ନୂଆ ପିସିସି ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଆଜି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହେବା ପରେ ଆସନ୍ତାକାଲି ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବେ। ତାଙ୍କ ସହିତ ଏଆଇସିସି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନିଲ୍‌ କୁମାର ଚୌଧୁରୀ, ସେକ୍‌ ମସ୍ତାନ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ତିନିଜଣ କାର୍ଯ୍ୟକାରୀ ସଭାପତି ଏବଂ ବିଭିନ୍ନ ପଦବି ଅଳଙ୍କୃତ କରିଥିବା ପଦାଧିକାରୀମାନେ ସନ୍ଧ୍ୟା ସାଢେ ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ଜଣାପଡିଛି।

ପିସିସି ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁସାରେ, ନବନିଯୁକ୍ତ ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟମାନଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ସେଠାରୁ ସେମାନଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନକୁ ନିଆଯିବ। ସନ୍ଧ୍ୟା ସାଢେ ୬ଟାରେ କଂଗ୍ରେସ ଭବନ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନୂଆ ପିସିସି ସଭାପତି ଏବଂ ଅନ୍ୟମାନେ ସମ୍ବର୍ଦ୍ଧନା ସଭାରେ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ପିସିସି ଓ ଏଆଇସିସି ସଦସ୍ୟ, ପିସିସି କର୍ମକର୍ତ୍ତା, ସମସ୍ତ ଛାମୁଆ ସଂଗଠନର ସଭାପତିଙ୍କ ସହିତ କର୍ମକର୍ତ୍ତା, ସମସ୍ତ ପ୍ରକୋଷ୍ଠ ବିଭାଗର ମୁଖ୍ୟ ଓ କର୍ମକର୍ତ୍ତାଙ୍କ ସହିତ ଦଳୀୟ କର୍ମୀମାନେ ଉପସ୍ଥିତ ରହିବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି। ପରେ ସତ୍ୟନଗରର ରୟାଲ୍‌ ସୁଟ୍‌ ସଭାକକ୍ଷରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ଦିବସରେ କଂଗ୍ରେସ ନେତାମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ସେଠାରୁ ସେମାନେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ରାତ୍ରୀଯାପନ କରିବେ।

୨୨ ତାରିଖ ରବିବାର ସକାଳ ସାଢେ ୯ଟାରେ କଂଗ୍ରେସ ଭବନରେ ସଭାପତି ଓ ଅନ୍ୟ ନେତୃମଣ୍ଡଳୀ ବିଧାୟକ ଓ ବିଭିନ୍ନ ଛାମୁଆ ସଂଗଠନର ପ୍ରତିନିଧି, ଜିଲ୍ଲା ସଭାପତିି ଓ କର୍ମକର୍ତ୍ତାମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର