ବିଜେଡି-ବିଜେପି ସମ୍ପର୍କ ଦାଣ୍ଡରେ ପଡି ହାଟରେ ଗଡୁଛି: ନିରଞ୍ଜନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଗତ ଚାରିବର୍ଷର ଶାସନ ମଧ୍ୟରେ ଦେଶବାସୀ ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇସାରିଲେଣି। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ବିଫଳ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିରୋଧୀ ଦଳଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ କୁ୍‌ମ୍ଭୀର କାନ୍ଦଣା କାନ୍ଦୁଥିବା ବିଜୁ ଜନତା ଦଳ(ବିଜେଡି) ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟ ନିଆଯିବା ସମୟରେ କକ୍ଷତ୍ୟାଗ କଲା। ବିଜେପି ଏବଂ ତାହାର ନେତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିବା ବିଜେଡି ସାଂସଦମାନଙ୍କ ନିକଟରୁ ଏହାହିଁ ଆଶା କରାଯାଉଥିଲା ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଏକ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୯ ବର୍ଷ ଧରି ବିଜେଡି-ବିଜେପି ଭାଗୁଆଳି ଶାସନ କରିଥିଲେ। ସେମାନଙ୍କ ମଧ୍ୟରେ ସେହି ସମ୍ପର୍କ ଏବେ ବି ଅତୁଟ ରହିଛି। ଲୋକ ଦେଖାଣିଆ ଭାବରେ ସେମାନେ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥାଇପାରନ୍ତି। କିନ୍ତୁ କେନ୍ଦ୍ରରୁ ଆସୁଥିବା ନେତୃବୃନ୍ଦ ଓ ସଚିବମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ରାଜ୍ୟରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଲକ୍ଷ ଲକ୍ଷ ଦରିଦ୍ର ପରିବାର ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏହାର ତଦନ୍ତ କେଉଁ ଦିଗରେ ଯାଉଛି ତାହା ସାଧାରଣ ଲୋକେ ଜାଣିପାରୁନାହାନ୍ତି। ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ସାଂସଦ ରାମଚନ୍ଦ୍ର ହାଁସଦା, ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ, ଏଟି ଗ୍ରୁପ୍‌ର ପ୍ରଦୀପ ସେଠୀଙ୍କୁ ଗିରଫ କରି ସିବିଆଇ ବଡ଼ମାଛମାନଙ୍କୁ ଛାଡିଦେଇଛି। ହଜାରହଜାର କୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତିରେ ଯେଉଁ ବଡବଡ଼ିଆମାନେ ସଂପୃକ୍ତ ସେମାନଙ୍କୁ ଧରିବା ଦିଗରେ ସିବିଆଇ କାହିଁକି ଆଗ୍ରହ ପ୍ରକାଶ କରୁନାହିଁ?

ରାଜ୍ୟର କଳାହାଣ୍ଡିଠାରୁ ନଗଡ଼ା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅପପୁଷ୍ଟିର ଶିକାର ହୋଇ ଅଥବା ଉପଯୁକ୍ତ ସ୍ୱାସ୍ଥ୍ୟସେବା ନପାଇ ଶିଶୁ ମରୁଛନ୍ତି। ରାଜ୍ୟରେ ଡାକ୍ତର, ଜବାନ ଏବଂ ଗ୍ରାମବାସୀ ଖଟିଆରେ ରୋଗୀଙ୍କୁ ଡାକ୍ତରଖାନା ବୋହୁଛନ୍ତି। ରାସ୍ତାକଡରେ, ଅଟୋରିକ୍ସା ମଧ୍ୟରେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରୁଛନ୍ତି। ଗତ ୧୮ ବର୍ଷର ବିଜେଡି ଶାସନ ମଧ୍ୟରେ ରାଜ୍ୟରେ ଏକାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଏହି ବିବୃତିରେ ସେ ବିଜେଡି ସରକାରଙ୍କୁ ସମାଲୋଚନା କରି କହିଛନ୍ତିି, ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ସରକାର ଶୃଙ୍ଖଳିତ କରିପାରିନାହାନ୍ତି। ସରକାରୀ ସ୍କୁଲଗୁଡିକ ନାନା ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟ, ପାନୀୟଜଳ, ପରିମଳ ଆଦି କ୍ଷେତ୍ରରେ ମଧ୍ୟ ସରକାର ଶୋଚନୀୟ ଭାବେ ବିଫଳ। ତାହାର ନିଚ୍ଛକ ଉଦାହରଣ ଭୁବନେଶ୍ୱର ସ୍ମାର୍ଟ ସିଟି। ଦିନଟିଏ ଲଗାଣ ବର୍ଷା ହେଲେ ଏହି ସହରରେ ଡଙ୍ଗା ଚାଲିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିରେ ବିଜେଡି ଓ ବିଜେପି କେବଳ ଲୋକଦେଖାଣିଆ ଭାବେ ପରସ୍ପରକୁ ଦୋଷ ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଅଛନ୍ତି। ରାଜ୍ୟର ସଚେତନ ଭୋଟରମାନେ ସେମାନଙ୍କର ଏହି ଭିତିରି ସମ୍ପର୍କ ବିଷୟରେ ବୁଝିସାରିଲେଣି। ଠିକଣା ସମୟରେ ସେମାନେ ତାହାର ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର