ଛାତ୍ର ସଂସଦ ନିର୍ବାଚନ : ପାଗ ଭିଡ଼ୁଛନ୍ତି ଛାମୁଆ ସଙ୍ଗଠନ

ତାରିଖ ଘୋଷଣାକୁ ଅପେକ୍ଷା କରିଛି ଛାତ୍ର ବିଜେଡି, ମଙ୍ଗୁଆଳ ଅପେକ୍ଷାରେ ଛାତ୍ର କଂଗ୍ରେସ, ୧୧ରେ ଏବିଭିପିର ଛାତ୍ର ଅଧିକାର ସମାବେଶ

ଭୁବନେଶ୍ୱର : ଅକ୍ଟୋବର ୧୨ରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ହାତରେ ଦେଢ଼ ମାସ ସମୟ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ରାଜ୍ୟର ୩ଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ନିର୍ବାଚନ ପାଇଁ ପାଗ ଭିଡ଼ିଛନ୍ତି। ପତିଆରା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି। ଯେଉଁଥିପାଇଁ ଗତ ୧୫ ଦିନରେ ରାଜ୍ୟର ୪ଟି କ୍ୟାମ୍ପସରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି। ଏଥିରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହେଲେଣି। ତଥାପି ୩ଟି ଯାକ ସଙ୍ଗଠନର ରାଜ୍ୟସ୍ତରୀୟ ନେତା କହିଛନ୍ତି ସଙ୍ଗଠନରେ କୌଣସି ଫାଟ ନାହିଁ। ସମସ୍ତ କ୍ୟାମ୍ପସରେ ପ୍ରାର୍ଥୀ ଦିଆଯିବ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସେପ୍ଟେମ୍ବର ୧୧ରେ ଭୁବନେଶ୍ୱରରେ ‘ଛାତ୍ର ଅଧିକାର ସମାବେଶ’ କରିବ। ଏଥିରେ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ନେତାମାନେ ଦାବି କରିଛନ୍ତି। କେତେକ କ୍ୟାମ୍ପସରେ ଛାତ୍ର ବିିଜେଡି ନେତାମାନେ ସକ୍ରିୟ ହୋଇପଡ଼ିଛନ୍ତି। ସଙ୍ଗଠନ ପକ୍ଷରୁ କିଏ ପ୍ର୍ରାର୍ଥୀ ହେବ? କିଭଳି ହେବ ପ୍ରଚାର? ସେ ନକ୍ସା ତିଆରି ଚାଲିଛି।

ଛାତ୍ର କଂଗ୍ରେସ ବି ପାଗ ଭିଡିଲାଣି। ହେଲେ ସଙ୍ଗଠନର ରାଜ୍ୟସ୍ତରୀୟ କମିଟି ନ ଥିବାରୁ ନିର୍ବାଚନର ମଙ୍ଗ କିଏ ଧରିବ ତାହାକୁ ନେଇ ଛାତ୍ରନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଖୁବ୍‌ଶୀଘ୍ର ନୂତନ କମିଟି ଘୋଷଣା ହେବା ପରେ କ୍ୟାମ୍ପସରେ କାର୍ଯ୍ୟକଳାପ ଆରମ୍ଭ ହେବ ବାଲି କୁହାଯାଉଛି।

ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି, ଏବେ ସଙ୍ଗଠନର ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମ ଚାଲିଛି। ନିର୍ବାଚନ ପାଇଁ ବିଧିବଦ୍ଧ ତାରିଖ ଘୋଷଣା ହୋଇ ନାହିଁ। ତେଣୁ ଧୈର୍ଯ୍ୟ ଧରିବାକୁ କ୍ୟାମ୍ପସର ଛାତ୍ରନେତାଙ୍କୁ କୁହାଯାଇଛି। ଛାତ୍ର ବିଜେଡି ସବୁବେଳେ ଛାତ୍ରଙ୍କ ସହ ରହିଛି। ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯେଉଁ ଯୋଜନା ହୋଇଛି ତାହା କିଭଳି ପିଲାଙ୍କ ପାଖରେ ପହଞ୍ଚିବ ସେଦିଗରେ ଆମେ କାର୍ଯ୍ୟ କରୁଛୁ। କୌଣସି କ୍ୟାମ୍ପସରେ ବିବାଦ ନାହିଁ। ଗୋଟିଏ କ୍ୟାମ୍ପସରେ ସଙ୍ଗଠନରୁ ଜଣେ ହିଁ ପ୍ରାର୍ଥୀ ରହିବେ।

ଏବିଭିପି ସଙ୍ଗଠନ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି, କ୍ୟାମ୍ପସରେ ଛାତ୍ରଛାତ୍ରୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। ସବୁଠି ଅଧ୍ୟାପକ, ପ୍ରଫେସର ପଦବି ଖାଲିପଡ଼ିଛି। ପିଲାଙ୍କ ରହିବା ପାଇଁ ହଷ୍ଟେଲ ନାହିଁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଆସନ୍ତା ୧୧ ତାରିଖରେ ଛାତ୍ର ଅଧିକାର ସମାବେଶ ହେବ। ସମସ୍ତ କ୍ୟାମ୍ପସରେ ସଙ୍ଗଠନ ଲଢ଼ିବ। ଯେତେବେଳେ ନିର୍ବାଚନ ହେଲେ ବି ଆମେ ପ୍ରସ୍ତୁତ ରହିଛୁ। ସଙ୍ଗଠନରେ କୌଣସି ଫାଟ ନ ଥିବା ସେ କହିଛନ୍ତି।

ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ୍‌ ପ୍ରଧାନଙ୍କ କହିବାନୁଯାୟୀ, କଲେଜ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ସବୁ କ୍ୟାମ୍ପସରେ ସଙ୍ଗଠନ ପ୍ର୍ରାର୍ଥୀ ଦେବ। ଜିଲ୍ଲା ଓ ଗ୍ର୍ରାମଞ୍ଚଳରେ ଥିବା କଲେଜଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି। ବରିଷ୍ଠ ନେତାମାନେ ନିର୍ବାଚନରେ ସହଯୋଗ କରିବାକୁ ଜାତୀୟସ୍ତରୀୟ ନେତାମାନେ ପରାମର୍ଶ ଦେଇଛନ୍ତି। ରାଜ୍ୟର ବେକାରୀ ସମସ୍ୟାକୁ ନେଇ ସଙ୍ଗଠନ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ।

ସମ୍ବନ୍ଧିତ ଖବର