରାଉତରାୟ ହେଉଛନ୍ତି, ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପୁଅ। କିଛି ଦିନ ତଳେ ଡାକ୍ତର ରାଉତଙ୍କୁ ପ୍ରଥମେ ମନ୍ତ୍ରୀ ଓ ପରଦିନ ରାଜ୍ୟ ଉପସଭାପତି ପଦରୁ ବିଦା କରାଯାଇଥିଲା। ଏହା ସତ୍ତ୍ୱେ ଡାକ୍ତର ରାଉତ ପୂର୍ବଭଳି ବିଶେଷ ପ୍ରତିକ୍ରିୟା ପ୍ରକାଶ କରିନଥିଲେ।

ଏବେ ସମ୍ବିତଙ୍କ ଥଇଥାନ ଦାୟିତ୍ୱ ଦଳ ହାତକୁ ନେଇଥିବା କୁହାଯାଉଛି। ସମ୍ବିତଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇ ନବୀନ ଗୋଟିଏ ପଟେ ଦାମଙ୍କ କ୍ଷତରେ ମଲମ ଲଗାଇଛନ୍ତି ଓ ଅନ୍ୟ ପଟରେ ଠିକ୍‌ ସମୟରେ ପାରାଦୀପରେ ଦାମ ବାବୁଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ କରାଯାଇଥିବା ରାଜନୈତିକ ମହଲ ବିଚାର କରୁଛନ୍ତି।

ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା କହିଛନ୍ତି, ବିଜେପୁର ଉପନିର୍ବାଚନରେ ଦଳ ପାଇଁ ଶ୍ରୀ ରାଉତରାୟ କଠିନ ପରିଶ୍ରମ କରିଛନ୍ତି। ଏହାବ୍ୟତୀତ ଦଳର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ହେଉଛନ୍ତି। ରାଜ୍ୟ ସଭାପତି ତାଙ୍କ କାର୍ଯ୍ୟଦକ୍ଷତା ପରଖିବା ପରେ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି।

ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଏହି ନିଯୁକ୍ତିକୁ ନେଇ ଖୁସି ପ୍ରକଟ କରିଛନ୍ତି। ଯଦିଓ ଏଭଳି ନିଯୁକ୍ତି ପୂର୍ବରୁ ତାଙ୍କ ସହିତ କେହି ଆଲୋଚନା କରିନାହାନ୍ତି, ତଥାପି ସମ୍ବିତଙ୍କ ଯୋଗ୍ୟତାଙ୍କୁ ଦଳ ଚିହ୍ନି ପାରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ଡାକ୍ତର ରାଉତ।

ଏଭଳି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସମ୍ବିତ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଦଳରେ ଜଣେ ଶୃଙ୍ଖଳିତ ସୈନିକ ଭଳି ସେ କାର୍ଯ୍ୟ କରିବେ।

ତେବେ ସମ୍ବିତଙ୍କୁ ବିଜେଡି ସାଂଗଠନିକ କାର୍ଯ୍ୟରେ ଲଗାଇବା ପରେ ବିଜେଡି ରାଜନୀତିରେ ଦାମଙ୍କ ଭୂମିକାକୁ କଣ ହେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦାମ ବାବୁ ଆସନ୍ତା ଦିନରେ ନିର୍ବାଚନ ରାଜନୀତିରେ ରହିବେ ନା ନାହିଁ ଅଥବା ଦଳ ତାଙ୍କୁ ସାଂଗଠନିକ କାର୍ଯ୍ୟରେ କେବଳ ଲଗାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର